ବିଛାଖଣ୍ଡି ପାହାଡ଼ ଶହଶହ ଏକର ଜଙ୍ଗଲ ଜମି ମାଫିଆଙ୍କ କବଜାରେ: ଜିଲ୍ଲାପାଳଙ୍କ ସ୍ବୀକାରୋକ୍ତି ପରେ ବିବାଦ ବଢ଼ିଲା, ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଯାଜପୁର : ସର୍ବାଧିକ ରାଜସ୍ବ ଦେଉଥିବା ତହସିଲଗୁଡ଼ିକ ମଧ୍ୟରେ ଧର୍ମଶାଳାରେ ମାଫିଆରାଜକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା। ମାଫିଆରାଜ ବିରୋଧରେ ପ୍ରତିବାଦ କରିଆସୁଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ବୋମା ମାଡ଼ ଘଟଣା ପରେ ଲୋକାୟୁକ୍ତ ଗୃହ ସଚିବ, ଡିଜି, ଜିଲ୍ଲାପାଳ ଓଏସପି ପ୍ରମୁଖଙ୍କୁ ଜବାବ ରଖିବା ପାଇଁ ନୋଟିସ୍ କରିଛନ୍ତି। ଏହାସହିତ ବିଛାଖଣ୍ଡିରେ ମାଫିଆରାଜ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ରାୟ ମାଫିଆ ଓ ଅସାଧୁମେଣ୍ଟକୁ ଛାନିଆ କରିଦେଇଛି। ବିଛାଖଣ୍ଡି ପାହାଡ଼ରେ ବେଆଇନ ଓ ଚୋରା କାରବାରକୁ ବର୍ତ୍ତମାନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ବୀକାର କରିବା ଘଟଣା ମଧ୍ୟ ଅସାଧୁମେଣ୍ଟକୁ କାଠଗଡ଼ାରେ ଛିଡ଼ା କରାଇ ଦେଇଛି। ତେବେ ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜବାବ ନରଖି ସମୟ ମାଗିଥିବା ପ୍ରସ୍ତାବକୁ ମଧ୍ୟ ଲୋକାୟୁକ୍ତ ଅଗ୍ରାହ୍ୟ କରିଦେଇଛନ୍ତି। ଯାହାକି ଲୋକାୟୁକ୍ତଙ୍କ କଡ଼ା ଆଭିମୁଖ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଥାଉକି ପୂର୍ବ ଉପକୂଳ ଜିଲ୍ଲାଗୁଡ଼ିକର ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣର ଭୂସ୍ବର୍ଗ ପାଲିଟିଛି ଯାଜପୁର ଜିଲ୍ଲା । ଏଠାରେ ଗ୍ରାନାଇଟ୍(କଳାପଥର), ମୋରମ, ବାଲି, ଗୋଡ଼ି, ମାଟି, ମାଙ୍କଡ଼ାପଥର ବ୍ୟାପକ ଚୋରା ଚାଲାଣ ଚାଲିଛି। ଏହାକୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷ ଓ ଅଧିକାରୀଙ୍କ ଉପରେ ମାଫିଆମାନେ ବିଭିନ୍ନ ସମୟରେ ସଂଘବଦ୍ଧ ଆକ୍ରମଣ କରୁଥିଲେ ହେଁ ପ୍ରଭାବଶାଳୀ କୋଟିପତି ବ୍ୟବସାୟୀ ଓ ରାଜନେତାଙ୍କ ବାହୁଛାୟା ତଳେ ଥିବା ମାଫିଆଙ୍କ ସାମ୍ରାଜ୍ୟକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଦିନକୁ ଦିନ ସେମାନେ କଳାସାମ୍ରାଜ୍ୟକୁ ବିସ୍ତାର କରି ଚାଲିଛନ୍ତି। ଡଙ୍କାରୀ, ରାହାଡ଼ପୁର, ଆରୁହା ଓ ବିଛ‌ଖଣ୍ଡି ପାହାଡ଼ଗୁଡ଼ିିକରେ ନାମକୁ ମାତ୍ର ୧୪୪ ଜାରି କରି କାଁଭାଁ ଗାଡ଼ି ଜବତ କରାଯାଉଛି। ମାତ୍ର ନିୟମିତ କୋଟି କୋଟି ଟଙ୍କାର ଶହଶହ ଗାଡ଼ିରେ କଳାପଥର ଚୋରା ଚାଲାଣ ଚାଲିଛି।

ଏହି ଅସାଧୁ କାରବାରକୁ ପ୍ରୋତ୍ସାହିତ କରିବାରେ ସ୍ଥାନୀୟ ଆରଆଇ କାର୍ଯ୍ୟାଳୟଗୁଡ଼ିକରୁ ଆରମ୍ଭ କରି ତହସିଲ ଓ ଜିଲ୍ଲାପାଳଙ୍କ କର୍ଯ୍ୟାଳୟର ଏକାଧିକ ଅଧିକାରୀ ଓ କର୍ମଚାରୀ ମାଫିଆଙ୍କ ପାଖରେ ମୁଣ୍ଡ ବିକିଛନ୍ତି। ଏସଂପର୍କରେ ଶ୍ରୀ ବେ‌ହୁରା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଲୋକାୟୁକ୍ତ ଏହି ମହାଦୁର୍ନୀତିକୁ ଗୁରୁତର ସହିତ ଗ୍ରହଣ କରି ୨ଜଣ ଜିଲ୍ଲାପାଳ ଓ ୨ଜଣ ତହସିଲଦାରଙ୍କୁ ନୋଟିସ କରି ଜବାବ ମାଗିଥିଲେ। ବିଛାଖଣ୍ଡିରେ ଚାଲିଥିବା ମାଫିଆ ରାଜ୍‌କୁ ବର୍ତ୍ତମାନ ଜିଲ୍ଲାପାଳ ଶ୍ରୀ ରାଠୋର ସ୍ବୀକାର କରିଥିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜଣାଇଛନ୍ତି। ଅଭିଯୋଗ ଓ ଜିଲ୍ଲାପାଳଙ୍କ ସ୍ବୀକୃତିକୁ ବିଚାର କରି ଲୋକାୟୁକ୍ତ ବିଛାଖଣ୍ଡିରେ ଚାଲିଥିବା କଳାପଥର କେଳେଙ୍କାରୀର ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

The post ବିଛାଖଣ୍ଡି ପାହାଡ଼ ଶହଶହ ଏକର ଜଙ୍ଗଲ ଜମି ମାଫିଆଙ୍କ କବଜାରେ: ଜିଲ୍ଲାପାଳଙ୍କ ସ୍ବୀକାରୋକ୍ତି ପରେ ବିବାଦ ବଢ଼ିଲା, ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ first appeared on Sambad.

from ରାଜ୍ୟ | Sambad https://ift.tt/32qRoJs

Post a Comment

0 Comments