୧୪୬ କିମି ରେଳପଥକୁ ଏକମାତ୍ର ଜିଆର୍‌ପି ଥାନା, ଅପରାଧୀଙ୍କ ଆଡ଼ା ପାଲଟିଛି ଖଲ୍ଲିକୋଟ ଷ୍ଟେସନ୍‌ 

 

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ୍‌ ଠାରେ ରହିଛି ସରକାରୀ ରେଳବାଇ ପୁଲିସ(ଜିଆର୍‌ପି) ଥାନା। ଗୋଟିଏ ଥାନା ଇଲାକାରେ ଚିଲିକା ଷ୍ଟେସନ୍ ବାହାର ସିଗ୍‌ନାଲ୍‌ ଠାରୁ ଆନ୍ଧ୍ରର ଇଚ୍ଛାପୁର ଷ୍ଟେସନ୍‌ ଭିତର ସିଗ୍‌ନାଲ ପର୍ଯ୍ୟନ୍ତ ୯୪ କିମି ବ୍ୟାପ୍ତ। ଏଥିସହ ଶାଖା ରେଳପଥ ୫୨କିମି ରହିଛି। ୩ଟି ଜିଲ୍ଲାର ସମୁଦାୟ ୧୪୬ କିମି ରେଳପଥ ବ୍ରହ୍ମପୁର ଜିଆରପି ଥାନା ଅଧୀନରେ। ଏହା ଭିତରେ କାଳିଜାଇ ପାସେଞ୍ଜର ହଲ୍‌ଟ୍, ଖଲ୍ଲିକୋଟ, ରମ୍ଭା‌, ହୁମ୍ମା, ଗଞ୍ଜାମ, ଛତ୍ରପୁର, ନରସିଂହପୁର, ଜଗନ୍ନାଥପୁର, ବ୍ରହ୍ମପୁର, ଗୋଳନ୍ଥରା, ସୋରଳ ରୋଡ଼୍‌, ପାରଳାଖେମୁଣ୍ଡି ଓ ଗୁଣପୁର ରେଳଷ୍ଟେସନ୍‌ ରହିଛି। ପାରଳାଖେମୁଣ୍ଡି ଓ ଗୁଣପୁର ରେଳ ଷ୍ଟେସନ୍ ଲାଗି ବ୍ରହ୍ମପୁର ଜିଆରପି ଥାନା ଅଧୀନସ୍ଥ ଏକ ଆଉଟ୍‌ପୋଷ୍ଟ୍‌ ପାରାଳ‌ାଖେମୁଣ୍ଡି ଠାରେ ରହିଛି। ଏହି ଆଉଟ୍‌ପୋଷ୍ଟ୍ ଗଜପତି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାର କିଛି ଅଂଶ ତଦାରଖ କରୁଛି। କିନ୍ତୁ ବ୍ରହ୍ମପୁର ଜିଆର୍‌ପି ଥାନାରେ କର୍ମଚାରୀ ଅଭାବ ସାଙ୍ଗକୁ ଭିତ୍ତିଭୂମି ସଂକଟ ଉଦ୍‌ବେଗଜନକ। ୨୦ଜଣ କର୍ମଚାରୀଙ୍କ ଜାଗାରେ ବର୍ତ୍ତମାନ ୧୨ଜଣ ଅଛନ୍ତି। ୮ଟି ପଦବି ଖାଲି ପଡ଼ିଛି। ଏଥିଯୋଗୁଁ ଅପରାଧପ୍ରବଣ ଛତ୍ରପୁର ଓ ଖଲ୍ଲିକୋଟ ରେଳଷ୍ଟେସନ୍ ଉପରେ ଠିକ୍‌ ଭାବେ ନଜର ରଖାଯାଇ ପାରୁ ନଥିବା ଅଭିଯୋଗ ହୋଇଛି। ବିଶେଷ କରି ଖଲ୍ଲିକୋଟ ଷ୍ଟେସନ୍‌ରେ ବିଭିନ୍ନ ‌ଅନୈତିକ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଥିସହ ବେଆଇନ ମଦ ଓ  ଗଞ୍ଜେଇ ଚାଲାଣର ପ୍ରମୁଖ ହବ୍‌ ପାଲଟିଛି ଖଲ୍ଲିକୋଟ ଷ୍ଟେସନ୍‌।
ପୂର୍ବତଟ ରେଳପଥ ଅଧୀନ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଳଷ୍ଟେସନ୍‌ ଯାତ୍ରୀଙ୍କ ଲାଗି ଏବେ ଅସୁରକ୍ଷିତ ହୋଇପଡ଼ିଛି। ଦିନକୁ ଦିନ ଷ୍ଟେସନ୍‌ ଅଞ୍ଚଳରେ ଚୋରି, ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସଞ୍ଜ ନଇଁଲେ ଷ୍ଟେସନ୍‌ ପରିସରରେ ଅନ୍ଧକାର ରାଜ୍‌ କରୁଥିବା ବେଳେ ଅସାମାଜିକ ଓ ମଦ୍ୟପଙ୍କ ଆଡ଼ା ଜମୁଛି। ଷ୍ଟେସନ୍‌ ସୁରକ୍ଷା ପାଚେରି ନ ଥିବାରୁ ଯେକୌଣସି ବ୍ୟକ୍ତି ମଧ୍ୟ ପଶୁଛନ୍ତି। ଏଥିସହ ବେଆଇନ ମଦ ଓ ଗଞ୍ଜେଇ କାରବାର ମଧ୍ୟ ଚାଲିଛି। ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା କିଛି ନ ଥିବା ବେଳେ ଯାତ୍ରୀଙ୍କ ଧନଜୀବନ ସବୁବେଳେ ବିପଦରେ। ତେଣୁ ଷ୍ଟେସନ୍‌ ସୁରକ୍ଷା ପାଚେରି ନିର୍ମାଣ, ସିସି କ୍ୟାମେରା ବ୍ୟବସ୍ଥା ଏବଂ ଏକ ପୁଲିସ ଆଉଟ୍‌ପୋଷ୍ଟ୍ ପ୍ରତିଷ୍ଠା କରିବାକୁ ଦାବି ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଜିଆର୍‌ପି ଥାନାରେ ରୁଜୁ ହେଉଥିବା ମାମଲା ମଧ୍ୟରୁ ୯୯ ପ୍ରତିଶତ ଚୋରି, ରାହାଜାନି ଓ ଡକାୟତି କେସ୍‌। ରୁଜୁ ହେଉଥିବା ମାମଲା ମଧ୍ୟରୁ ୨୦ ପ୍ରତିଶତ କେବଳ ଖଲ୍ଲିକୋଟ ଷ୍ଟେସନ୍‌ ଅଞ୍ଚଳରୁ। ଖଲ୍ଲିକୋଟ ଷ୍ଟେସନ୍‌ ଠାରୁ ୫ଶହ ମିଟର ଦୂରରେ ଥିବା ଏକ ଜନବସତିରେ ଅପରାଧିକ କାର୍ଯ୍ୟକଳାପ ଅବାଧରେ ଚାଲିଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ଷ୍ଟେସନ୍‌ ଠାରୁ ୧୨ କିମି ଦୂରରେ ରହିଛି ଖଲ୍ଲିକୋଟ ପୁଲିସ ଥାନା। ଖଲ୍ଲିକୋଟ ଷ୍ଟେସନ୍‌ ଠାରୁ ୬୦କିମି ଦୂର‌ରେ ବ୍ରହ୍ମପୁର ଜିଆର୍‌ପି ଥାନା। ୨୦୨୦ରେ ଖଲ୍ଲିକୋଟ ଷ୍ଟେସନ୍‌ ଅଞ୍ଚଳରେ ୨୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।। ସେହିପରି ୨୦୧୯ରେ ରୁଜୁ ୧୩୨ଟି ଅପରାଧିକ ମାମଲା ମଧ୍ୟରୁ ୨୭ଟି ଖଲ୍ଲିକୋଟ ରେଳ ଷ୍ଟେସନ୍ ଅଞ୍ଚଳର। ଖଲ୍ଲିକୋଟ ରେଳଷ୍ଟେସନ୍‌ରୁ କ୍ରମାଗତ ଭାବେ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଛି। ଜିଆରପି ଥାନା ପକ୍ଷରୁ ଖଲ୍ଲିକୋଟ ଷ୍ଟେସନ୍‌ ଅଞ୍ଚଳରେ ନିୟମିତ ପଇଁତରା ହେଉଥିଲେ ହେଁ ପୁଲିସ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟ କିମ୍ବା ବିଶ୍ରାମ କକ୍ଷଟିଏ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଷ୍ଟେସନ୍‌ର ଉଭୟ ପାର୍ଶ୍ବ ସମ୍ପୂର୍ଣ୍ଣ ମୁକୁଳା ପଡ଼ିଛି। ସିସିଟିଭି କିମ୍ବା ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ମଧ୍ୟ ନାହିଁ।
The post ୧୪୬ କିମି ରେଳପଥକୁ ଏକମାତ୍ର ଜିଆର୍‌ପି ଥାନା, ଅପରାଧୀଙ୍କ ଆଡ଼ା ପାଲଟିଛି ଖଲ୍ଲିକୋଟ ଷ୍ଟେସନ୍‌  first appeared on Sambad.

from ରାଜ୍ୟ | Sambad https://ift.tt/3wSgMWA

Post a Comment

0 Comments