ଘୋଷଣାରେ ଅଟକିଛି ସରକାରଙ୍କ ଶୀତଳଭଣ୍ଡାର; ବିକ୍ରି ନାହିଁ, ଗାଈଗୋରୁ ଖାଉଛନ୍ତି ପନି ପରିବା

ରାଉରକେଲା : ଝାଳବୁହା ପରିଶ୍ରମ କରି କ୍ଷେତରୁ ପନିପରିବା ଅମଳ କରୁଥିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିବର୍ଷ ଏମିତି ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ଶହ ଶହ ପରିବା ଚାଷୀ। ଏହା ସତ୍ବେ ସରକାର ଅବା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଶୀତଳ ଭଣ୍ଡାର ସ୍ଥାପନା କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବାଧ୍ୟ ‌ହୋଇ ଚାଷୀମାନେ ନିଜର ଉତ୍ପାଦିତ ପନି ପରିବାକୁ ରାସ୍ତାରେ ପିଙ୍ଗି ଦେଉଛନ୍ତି। ଗାଈଗୋରୁଙ୍କୁ ଖାଇବାକୁ ଦେଇ ଦେଉଛନ୍ତି।

ଗତ ପ୍ରାୟ ଦେଢ଼ ମାସ ଧରି ନୂଆଗାଁ, ବୀରମିତ୍ରପୁର, ହାତୀବାରି ଆଦି ଅନେକ ମାର୍କେଟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ଗତକାଲି ନୂଆଗାଁ ଓ ହାତୀବାରି ହାଟରେ ଚାଷୀମାନେ ଟମୋଟୋ ସମେତ ଅନ୍ୟାନ୍ୟ ପରିବା ବିକ୍ରି ନ ହେବାରୁ ଫିଙ୍ଗି ଦେଇ ଚାଲି ଯାଇଥିଲେ। କେବଳ ଟମାଟୋ ନୁହେଁ ଫୁଲ କୋବି, ବନ୍ଧାକୋବି, କ୍ୟାପିସ୍‌କମ୍‌ ହେଉ ଅବା ଟମୋଟୋ ସବୁ ପନିପରିବାର ଦେଖାଦେଇଛି ଅଭାବିବିକ୍ରୀ। ବଜାରରେ ଟମାଟୋ କେଜି ପ୍ରତି ୨ ଟଙ୍କାରେ ନେବାକୁ ଗ୍ରାହକମାନେ ଅରାଜି ହେଉଛନ୍ତି। ସେମିତି ବନ୍ଧାକୋବି କେଜି ୫ରୁ ୭ ଟଙ୍କାରେ ନେଉ ନାହାନ୍ତି। ଫଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ପନିପରିବା ଧରି ହାଟକୁ ଆସିଥିବା ଚାଷୀ ଶେଷରେ ମାଗଣାରେ ବିକିବାକୁ ବାଧ୍ୟ ହେଉଛି। ଗତ କିଛି ଦିନ ତଳେ ବୀରମିତ୍ରପୁର ପୌରପାଳିକା ସାପ୍ତାହିକୀ ହାଟରେ ଚାଷୀମାନେ କ୍ବିଣ୍ଟାଲ କ୍ବିଣ୍ଟାଲ ଟମୋଟୋକୁ ମାଗଣାରେ ଲୋକମାନଙ୍କୁ ବାଣ୍ଟି ଦେଇଥିଲେ। କେବଳ ବୀରମିତ୍ରପୁର ନୁହେଁ ଚାଷୀମାନେ ରାଉରକେଲା ଟ୍ରାଫିକ୍‌ ଗେଟ୍‌ ପରିବା ବଜାରକୁ ବିକିବାକୁ ଆଣିଥିବା ଶହ ଶହ କ୍ବିଣ୍ଟାଲ, କୋବିକୁ ବ୍ୟବସାୟୀ ନ ହେବାରୁ ମାଗଣାରେ ବାଣ୍ଟିଦେଇଥିଲେ। ସୁନ୍ଦରଗଡ ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।

