ଓଡ଼ିଶାରେ ନଷ୍ଟ ହେଉଛି ୧.୪% କରୋନା ଟିକା

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି। ହେଲେ ଲୋକମାନଙ୍କୁ ଯେତିକି ପରିମାଣର ଟିକା ଦିଆଯାଉଛି ତାହାର ମାତ୍ର ୧.୪ ପ୍ରତିଶତ ଟିକା ନଷ୍ଟ ହେଉଛି। ଯାହାକି ଦେଶରେ ସର୍ବନିମ୍ନ। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଜାତୀୟ ହାରଠାରୁ ଅଧିକ ମାତ୍ରାରେ ଟିକା ନଷ୍ଟ ହେଉଥିବା ନଜରକୁ ଆସିଛି। ଜାତୀୟସ୍ତରରେ ୬.୫ ପ୍ରତିଶତ ଟିକା ନଷ୍ଟ ହେଉଛି।

ରାଜ୍ୟରେ ଏବେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୪୫-୫୯ବର୍ଷର ଜଟିଳ ରୋଗ ଥିବା ବ୍ୟକ୍ତି ଓ ୬୦ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ କରାଯାଉଛି। ଏ ପର୍ଯ୍ୟନ୍ତ ୧୪ଲକ୍ଷ ୭୧ହଜାର ୩୦୮ଜଣ ବ୍ୟକ୍ତି ଟିକା ନେଇ ସାରିଲେଣି। ହେଲେ ଟିକା ପ୍ରଦାନରେ ଓଡ଼ିଶାରେ ଯେଉଁ ପଦ୍ଧତି ଗ୍ରହଣ କରାଯାଇଛି ତାହା ଯୋଗୁଁ କମ୍ ମାତ୍ରାରେ ଟିକା ନଷ୍ଟ ହେଉଛି। ୧.୪ ପ୍ରତିଶତ ହାରରେ ଏ ପର୍ଯ୍ୟନ୍ତ ପ୍ରାୟ ୧୯ହଜାର ଡୋଜ୍‌ ଟିକା ଓଡ଼ିଶାରେ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। କୋଭାକ୍ସିନ୍ କ୍ଷେତ୍ରରେ ଏହା ୧.୨ ପ୍ରତିଶତ ରହିଥିବା ସୂଚନା ମିଳିଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, କରୋନା ଟିକା ପ୍ରାୟତଃ ୧୦ କିମ୍ବା ୨୦ଡୋଜ୍ ଥିବା ଭାଏଲରେ ଆସୁଛି। ରାଜ୍ୟକୁ ଯେତିକି ସଂଖ୍ୟକ ଟିକା ଆସିଛି ତାହାର ୧୦ ପ୍ରତିଶତ ପର୍ଯ୍ୟନ୍ତ ନଷ୍ଟକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ହେଲେ ରାଜ୍ୟରେ ଟିକାକରଣ ଉପଯୁକ୍ତ ପରିଚାଳନା ପାଇଁ ଜାତୀୟ ହାରଠାରୁ କମ୍ ମାତ୍ରାରେ ଟିକା ନଷ୍ଟ ହୋଇଛି। ନିର୍ଦ୍ଦିଷ୍ଟ ପରିମାଣର ଟିକା ଭାଏଲରୁ କାଢ଼ିବା, ଥ‌ରେ ଯେଉଁ ଭାଏଲ ଖୋଲାଯିବ ତାହାକୁ ୪ଘଣ୍ଟା ଭିତରେ ଶେଷ କରିବାର ନିୟମ ରହିଛି। ତେଣୁ ନଷ୍ଟର ମାତ୍ରା କମାଇବା ଲାଗି କମ୍ ସଂଖ୍ୟାରେ ଆସୁଥିବା ଲୋକଙ୍କୁ କିଛି ସମୟ ଅପେକ୍ଷା କରିବା ପାଇଁ ବୁଝାଇବା ଓ ଟିକାକରଣ ଅଧିବେଶନର ଶେଷ ସମୟରେ ଆସୁଥିବା ଲୋକମାନଙ୍କୁ ପରଦିନ ଆସିବା ପାଇଁ ନିବେଦନ କରାଯିବା ଭଳି ପଦକ୍ଷେପ ଯୋଗୁଁ ଓଡ଼ିଶା ଏହି ସଫଳତା ହାସଲ କରିଛି। ଦେଶର ଅନ୍ୟ ରାଜ୍ୟମାନେ ଓଡ଼ିଶାରେ ଟିକାକରଣ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ତାହାକୁ ଅନୁକରଣ କରୁଛନ୍ତି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

The post ଓଡ଼ିଶାରେ ନଷ୍ଟ ହେଉଛି ୧.୪% କରୋନା ଟିକା first appeared on Sambad.

from ରାଜ୍ୟ | Sambad https://ift.tt/3lrlLIh

Post a Comment

0 Comments