ବିଧାନସଭାରେ ପୁଣି ଉଠିଲା ଧାନଉଠା ପ୍ରସଙ୍ଗ: ବିରୋଧୀ କହିଲେ, ‘ସବୁ ଧାନ ଉଠାଇବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ’

ଭୁବନେଶ୍ବର: ଆଜି ବିଧାନସଭାରେ ପୁଣି ଉଠିଛି ଧାନଉଠା ପ୍ରସଙ୍ଗ। ରାଜ୍ୟରେ ଧାନକିଣା ପ୍ରସଙ୍ଗରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ‘ଗତ ଥର ବିଧାନସଭା ଧାନମଣ୍ଡି ସମସ୍ୟାକୁ ନେଇ ଅଚଳ ହୋଇଥିଲା। ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ଯେ ପ୍ରକୃତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣାଯିବ। ଦଲାଲମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯିବ। ମାତ୍ର ଦୁର୍ଭାଗ୍ୟଜନକ କଥା ମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ମଣ୍ଡିରୁ ଧାନ ଉଠିଲା ନାହିଁ। ଚାଷୀ ଯିବେ ଏବେ କୁଆଡେ । ଚାଷୀମାନେ ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହେଲାଣି। ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି ଓ ବିଶ୍ୱାସଘାତକତା କରିଛନ୍ତି। ଏହାଫଳରେ ରାଜ୍ୟବାସୀଙ୍କ ବିଧାନସଭା ପ୍ରତି ବିଶ୍ଵାସ ହଟିଯିବ। ବାଚସ୍ପତି ମହୋଦୟ ଆପଣଙ୍କର ବି ଦାୟିତ୍ୱ ଅଛି, ଆପଣ କିଛି କରନ୍ତୁ। ଯଦି ରାଜ୍ୟ ସରକାର ତାଙ୍କ କଥା ନ ରଖିବେ ତେବେ ଗୃହ ଚାଲିବ କାହିଁକି। ଟୋକନ ରିଇସ୍ୟୁ କରାଯାଉ। ସରକାର ସମସ୍ତ ଧାନ ନ କିଣିବା ଯାଏ ଗୃହ ଚାଲିବା ଉଚିତ ନୁହେଁ। ଏହା ଗଣତନ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ।’

ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରକହିଛନ୍ତି, ‘ଆମେ ଆଲୋଚନା କରିବା ପରେ ଯଦି କାର୍ଯ୍ୟ କରି ନ ହେଉଛି ତେବେ ଗୃହ ଚାଲିବ କାହିଁକି। ସରକାର ଗୃହର ଗାରିମା ଭାଙ୍ଗିଛନ୍ତି। ବାଚସ୍ପତି ମହୋଦୟ ଆପଣ ଯେଉଁ ନିର୍ଦେଶ ଦେଇଛନ୍ତି, ଗୃହ ଯେଉଁ ନିଷ୍ପତ୍ତି ନେଇଛି ତାହା ଯଦି କାର୍ଯ୍ୟକାରୀ ହୋଇପାରୁନି, ତେବେ ଲୋକଙ୍କ ବିଶ୍ୱାସ କେମିତି ରହିବ। ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିଛି ଗାଈଗୋରୁ ଖାଉଛନ୍ତି, ଆମକୁ ଲୋକେ ପଚାରୁଛନ୍ତି। ତେଣୁ ଆମେ ଦାବି କରୁଛୁ, ସରକାର ତୁରନ୍ତ ଧାନ ଉଠାନ୍ତୁ ।

ଠିକ୍ ସେହିପରି ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ ପ୍ରକାଶ କରି କହିଛନ୍ତି, ‘ ଯେ ପର୍ଯ୍ୟନ୍ତ ଧାନ ଉଠୁନି, ସେ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ଆମେ ଦେବୁନି। ବିଜେଡି ନେତା କହି ପାରୁନାହାନ୍ତି ଆମ ଦ୍ୱାରା କୁହାଉଛନ୍ତି। ସମସ୍ତଙ୍କ ଆତ୍ମା କାନ୍ଦୁଛି। ଶାସକ ଦଳର ନେତାମାନେ ଲବିରେ କହିଲେ, ଭଲ କରିଛ ଧାନ ପ୍ରସଙ୍ଗ ଉଠାଇଛ। ନବୀନ ପଟ୍ଟନାୟକ କୌଣସି ନେତାଙ୍କୁ ଅଧିକାର ଦେଇନାହାନ୍ତି ଗୃହରେ ନିଜ ସମସ୍ୟା କହିବା ଲାଗି। ହାତ ଯୋଡ଼ି କହୁଛି, ସବୁ ଧାନ ଉଠାଇବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ।’

The post ବିଧାନସଭାରେ ପୁଣି ଉଠିଲା ଧାନଉଠା ପ୍ରସଙ୍ଗ: ବିରୋଧୀ କହିଲେ, ‘ସବୁ ଧାନ ଉଠାଇବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ’ first appeared on Sambad.



from ରାଜ୍ୟ – Sambad https://ift.tt/3qImllY

Post a Comment

0 Comments