‌କେବେ ସୁଧୁରିବ ସୀମାନ୍ତ‌‌ ସ୍ଥିତି? ଛତିଶଗଡ଼ କବ୍‌ଜାରେ ଓଡ଼ିଶା ପୋଖରୀ

ଅମ୍ବାଭୋନା : ଓଡ଼ିଶା ମାଟିରେ ପଡ଼ୋଶୀ ରାଜ୍ୟର ପ୍ରଭାବ ତଥା ଦଖଲ ଉଦ୍ୟମକୁ ନେଇ ଆଉ ଏକ ଖବର ସାମ୍‌ନାକୁ ଆସିଛି। ଖାଲି ରାସ୍ତାଘାଟ ନୁହେଁ, ଓଡ଼ିଶାର ଏକ ପୋଖରୀକୁ ବି ଛତିଶଗଡ଼ ଲୋକ କବ୍‌ଜା କରିନେଇଛନ୍ତି।

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ କୁମ୍ମୋ ପଞ୍ଚାୟତ ଅଧୀନସ୍ଥ ସାନସରାଇପାଲି ଗ୍ରାମରେ ଏହି ପୋଖରୀ  ରହିଛି , ଯାହାକି ବହୁବର୍ଷର। ଠିକ୍‌ ସୀମାନ୍ତରେ ଥିବା ଏହି ପୋଖରୀ ସଂଲଗ୍ନ ୧୩୩ ଏକରରୁ ୫୨ଏକର ଜମିକୁ ଛତିଶଗଡ଼ର ରିସୋଢା, କେନାଡିପା, ବଡେନୁଆଁପରା, ଅମଲିପାଲି, କୋତରା, ଖୟରଗଡି ଆଦି ଗ୍ରାମର ଚାଷୀ ଜବରଦଖଲ କରି ଚାଷ କରୁଛନ୍ତି । ପୋଖରୀକୁ ମଧ୍ୟ ପୋତି ପକାଇଛନ୍ତି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କଲେ ଛତିଶଗଡ଼ିମାନେ ମାଡ୍‌ପିଟ୍‌ କରୁଛନ୍ତି। ଏହି ପୋଖରୀ ପାଣିକୁ ଅମ୍ବାଭୋନା ବ୍ଳକର ସାନସରାଇପାଲି, ବିରଜୁପାଲି, ଲାମିପାଲି, ମୁଛମଲଦା, ବଡ଼ଧରା, କୁଟରାପାଲି, କେନ୍ଦୁଝରନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଗ ଦ୍ଵାରା ଜମିରେ ଜଳସେଚନ ବ୍ୟବସ୍ଥା ରହିଛି । ପୋଖରୀ ଉପରେ ୧୨ଟି ଗ୍ରାମର ଚାଷୀ ନିର୍ଭର କରିଥାନ୍ତି। ଏଠାରୁ ୫୦୦ ଏକର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। କିନ୍ତୁ ଛତିଶଗଡ଼ର ଚାଷୀ ଜବରଦସ୍ତ ପମ୍ପରେ ପାଣି ଉଠାଇ ପୋଖରୀକୁ ଶୁଖାଇ ଦେଉଛନ୍ତି। ଫଳରେ ଓଡ଼ିଶା ପଟେ ହଜାର ହଜାର ଏକର ରବି ଫସଲରେ ପାଣି ଅଭାବ ଦେଖା ଦେଉଛି।

ଏହି ସମସ୍ୟା ନେଇ ସୀମାନ୍ତବର୍ତ୍ତୀ ଗ୍ରାମର ଚାଷୀ ବିଗତ ୨୦୧୩ ଜୁଲାଇ ୮ତାରିଖ ଛତିଶଗଡ଼ର ରାୟଗଡ଼ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତେଣୁ ପୋଖରୀରୁ ଅଧିକ ପାଣି ଛତିଶଗଡ଼ ଚାଷୀଙ୍କ କ୍ଷେତକୁ ଯାଉଛି । ଏ ସଂପର୍କରେ ବରଗଡ଼ ଜିଲ୍ଲାପାଳଙ୍କୁ କୁମ୍ମୋ ପଞ୍ଚାୟତବାସୀ ଲିଖିତ ଅଭିଯୋଗ କରିଥିଲେ ହେଁ କିଛି ପଦକ୍ଷେପ ନହେବାରୁ ଚା‌ଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

The post ‌କେବେ ସୁଧୁରିବ ସୀମାନ୍ତ‌‌ ସ୍ଥିତି? ଛତିଶଗଡ଼ କବ୍‌ଜାରେ ଓଡ଼ିଶା ପୋଖରୀ first appeared on Sambad.



from ରାଜ୍ୟ – Sambad https://ift.tt/3uKKonO

Post a Comment

0 Comments