
ପ୍ରତି ବର୍ଷ ବିଜୁ ବାବୁଙ୍କ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ ହେବ
ଦେଶର ଜଣେ ଦକ୍ଷ ପାଇଲଟ୍କୁ ସମ୍ମାନିତ କରିବ ସଂସ୍ଥା
ଭୁବନେଶ୍ବର :ବିଜୁ ବାବୁଙ୍କର ବ୍ୟକ୍ତିତ୍ବର ସବୁଠାରୁ ବଳିଷ୍ଠ ଦିଗ ହେଉଛି ତାଙ୍କ ସାହସିକତା। ସେ ରାଜନୀତି ହେଉ, ବା ବିମାନ ଚାଳନା; ସବୁ କ୍ଷେତ୍ରରେ ତାଙ୍କର ଅସୀମ ସାହସ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥାଏ। ଜଣେ ଦୁର୍ଦ୍ଦଶ ପାଇଲଟ ଭାବରେ ବିଜୁ ବାବୁ ଦେଶ ବିଦେଶରେ ସୁପରିଚିତ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମ, ଜମ୍ମୁ କଶ୍ମୀରରେ ପାକିସ୍ତାନୀ ସୈନ୍ୟଙ୍କ ଆକ୍ରମଣ ସବୁ କ୍ଷେତ୍ରରେ ସେ ତାଙ୍କର ଅସାମାନ୍ୟ ଦକ୍ଷତା ଓ ଅସୀମ ସାହସର ପରିଚୟ ଦେଇଯାଇଛନ୍ତି।
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ରଖିଛନ୍ତି। ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବ। କ୍ଲବର ସଭାପତି ଡ. ବିବିଏଲ୍ ମଧୁକର ଏହା ଘୋଷଣା କରିଛନ୍ତି।

ଆୟୋଜିତ ସମାରୋହରେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଦିଲ୍ଲୀ ଫ୍ଲାଇଙ୍କ କ୍ଲବରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହାସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା କରୁଛି। ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁ ବିଜୁ ବାବୁ ୧୯୩୦ ଦଶକ ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା। ଇଗଲ୍ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା ଥିଲା। ଆଉ ତାଙ୍କର ସେହି ସ୍ବପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ। ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। କେବଳ ଭାରତ ନୁହେଁ, ଇଣ୍ଡୋନେସିଆ ଓ ରୁଷିଆର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ ଅଲ୍ଲୀଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିସ କର୍ତ୍ତୃପକ୍ଷଙ୍କ ନଜରରୁ ବଞ୍ଚାଇଥିଲେ। ଏଥିପାଇଁ ସେ ବ୍ରିଟିସ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଜେଲ୍ ମଧ୍ୟ ଯାଇଥିଲେ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ବବିଦିତ। ଏହାସହିତ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ସେ ରୁଷିଆର ରେଡ୍ ଆର୍ମିକୁ ମଧ୍ୟ ସହାୟତା ଦେଇଥିଲେ ବୋଲି ନବୀନ କହିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଆହୁରି କହିଥିଲେ ଯେ ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସବୁ ସମୟରେ ମନେ ରଖିବେ। ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ଡ. ମଧୁକରଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ। ସେ ଆମକୁ ଯେ କୌଣସି ପରିସ୍ଥିତି ହେଉ ପଛେ, ଗରିବ ଓ ଦୁର୍ବଳ ଲୋକକୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ପ୍ରେରଣା ଦେଉଥିଲେ। ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଏବଂ କଳିଙ୍ଗର ଗୌରବକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଜାରି ରହିବ।
ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ଡ. ସସ୍ମିତ ପାତ୍ର ମଧ୍ୟ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବର ସଭାପତି ଡ. ମଧୁକର ଏବଂ ସଂପାଦକ ଅମିତ ଶର୍ମା ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ।
The post ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ first appeared on Sambad.
from ରାଜ୍ୟ – Sambad https://ift.tt/3cxM7V7
0 Comments