
ଭୁବନେଶ୍ବର : ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଗୃହ ଭିତରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଜେଡି ଆଜି ଆହୁରି କଠୋର ହୋଇଛି। ଶ୍ରୀ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଗୃହ ଭିତରେ ଦଳ ପକ୍ଷରୁ ଲଗାତାର ହଟ୍ଟଗୋଳ କରାଯାଉଥିଲା। ବୁଧବାର ଦିନ ବିଜେଡି ବିଧାୟକମାନେ ମିଳିତ ଭାବେ ବିଧାନସଭାରୁ ଚାଲି ଚାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ଶାସକ ଦଳର ବିଧାୟକମାନେ ଲେଖିଛନ୍ତି ଯେ ଶ୍ରୀ ପାଣିଗ୍ରାହୀ ଗୃହ ଭିତରେ ଆତ୍ମହତ୍ୟା ଉଦ୍ୟମ କରିବା ଅପରାଧ ଅଟେ। ସେ ଅତ୍ୟନ୍ତ ଲଜ୍ଜାଜନକ, ଶସ୍ତା ଓ ଅନୈତିକ କାମ କରିଛନ୍ତି। ଓଡ଼ିଶା ସମେତ ସାରା ଦେଶ ଚାଷ ଓ ଚାଷୀଙ୍କ ପାଇଁ କାମ କରୁଛି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଲୋକଙ୍କ ସମସ୍ୟା ଉଠାଇ ତାହାର ଆଲୋଚନା କରିବାକୁ ବିଧାନସଭା ହେଉଛି ପ୍ରକୃଷ୍ଟ ସ୍ଥାନ। କିନ୍ତୁ ଆତ୍ମହତ୍ୟା ଉଦ୍ୟମ ଭଳି ଭୀରୁ କାମ କରିବା ଦ୍ବାରା ଲୋକଙ୍କୁ ନକାରାତ୍ମକ ବାର୍ତ୍ତା ଯାଉଛି। ଏହାଦ୍ବାରା ଓଡ଼ିଶା ବିଧାନସଭାର ଗରିମା କ୍ଷୁଣ୍ଣ ହୋଇଛି।

ବିଜେଡି ଆହୁରି କହିଛି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପୂର୍ବ ଏସିଆ, ଭାରତ ଓ ଚୀନ୍ରେ ଆତ୍ମହତ୍ୟା ହାର ଅଧିକ। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଦେଶରେ ଯେଉଁ ପଦକ୍ଷେପ ନିଆଯାଉଛି, ସେଥିରେ ଆତ୍ମହତ୍ୟାରୁ ନିବୃତ୍ତ କରାଇବା ଏକ ପ୍ରମୁଖ ଦିଗ। ବିଜେପି ଦ୍ବାରା ପରିଚାଳିତ କେନ୍ଦ୍ର ସରକାର ମଧ୍ୟ ଏହାକୁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ବିଜେପିର ରାଜ୍ୟ ଶାଖା ବିଧାୟକଙ୍କର ଏପରି କାର୍ଯ୍ୟକୁ ସମର୍ଥନ କରୁଛନ୍ତି। କେବଳ ସେତିକି ନୁହେଁ, ଜଣେ ବ୍ୟକ୍ତି ଭାବେ ଶ୍ରୀ ପାଣିଗ୍ରାହୀ ତାଙ୍କ ମାନସିକ ଭାରସାମ୍ୟ ହରାଇ ଥାଇପାରନ୍ତି, ଯେଉଁଥି ପାଇଁ ସେ ଏପରି ଲଜ୍ଜାଜନକ କାମ କଲେ। କିନ୍ତୁ ତାଙ୍କୁ କାଉନ୍ସେଲିଂ କରିବା, ଚିକିତ୍ସା କରିବା, ତାଙ୍କ ଭୁଲ୍ ସମ୍ପର୍କରେ ଅନୁତାପ କରି କ୍ଷମା ମାଗିବା ପାଇଁ ଚେତାଇଦେବା ହେଉଛି ବିଜେପିର ଦାୟିତ୍ବ। ଲୋକଙ୍କ ଭାବପ୍ରବଣତା ଓ ଜୀବନକୁ ନେଇ କେହି ରାଜନୀତି କରିବା ଉଚିତ ନୁହେଁ। ମାନବିକତାକୁ ପ୍ରତିହତ କରୁଥିବା ଯେକୌଣସି କାର୍ଯ୍ୟକୁ ମନୁଷ୍ୟ ସମାଜରେ ନିନ୍ଦା କରିବାର ଆବଶ୍ୟକତା ରହିଛି। ଶ୍ରୀ ପାଣିଗ୍ରାହୀଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ଭବିଷ୍ୟତରେ ଦାୟିତ୍ବବାନ ହୋଇ କାମ କରିବାକୁ ପରାମର୍ଶ ଦେବା ପାଇଁ ବିଜେଡି ରାଜ୍ୟପାଳଙ୍କୁ ଅନୁରୋଧ କରିଛି।
The post ରାଜଭବନ ଗଲେ ବିଜେଡି ବିଧାୟକ, ସୁବାସଙ୍କ ସଂପର୍କରେ ରାଜ୍ୟପାଳଙ୍କୁ ଜଣାଇଲା ବିଜେଡି first appeared on Sambad.from ରାଜ୍ୟ | Sambad https://ift.tt/30ROvjU
0 Comments