୨ ଜିଲ୍ଲାର ପାରଦ ୪୦ ଡିଗ୍ରି ଛୁଇଁଲା

ଭୁବନେଶ୍ବର : ଗତ ୨ ଦିନ ହେଲା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ତଳକୁ ରହିଥିଲା। ଆଜି ରାଜ୍ୟର କିଛି କିଛି ଜିଲ୍ଲାର ତାପମାତ୍ରା ଅପେକ୍ଷାକୃତ ବଢ଼ିଥିବା ବେଳେ ୨ ଜିଲ୍ଲାର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି। ଆଜି ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ଓ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ରାଜ୍ୟର ସ‌ର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଅନ୍ୟପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତାକାଲି ଅପରାହ୍ନ ଆଡ଼କୁ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହା ପରେ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ପରଠାରୁ ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ି ୪୨ ଡିଗ୍ରି ଅତିକ୍ରମ କରିଯିବ ବୋଲି ସୂଚନା ମିଳିଛି। ଆଜି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୮.୯ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ୩୯ ଡିଗ୍ରି ପାଖାପାଖି ରହିବ। ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନ ଆଡ଼କୁ ବର୍ଷା ହେବାର ସମ୍ଭାବନା ରହିଛି।

The post ୨ ଜିଲ୍ଲାର ପାରଦ ୪୦ ଡିଗ୍ରି ଛୁଇଁଲା first appeared on Sambad.

from ରାଜ୍ୟ | Sambad https://ift.tt/3tfrCDF

Post a Comment

0 Comments