
ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ, ସଦରମହକୁମା ଡାକ୍ତରଖାନାମାନଙ୍କରେ ଯେପରି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ସହ ପିଇବା ପାଣି ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳିବ, ସେଥିପାଇଁ ପ୍ରତ୍ୟେକ ଦିନ ଜିଲ୍ଲାପାଳ, ଜିଲ୍ଲା ଏସ୍ପିମାନେ ନିୟମିତ ତଦାରଖ କରିବେ। ଆଜି ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ ଓ ଥାନା ଆଇଆଇସିଙ୍କ ପର୍ଯ୍ୟନ୍ତ ଦାୟିତ୍ବ ବଣ୍ଟନ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଦସ୍ତଖତ ସମ୍ବଳିତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ କୋଭିଡ ମହାମାରୀ ଜାରି ଥିଲେ ବି ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ରାଜ୍ୟ ସରକାର ୫’ଟି’ ପ୍ରଶାସନିକ ସଂସ୍କାର ଆଧାରରେ ସ୍ବାସ୍ଥ୍ୟ ସେବାକୁ ଉନ୍ନତ କରିବା କ୍ଷେତ୍ରରେ ବହୁ ପଦକ୍ଷେପ ନେଇଛନ୍ତି। ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା କେବଳ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ନୁହେଁ। ଏଥିରେ ସମସ୍ତ ପ୍ରଶାସନିକ କଳ ସହଯୋଗ କରିବାର ଆବଶ୍ୟକତା ରହିଛି। ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ପୁଷ୍ଟିସାଧନ, ନିରାପଦ ପାନୀୟ ଜଳ ଏବଂ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ଉପରେ ଧ୍ୟାନ ଦେବାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏଭଳି କଠିନ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ସଂଗଠିତ ଭାବେ ସବୁ ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ଦରକାର। ଜିଲ୍ଲା ସ୍ତରରେ ଥିବା ସମସ୍ତ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ରୋଗୀ କଲ୍ୟାଣ ସମିତି, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ସମସ୍ତ ଲାଇନ୍ ବିଭାଗଗୁଡ଼ିକୁ ସଚେତନ କରାଇବାକୁ ସରକାର ଗୁରୁତ୍ବ ଦେଇଛନ୍ତି।
ଏଣିକି ନିୟମିତ ଭାବେ ମେଡିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡ଼ିକୁ ଜିଲ୍ଲାପାଳ ଓ ପୁଲିସ ଏସ୍ପି ଗସ୍ତ କରିବେ। ସେଠାରେ ରୋଗୀଙ୍କୁ ମିଳୁଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିବେ। ସେହିପରି ସଦରମହକୁମା ଡାକ୍ତରଖାନାଗୁଡ଼ିକୁ ଉପଜିଲ୍ଲାପାଳ ଓ ପୁଲିସ୍ ଏସ୍ଡିପିଓମାନେ ନିୟମିତ ତଦାରଖ କରିବେ। ସଦରମହକୁମା ଡାକ୍ତରଖାନାମାନଙ୍କରେ ରୋଗୀଙ୍କୁ ମାଗଣା ଔଷଧ, ମାଗଣା ଚିକିତ୍ସା ସୁବିଧା, ମାଗଣା ଡାଇଲେସିସ୍ ସେବା ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସହାୟତା ମିଳୁଛି କି ନାହିଁ ସେସବୁ ସମ୍ପର୍କରେ ସମୀକ୍ଷା କରିବେ। ଏହାସହିତ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରୋତ୍ସାହନ ରାଶିକୁ ବି ରୋଗୀମାନଙ୍କୁ ବଣ୍ଟନ କରିବେ। ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଡିଓ ଓ ଥାନା ଆଇଆଇସି ନିୟମିତ ଗସ୍ତ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସରକାରଙ୍କ ସମସ୍ତ ସ୍ବାସ୍ଥ୍ୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ସୁଫଳ ମିଳୁଛି କି ନାହିଁ ତଦାରଖ କରିବେ। ଆମ୍ବୁଲାନ୍ସ୍ ସେବାଠୁ ଆରମ୍ଭ କରି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନ ଉପୁଜେ, ସେଥିପାଇଁ ବି ବିଡିଓ ଓ ଥାନା ଆଇଆଇସି ଦାୟୀ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
The post ନିୟମିତ ମେଡିକାଲ ତଦାରଖ କରିବେ ଜିଲ୍ଲାପାଳ, ଏସ୍ପି first appeared on Sambad.from ରାଜ୍ୟ | Sambad https://ift.tt/3t4MEUL
0 Comments