କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଇସ୍ପାତ୍‌ କାରଖାନା ଓଡ଼ିଶା ପାଇଁ ନୂଆ ଉନ୍ମାଦନା ଆଣିବ: ଧର୍ମେନ୍ଦ୍ର

ଭାରତ ସରକାର ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇଦେବେ
ଭାରତରେ ଇସ୍ପାତ୍ ଶିଳ୍ପର ଅଭିବୃଦ୍ଧି ପାଇଁ ହୋଇଛି ‘ପୂର୍ବୋଦୟ ମିସନ’

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ ପାଇଁ ଗତକାଲି ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉଭୟ ରାଜ୍ୟ ସରକାର ଏବଂ କଂପାନି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରସ୍ତାବିତ ଏହି ସର୍ବବୃହତ ଇସ୍ପାତ୍ କାରଖାନା ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ନୂଆ ଉନ୍ମାଦନା ଆଣିବ। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତକୁ ବଡ ଗତି ଦେବ।

ଗତ ୨ ତାରିଖରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟିବା ସହ ଭାରତ ବିଶେଷ ଭାବରେ ଇସ୍ପାତ୍ ଶିଳ୍ପର ଅଭିବୃଦ୍ଧି ନେଇ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବରୁ ଭାରତ ବିଶେଷ ଭାବରେ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବା ତଥା ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଷ୍ଟିଲ୍‌ କ୍ଲଷ୍ଟର ଏବଂ ଗ୍ରୀନ୍ ଫିଲ୍ଡର କ୍ଷମତା ବୃଦ୍ଧି କରି ସମନ୍ୱିତ ଇସ୍ପାତ୍ ହବ୍ ମାଧ୍ୟମରେ ‘ପୂର୍ବୋଦୟ ମିସନ’ର ଶୁଭାରମ୍ଭ କରିଥିଲେ।ଏହି ମିସନ ଜରିଆରେ ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ରମନ୍ତ୍ରୀ ଆଜି କହିଛନ୍ତି, ପ୍ରତିଷ୍ଠା ହେବାକୁ ଥିବା ଏହି ସର୍ବବୃହତ ଇସ୍ପାତ୍ କାରଖାନା ପାଇଁ ଭାରତ ସରକାର ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତିବଦ୍ଧ। ସମ୍ବଳ ସୃଷ୍ଟି ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଏବଂ ଜାତୀୟ ଇସ୍ପାତ ନୀତି ଭଳି ସହଯୋଗୀମୂଳକ ନୀତି ସଂସ୍କାର ଅନୁସାରେ ନିଯୁକ୍ତି ସୃଷ୍ଟି କରିବା ଓ ଭିତିଭୂମିକୁ ପ୍ରାଥମିକତା ଦେବା ଦିଗରେ ୧୨ ନିୟୁତ ଟନ୍ ବିଶିଷ୍ଟ ଏହି ଇସ୍ପାତ୍ କାରଖାନା ହେଉଛି ଭାରତ ସରକାରଙ୍କ ବଡ ପଦକ୍ଷେପ।

ମୋଦୀ ସରକାରରେ ବିଗତ ୬ ବର୍ଷରେ କେନ୍ଦ୍ରାପଡାରେ ହୋଇଥିବା ଭିତ୍ତିଭୂମିର ବିକାଶ ଯଥା ପାରାଦୀପ ବନ୍ଦରର ସମ୍ପ୍ରସାରଣ, ମହାନଦୀ ନଦୀଭିତିକ ବନ୍ଦରର ସ୍ଥାପନ, ମାଲ ପରିବହନ, ପାରାଦୀପ-ହରିଦାସପୁର ନୂଆ ରେଳ ଲାଇନ, ଜାତୀୟ ରାଜପଥର ଦ୍ରୁତ ନିର୍ମାଣ କରାଇବାରେ ଏହି କାରଖାନା ସହାୟକ ହେବ।

The post କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଇସ୍ପାତ୍‌ କାରଖାନା ଓଡ଼ିଶା ପାଇଁ ନୂଆ ଉନ୍ମାଦନା ଆଣିବ: ଧର୍ମେନ୍ଦ୍ର first appeared on Sambad.



from ରାଜ୍ୟ – Sambad https://ift.tt/3efhSVw

Post a Comment

0 Comments