
ଭୁବନେଶ୍ବର : ରାଜ୍ୟରେ କେବେ ହେବ ପୌର ନିର୍ବାଚନ ? ଏହି ପ୍ରଶ୍ନର ଠୋସ୍ ଉତ୍ତର କାହା ପାଖରେ ନାହିଁ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମର ଏହି ପ୍ରଶ୍ନରେ ପୁରୁଣା ଉତ୍ତରକୁ ଦୋହରାଇଛନ୍ତି। ନିର୍ବାଚନ ନେଇ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହି ନିର୍ବାଚନକୁ ସେମିତି ଅନ୍ଧାର ଭିତରେ ରଖି ଦେଇଛନ୍ତି।
ରାଜ୍ୟରେ ଏବେ ୫ ମହାନଗର ନିଗମ ସମେତ ୧୧୪ ପୌରପାଳିକାରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ମାତ୍ର ୨ଟି ଏନ୍ଏସିରେ ନିର୍ବାଚିତ ପରିଷଦ କାର୍ଯ୍ୟ କରୁଛି। ଅନ୍ୟ ସବୁ ପୌରପାଳିକାରେ ପ୍ରଶାସକଙ୍କ ହାତରେ ଶାସନ ଡୋରି ଧରାଇ ଦିଆଯାଇଛି। ୨୦୧୮ ମସିହାରୁ ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା ଚାଲୁ ରହିଛି। ପ୍ରଥମେ ଆଇନଗତ ଆଳ ଦେଖାଇ ସରକାର ନିର୍ବାଚନ ପ୍ରସଙ୍ଗକୁ ଟାଳି ଦେଉଥିଲେ। ଏବେ ସରକାରଙ୍କ ଆଇନର ଶିକୁଳି ହଟିଯାଇଥିଲେ ବି ନିର୍ବାଚନ ପାଇଁ ଆଦୌ ତତ୍ପରତା ପ୍ରକାଶ ପାଉ ନାହିଁ।
ଗୁରୁବାର ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସେ ନେଇ କିପରି ବ୍ୟବସ୍ଥା କରାଯିବ ସରକାର ବିଚାର ଆଲୋଚନା ଜାରି ରଖିଛନ୍ତି। କମ୍ ଦିନ ଭିତରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନିର୍ଦ୍ଦିଷ୍ଟ ଭାବେ କେଉଁ ମାସ ସୁଦ୍ଧା ନିର୍ବାଚନ ହେବ, ସେ ସମ୍ପର୍କରେ ମନ୍ତ୍ରୀ କିଛି କହି ନାହାନ୍ତି।
ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି, ରାଜ୍ୟରେ ୧୧୬ଟି ପୌର ସଂସ୍ଥା ମଧ୍ୟରୁ ହିନ୍ଦୋଳ ଓ ଅତାବିରା ବିଜ୍ଞାପିତ ପରିଷଦ ପାଇଁ ୨୦୧୮ରେ ନିର୍ବାଚନ ହୋଇଥିଲା। ଏହି ଦୁଇଟି ବିଜ୍ଞାପିତ ପରିଷଦର କାର୍ଯ୍ୟକାଳ ଆସନ୍ତା ୨୦୨୩ରେ ସରିବ। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ହାତରେ। ସରକାରଙ୍କଠାରୁ ଏ ସମ୍ପର୍କରେ ରିପୋର୍ଟ ପାଇବା ପରେ ନିର୍ବାଚନ କମିସନ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନ କରିବେ।
ସୂଚନାଯୋଗ୍ୟ ଯେ ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଦୁଇଟି ଆଇନ୍ରେ ସଂଶୋଧନର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍ଟି ଆକ୍ଟ, ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଅାକ୍ଟ ୨୦୦୩ରେ ସଂଶୋଧନ ଆଣିବାକୁ ପଡ଼ିବ। କାରଣ ଏହି ଦୁଇଟି ଆଇନ୍ରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି। ନିୟମ ଅନୁଯାୟୀ ସରକାର ଏହି ସଂରକ୍ଷଣ ପ୍ରସ୍ତାବ କ୍ୟାବିନେଟ୍ରେ ଗୃହୀତ କରାଇ ବିଧାନସଭାରେ ଆଗତ କରାଇବେ। ବିଧାନସଭାରେ ପ୍ରସ୍ତାବ ପାରିତ ହେଲା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ସଂେଶାଧିତ ଆଇନ ଅନୁଯାୟୀ ପୌର ସଂସ୍ଥା କର୍ତ୍ତୃପକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ। ତାହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଧାନସଭାକୁ ପ୍ରସ୍ତାବ ଆସିବା ତ ଦୂରର କଥା, କ୍ୟାବିନେଟ୍କୁ ବି ଆସୁ ନାହିଁ।
The post ପୌର ନିର୍ବାଚନ ନେଇ ତଥାପି ଅନିଶ୍ଚିତତା first appeared on Sambad.
from ରାଜ୍ୟ – Sambad https://ift.tt/3kNyh4H
0 Comments