ସରକାରଙ୍କ ବଦଳି ନୀତିକୁ ଗୃହ ବିଭାଗର ଅଣଦେଖା! କର୍ମଚାରୀ ମହଲରେ ଅସନ୍ତୋଷ

ଭୁବନେଶ୍ବର : ସଚିବାଳୟରେ ସରକାରୀ କର୍ମଚାରୀଙ୍କ ଆନ୍ତଃ ବିଭାଗୀୟ ବଦଳି ନୀତିକୁ ଗୃହ ବିଭାଗ ପାଳନ କରୁନି। ଏ ନେଇ କର୍ମଚାରୀ ମହଲ ଅଭିଯୋଗ କରିଛି। ଜଣେ କର୍ମଚାରୀ ଗୋଟିଏ ବିଭାଗରେ ୧୦ ବର୍ଷ ରହିବା ପରେ ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପାଇଁ ନିୟମ ଥିଲେ ବି କେତେକ କର୍ମଚାରୀ ୨୨ ବର୍ଷ ଧରି ରହିଛନ୍ତି। ଅଥଚ ସେମାନଙ୍କ କ୍ଷେତ୍ରରେ ଏହି ନିୟମକୁ ପାଳନ କରାଯାଉନାହିଁ। ଚଳିତମାସ ପହିଲାରେ ସଚିବାଳୟ ସେବା ବର୍ଗରେ କେତେକ ଅଧିକାରୀଙ୍କ ଆନ୍ତଃବିଭାଗୀୟ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତିକୁ ନେଇ କର୍ମଚାରୀମାନେ ଏପରି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ଜଣେ ଡେସ୍କ ଅଫିସରଙ୍କୁ ଅନ୍ୟ ଏକ ବିଭାଗକୁ ବଦଳି କରାଯାଇଛି। ସେହିପରି ୨୨ ବର୍ଷ ଧରି ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ଆଉ ଜଣେ ଡେସ୍କ୍‌ ଅଫିସରଙ୍କୁ ସେହି ବିଭାଗରେ ପୁଣି ଥରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ସଚିବାଳୟ ସେବା ବର୍ଗର କେତେକ ଅଧିକାରୀ ଏ ସମ୍ପର୍କରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୬ ବର୍ଷିଆ ବଦଳି ନୀତି ରହିଥିବାବେଳେ ସଚିବାଳୟ କର୍ମଚାରୀଙ୍କ ପାଇଁ ୧୦ ବର୍ଷ ଧାର୍ଯ୍ୟ କରାଯାଇଛି। ୨୦୧୭ରେ ରାଜ୍ୟ ସରକାର ଏହି ବଦଳି ନୀତି ପ୍ରଣୟନ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ଥରୁଟିଏ ଏହି ନୀତି ଆଧାରରେ ସଚିବାଳୟ କର୍ମଚାରୀଙ୍କ ବଦଳି ହୋଇଥିଲା। କିନ୍ତୁ ଲଗାତାର ଭାବେ କେତେକ କର୍ମଚାରୀ ଗୋଟିଏ ଲେଖାଏଁ ବିଭାଗରେ ୨୨ ବର୍ଷ ଧରି ରହିଥିଲେ ବି ସେମାନଙ୍କର ବଦଳି ହେଉନାହିଁ। ଯଦି ବଦଳି ହେଉଛି, ତାହେଲେ ପରେ ସମ୍ପୃକ୍ତ କର୍ମଚାରୀମାନେ ବଦଳି ବାତିଲ କରିବାରେ ସକ୍ଷମ ହେଉଛନ୍ତି। ଏସବୁ କର୍ମଚାରୀଙ୍କ କ୍ଷେତ୍ରରେ ସରକାରଙ୍କ ବଦଳି ନୀତି ଲାଗୁ ହେଉନାହିଁ। ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ ନିଜ ଇଚ୍ଛା ମୁତାବକ ବଦଳି ହୋଇଥିବାବେଳେ ନଗର ଉନ୍ନୟନ ବିଭାଗର କର୍ମଚାରୀ ବଦଳି ପରେ ବି ଜଣେ ସଂରକ୍ଷିତ ବର୍ଗର ଡେସ୍କ୍‌ ଅଫିସରଙ୍କୁ ସ୍ଥାନାନ୍ତରିତ କରି ସେହି ବିଭାଗରେ ରହିବା ପାଇଁ ସଫଳ ହୋଇଛନ୍ତି। ସରକାର ପ୍ରଣୟନ କରିଥିବା ବଦଳି ନୀତି ଯଦି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ, ତାହେଲେ ପ୍ରଶାସନରେ ସ୍ବଚ୍ଛତା ପାଇଁ ସରକାର ଲାଗୁ କରିଥିବା ୫’ଟି’ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

The post ସରକାରଙ୍କ ବଦଳି ନୀତିକୁ ଗୃହ ବିଭାଗର ଅଣଦେଖା! କର୍ମଚାରୀ ମହଲରେ ଅସନ୍ତୋଷ first appeared on Sambad.



from ରାଜ୍ୟ – Sambad https://ift.tt/30eUsra

Post a Comment

0 Comments