ସେପଟେ ବ୍ଳକରେ ନିର୍ମାଣ ହୋଇଛି କୃଷକ ବଜାର। ସରକାରଙ୍କ ଆନ୍ତରିକତା ଅଭାବରୁ ଏସବୁ ଚାଷୀଙ୍କ କାମରେ ଆସୁନି। କେଉଁଠି କେବଳ ଜାଗା ପଡିଛି ତ ପୁଣି କେଉଁଠି ଅଧପନ୍ତରିଆ ପାଚେରୀରେ ସୀମିତ। ବର୍ଷେ କି ଦୁଇ ନୁହେଁ ପ୍ରାୟ ୧୦ ବର୍ଷ ହେବ ଏସବୁ ପ୍ରକଳ୍ପ ସେମିତି ଆଣ୍ଠେଇଛି। ବୀରମିତ୍ରପୁର, ସିଭିଲଟାଉନ୍‌ସିପ୍‌ କୃଷକ ବଜାରକୁ ଛାଡି ଦେଲେ ଅନ୍ୟ ସବୁ କେବଳ ଘୋଷଣାରେ ଅଟକିଛି। କୃଷକ ବଜାର ପାଇଁ କୁଆରମୁଣ୍ଡା ବ୍ଲକରେ ୫ ଏକର, ପାନପୋଷ ବାଲୁଘାଟରେ ୧୩ ଏକର, ବେଦବ୍ୟାସରେ ୧.୯୨ ଏକର, ବିଶ୍ରା ଭାଲୁଲତାରେ ୨.୭୬ ଏକର, ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହିରେ ୨.୮୧ ଏକର, ରାଉରକେଲା ସିଭିଲଟାଉନସିପ୍‌ରେ ୦.୮୨ ଏକର ଜମି ସରକାର ଆର୍‌ଏମ୍‌ସିକୁ ଦେଇଛନ୍ତି। କୁଆରମୁଣ୍ଡାରେ ୫ ଏକର ଓ ଭାଲୁଲତାର ୨.୭୬ ଏକର ଜମିର ଏନ୍‌ଓସି କାଗଜପତ୍ର ସ୍ଥାନୀୟ ତହସିଲ ଅଫିସ୍‌ରେ ସେମିତି ପଡିଛି। ନୂଆଗାଁ ବ୍ଲକ ଫୁଲଝର ୪.୫୯ ଏକର ମେଗା ପ୍ରକଳ୍ପ ଗତ କିଛି ମାସ ତଳେ ଉଦ୍‌ଘାଟନ ହୋଇଥିଲା। ଏହା ଏବେ ପାଚେରୀରେ ଅଟକିଛି। ୫ ହଜାର ମେଟ୍ରନିକଟନ୍‌ର ଗୋଦାମ ଗୃହ, ୧ ହଜାର ମେଟ୍ରିକ୍‌ ଟନ୍‌ର କୋଲ୍‌ଡ ଷ୍ଟୋର ହେବାକୁ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ପ୍ରକଳ୍ପ କାମ ହେବ ନା, ଯୋଜନାରେ ଅଟକି ରହିଯିବ, ତାହା ବି କହିବା ମୁସ୍କିଲ।

ସିଭିଲଟାଉନସିପ୍‌ କୃଷକ ବଜାର କେତୋଟି ପିଣ୍ଡି ତିଆରି ହୋଇଛି। ସପ୍ତାହର ଦୁଇଥର ପରିବା ମାର୍କେଟ ବସୁଛି। ଗତ ପ୍ରାୟ ୫ ବର୍ଷ ତଳେ ଏଠାରେ ଚାଷୀଙ୍କ ବଳକା ପରିବା ଗଚ୍ଛିତ ରଖିବାକୁ କୋଲ୍‌ଡ ଷ୍ଟୋର ପ୍ରସ୍ତାବ ରହିଥିଲା। ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କୋଲ୍‌ଡ ଷ୍ଟୋର ମେସିନ୍‌ କ୍ରୟ କରି ଆର୍‌ଏମ୍‌ସିକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ କୋଲ୍‌ଡ ଷ୍ଟୋର ନିର୍ମାଣ ହେଲା ନାହିଁ। ବ୍ୟବହାର ଉପଯୋଗୀ ନ ‌ହେବାରୁ ଲକ୍ଷ ଲକ୍ଷ ଟଙ୍କାର କୋଲ୍‌ଡ ଷ୍ଟୋର ମେସିନ୍‌ ଅଫିସରେ ପଡି ଖତ ଖାଉଛି। ଲାଠିକଟା ସୁଇଡିହି କୃ‌ଷକ ବଜାର ସେହି ସମାନ ସ୍ଥିତି। ଆଗାମି ଦିନରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଥିବା ଚାଷୀଙ୍କ ଆର୍ଥିକ ବିକାଶ ଆଣିବାକୁ ହେଲେ ଜିଲ୍ଲାର ଶୀତଳ ଭଣ୍ଡାର ଆବଶ୍ୟକତା ରହିଛି।

The post ଘୋଷଣାରେ ଅଟକିଛି ସରକାରଙ୍କ ଶୀତଳଭଣ୍ଡାର; ବିକ୍ରି ନାହିଁ, ଗାଈଗୋରୁ ଖାଉଛନ୍ତି ପନି ପରିବା first appeared on Sambad.

from ରାଜ୍ୟ | Sambad https://ift.tt/3fUYmhO

Post a Comment

0 Comments