ସ୍କୁଲସ୍ତରରେ ତଦାରଖ ହେବ ‘ମୋ ସ୍କୁଲ’ ପ୍ରକଳ୍ପ

୫୦ ଦିନରେ ୨୦୦ ସ୍କୁଲ୍‌ର ସମୀକ୍ଷା ଓ ଡକ୍ୟୁମେଣ୍ଟେସନ୍‌
ପୁରାତନ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦପତ୍ର

ଭୁବନେଶ୍ୱର : ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ରାଜ୍ୟର ୨୫ ହଜାର ୫୨୦ଟି ବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏବେ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୮୦ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଲେଣି। ରାଜ୍ୟ ସରକାରଙ୍କ ସହାୟତା ରାଶିକୁ ମିଶାଇ ମୋଟ ୨୪୦ କୋଟି ଟଙ୍କାର ପ୍ରକଳ୍ପ ଏବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଛି। ତେଣୁ ଏଣିକି ଭୁବନେଶ୍ୱରସ୍ଥିତ ମୋ ସ୍କୁଲ୍ ଅଭିଯାନ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲସ୍ତରରେ ପ୍ରକଳ୍ପଗୁଡ଼ିକର ତଦାରଖ ଓ ଡକ୍ୟୁମେଣ୍ଟେସନ କାର୍ଯ୍ୟକୁ ଜୋରଦାର କରାଯିବ। ଆସନ୍ତା ଶନିବାରଠାରୁ ‘ମୋ ସ୍କୁଲ୍‌’ ଟିମ୍‌ ଏହି ମନିଟରିଂ କାର୍ଯ୍ୟକ୍ରମ ଆରମ୍ଭ କରିବ। ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ୫୦ ଦିନରେ ବିଭିନ୍ନ ଜିଲ୍ଲାରେ ଥିବା ୨୦୦ଟି ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବାକୁ ମୋ ସ୍କୁଲ୍ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୋ ସ୍କୁଲ ପରିଚାଳନା ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମତିୀ ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ମୋ ସ୍କୁଲ୍‌ ଅଭିଯାନ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟକୁ ସହଯୋଗ ଯୋଗାଇ ଦେଇଥିବା ଉକ୍ତ ୨୦୦ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଧନ୍ୟବାଦପତ୍ର ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ‘ମୋ ସ୍କୁଲ୍‌’ ଯୋଜନା କାର୍ଯ୍ୟକାରୀ ହେଉଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକରେ ପ୍ରକଳ୍ପ ତଦାରଖ ଓ ଡକ୍ୟୁମେଣ୍ଟେସନ କାର୍ଯ୍ୟ ହେବ। ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ଶନିବାର ଖୋର୍ଦ୍ଧା ଜିଲ୍ଲାର ୨ଟି ସ୍କୁଲ୍‌କୁ ଗସ୍ତ କରି ସେଠାରେ ମୋ ସ୍କୁଲ୍ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ତଦାରଖ କରିବେ। ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଯେଉଁ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ଓ ଭିତ୍ତିଭୂମିକୁ ପରିବର୍ତ୍ତନ କରିବାରେ ବିଶେଷ ସଫଳତା ହାସଲ କରିଛନ୍ତି ସେଠାକୁ ଗସ୍ତରେ ଯିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବେ।

ଏହାବ୍ୟତୀତ ମୋ ସ୍କୁଲ୍‌ର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଆଉ ୩ଟି ଟିମ୍ ନିୟମିତ ଭାବେ ବିଭିନ୍ନ ଜିଲ୍ଲା ଗସ୍ତ କରି ମୋ ସ୍କୁଲ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଦ୍ୟାଳୟର ସ୍ଥିତି ସମୀକ୍ଷା କରିବେ। ଏହି ଅବସରରେ ସେମାନେ ବିଦ୍ୟାଳୟ ପ୍ରଧାନଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ପ୍ରକଳ୍ପ କାର୍ଯ୍ୟକାରୀତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ପବ୍ଲିକ୍‌ ଡିସ୍‌କ୍ଲୋଜର୍‌ ଓ ସୋସିଆଲ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ କରିବାକୁ ଏହି ମନିଟରିଂ ଡ୍ରାଇଭ୍ ଆରମ୍ଭ କରାଯିବ। ସ୍କୁଲସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟୟବରାଦ ଓ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରିବା ଉପରେ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ଗୁରୁତ୍ୱ ଦେଇଛନ୍ତି।

The post ସ୍କୁଲସ୍ତରରେ ତଦାରଖ ହେବ ‘ମୋ ସ୍କୁଲ’ ପ୍ରକଳ୍ପ first appeared on Sambad.



from ରାଜ୍ୟ – Sambad https://ift.tt/3kT1Lhx

Post a Comment

0 Comments