
ଭୁବନେଶ୍ୱର : ବିଶ୍ବ ମହିଳା ଦିବସ ଅବସରରେ ଆସନ୍ତା ୭ ତାରିଖ (ରବିବାର) ସଂଧ୍ୟା ୬ଟାରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ‘ମଞ୍ଜରୀ’ରେ ନାରୀ ସଂଘର୍ଷ ଭିତ୍ତିକ ଭିନ୍ନ ସ୍ବାଦର ଏକ ଓଡ଼ିଆ ସିନେମା ‘ବିସର୍ଜନ’ ମୁକ୍ତିଲାଭ କରିବ। ଶ୍ରଦ୍ଧାଞ୍ଜଳି ଏଣ୍ଟରଟେନମେଣ୍ଟ ବ୍ୟାନର୍ରେ ‘ମଞ୍ଜରୀ’ ଚ୍ୟାନେଲ୍ ପାଇଁ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା ପାଣିଗ୍ରାହୀ, ଶୁଭାଶିଷ ଶର୍ମା, ଲରେନ୍ସ, ଅନିକେତ, ଜ୍ୟୋତି, ସୁଦାମ, ମାନସ, ବୁବୁ, ଶୀତୁଲ୍ ଓ ସାଇମନଙ୍କ ଅଭିନୟ ଦେଖିବାକୁ ମିଳିବ। ରାମକୃଷ୍ଣ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅସଦ ନିଜାମ୍ଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡ, କୁଲଜିତ ପଟ୍ଟନାୟକ ଓ କୁମାର। ଗୀତଗୁଡ଼ିକ ତପୁ ନାୟକ ଲେଖିଥିବା ବେଳେ ଚିନ୍ମୟ ଦାସ ପଟ୍ଟନାୟକ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ପ୍ରଯୋଜନା କ୍ଷେତ୍ରରେ ନୂଆ କରି ଓହ୍ଲାଇଥିବା ଅଭିନେତ୍ରୀ ଶ୍ରଦ୍ଧାଙ୍କର ଏହା ହେଉଛି ‘ମଞ୍ଜରୀ’ ପାଇଁ ପ୍ରଥମ ସିନେମା। ଏଥିରେ ସେ ଅଭିନୟ କରିବା ସହ ଏହାର କାହାଣୀ ମଧ୍ୟ ଲେଖିଛନ୍ତି।
ଚଳଚ୍ଚିତ୍ରର ବିଷୟ ଶୁଭାଶିଷ ଓ ନନ୍ଦିନୀଙ୍କ ବିବାହରୁ ଆରମ୍ଭ ହୁଏ। ଉଭୟ ଅନାଥ। ବିବାହ ପରେ ସେମାନେ ଗୋଟିଏ ନୂଆ ସହରରେ ନିଜର ସୁଖର ସଂସାର ଆରମ୍ଭ କରନ୍ତି। କିନ୍ତୁ ମନ୍ଦ ପ୍ରକୃତିର ପଡ଼ୋଶୀ ରଂଜିତର ଲୋଲୁପ ଦୃଷ୍ଟି ନନ୍ଦିନୀ ଉପରେ ପଡ଼େ। ଏହାପରେ ଶୁଭାଶିଷ ଓ ନନ୍ଦିନୀଙ୍କ ଜୀବନରେ ଘନ ଅନ୍ଧକାର ଛାଇଯାଏ। ସେମାନଙ୍କୁ ଚାରିଦିଗ ଅନ୍ଧକାର ଦେଖାଯାଏ। ଭୟ, ନିର୍ଯାତନା ଓ ପ୍ରତିଶୋଧର ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ମନୋରଂଜନର ଭରପୂର୍ ଖୋରାକ୍ ଯୋଗାଇଦେବ ବୋଲି ନିର୍ଦ୍ଦେଶକ ଓ ପ୍ରଯୋଜକ ଆଶାବାଦୀ ଅଛନ୍ତି।
The post ବିଶ୍ୱ ମହିଳା ଦିବସ ଅବସରରେ ‘ମଞ୍ଜରୀ’ର ଭେଟି ‘ବିସର୍ଜନ’ first appeared on Sambad.
from ରାଜ୍ୟ – Sambad https://ift.tt/3biDTRu
0 Comments