‘କୃଷି ଓଡ଼ିଶା-୨୦୨୧’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ଚାକିରି ଛାଡ଼଼ି ଯୁବକମାନେ ଚାଷକୁ ଫେରିବା ଖୁସିର ଖବର

ମାଛଚାଷରେ କଳାହାଣ୍ଡି ଚାଷୀ ସମଗ୍ର ଦେଶରେ ପ୍ରଥମ
ମିଲେଟ୍‌ ମିସନରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶା
କୃଷି ଯୋଜନାର ସଫଳତା ବଖାଣିଲେ ମନ୍ତ୍ରୀ

ଭୁବନେଶ୍ବର : ଲାଭଜନକ ଚାକିରି ଛାଡ଼ି ଯୁବକମାନେ ଚାଷକୁ ଫେରିବା ଖୁସିର ଖବର। ବିଶେଷକରି ଉଦ୍ୟାନକୃଷି ପାଇଁ ସେମାନଙ୍କ ଭିତରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି। ‘ମିଲେଟ୍‌ ମିସନ’ରେ ଓଡ଼ିଶା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ମାଛଚାଷରେ କଳାହାଣ୍ଡି ଚାଷୀ ଦେଶରେ ପ୍ରଥମ ହୋଇପାରିଛି। କରୋନା ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା। କିନ୍ତୁ ସଂଜୀବନୀ ଭଳି କାର୍ଯ୍ୟ କରିଛନ୍ତି କୃଷି ଏବଂ କୃଷକ। ଏବେ କୃଷିକ୍ଷେତ୍ରରେ ନୂତନ ପ୍ରଯୁକ୍ତି ଗ୍ରହଣ ପାଇଁ ଚାଷୀମାନେ ଆଗେଇ ଆସିବା ଉଚିତ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ‘ଫିକି’ ସହଯୋଗରେ ଆଜି ଭୁବନେଶ୍ବର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା ୨୦୨୧’ର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭର୍ଚୁଆଲ ମାଧ୍ୟମରେ ଉଦ୍‌‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ‘କୃଷି ଓଡ଼ିଶା’ ସଫଳ ଚାଷୀଙ୍କ ସମାବେଶ। ଏହି କାର୍ଯ୍ୟକ୍ରମ ଚାଷୀଙ୍କ ଦକ୍ଷତାକୁ ସୁଯୋଗ ଦେଉଛି। ବର୍ତ୍ତମାନ ସ୍ଥିତିରେ ଚାଷୀ ଯେଉଁଭଳି ଭାବରେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ସହିତ ଠିକ୍‌ ସମୟରେ ସାର, ବିହନ, କୀଟନାଶକ ପାଇବ ଏହାକୁ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଋଣ ଆକାରରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୃଷି, ମତ୍ସ୍ୟ ଏବଂ ପଶୁସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଲେ ଯେ ରାଜ୍ୟରେ ଶହେ ବର୍ଷ ମଧ୍ୟରେ ୧୩୬ ଥର ଏବଂ ଗତ ୨୦ ବର୍ଷ ମଧ୍ୟରେ ୩୩ ଥର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କୃଷି ଉତ୍ପାଦନର ବିଭିନ୍ନ କ୍ଷେତ୍ରରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟରେ ପରିଣତ ହୋଇ ସାରିଛି। ଧାନ ଚାଷରେ ରୋଜଗାର ନାହିଁ। ତେଣୁ ଉଦ୍ୟାନକୃଷି, ମତ୍ସ୍ୟଚାଷ ଭଳି କ୍ଷେତ୍ରକୁ ଗୁରୁତ୍ବ ଦେବା ପାଇଁ ସେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ।

‘ଫିକି’ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦିଲ୍ଲୀପ ଚିନୟ କହିଲେ ଯେ କୃଷି କ୍ଷେତ୍ରରେ ଓଡ଼ିଶାର ସଫଳତା ଉଲ୍ଲଖନୀୟ। ଦେଶରେ କୃଷି ଅଭିବୃଦ୍ଧି ୩.୪ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଅଭିବୃଦ୍ଧି ହାର ୮.୪ ପ୍ରତିଶତରେ ପହଞ୍ଚିଛି। ବଜାର ସଂଯୋଗୀକରଣ, ପ୍ରଯୁକ୍ତିକୁ ଗୁରୁତ୍ବ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଉନ୍ନୟନ କମିସନର ପ୍ରଦୀପ ଜେନା କହିଲେ ଯେ ୨୦୫୦ ସୁଦ୍ଧା ରାଜ୍ୟର ଖାଦ୍ୟ ଉତ୍ପାଦନ ୨ ଗୁଣ ବଢାଇବାକୁ ପଡ଼ିବ। ଅନ୍ୟ ଦିଗରେ ବର୍ତ୍ତମାନ ଯେଉଁଭଳି ଜମି ସଙ୍କୁଚିତ ହେଉଛି କମ୍‌ ଚାଷ ଜମିରେ ଅଧିକ ଉତ୍ପାଦନ କିଭଳି କରାଯାଇପାରିବ ତାହା ଏକ ଚ୍ୟାଲେଞ୍ଜ ଅଟେ। କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା ପାରମ୍ପରିକ କୃଷିକୁ ଗୁରୁତ୍ବ ଦେଇଥିଲେ। କୃଷି ଉତ୍ପାଦନରେ ୨୦୦୮ ମସିହାରୁ ଓଡ଼ିଶା ସଫଳତା ହାସଲ କରୁଛି ବୋଲି କହିଥିଲେ।

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ ପୋଖରୀ ଖନନ ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସଚିବ ଆର.ରଘୁ ପ୍ରସାଦ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅନଗୁଳର ଅଭୟ ସାହୁ, ବରଗଡ଼ର ବଳରାମ ଗଡ଼ତିଆ, ବାଲେଶ୍ବରର ଗଦାଧର ସେଠୀ, ଜଗତସିଂହପୁରର ଅଲେଖ ସେଠୀ, ବଲାଙ୍ଗୀରର ଯଦୁମଣି ଭୋଇ, ଭଦ୍ରକର ଡମରୁଧର ବେହେରା, ଦେବଗଡ଼ର ହୃଦାନନ୍ଦ ସାହୁ, ଗଞ୍ଜାମର କେ.ନରସିଂହ ପାତ୍ର, ଯାଜପୁରର କାର୍ତ୍ତିକ ମାହାଳି, କନ୍ଧମାଳର ଇନ୍ଦିରା ସାହୁ, କୋରାପୁଟର ହିମିରିକା ସିକାନା, ସମ୍ବଲପୁରର ସଦାନନ୍ଦ ପଟେଲ ସମେତ ବିଭିନ୍ନ ଜିଲ୍ଲାର ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ‘କୃଷି ଓଡ଼ିଶା’ରେ ୧୬୦ ମଣ୍ଡପ ପ୍ରଦର୍ଶିତ ହୋଇଥିବା ବେଳେ ପାଳଛତୁ ଥିଲା ଚଳିତ ବର୍ଷର ମାସ୍କଟ।

The post ‘କୃଷି ଓଡ଼ିଶା-୨୦୨୧’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ଚାକିରି ଛାଡ଼଼ି ଯୁବକମାନେ ଚାଷକୁ ଫେରିବା ଖୁସିର ଖବର first appeared on Sambad.



from ରାଜ୍ୟ – Sambad https://ift.tt/3tnVTQl

Post a Comment

0 Comments