ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ପୁରୀ/କୋଣାର୍କ : କାରୁକାର୍ଯ୍ୟପୂର୍ଣ୍ଣ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖି ବିଭୋର ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ସହ ସପରିବାର ଫଟୋ ବି ଉଠାଇଛନ୍ତି। ସୂର୍ଯ୍ୟ ମନ୍ଦିର ସମେତ ମନ୍ଦିର ଗାତ୍ରରେ ଥିବା କାରିଗରୀକୁ ଖୁବ୍‌ ପ୍ରଶଂସା କରିଛନ୍ତି।

ସୋମବାର ପୂର୍ବାହ୍ଣ ୧୧ଟା୍ରେ ଚନ୍ଦ୍ରଭାଗା ହେଲିପ୍ୟାଡ୍‌ରେ ‌ଓହ୍ଲାଇବା ପରେ ପତ୍ନୀ ସବିତା କୋବିନ୍ଦ ଓ ଝିଅ ସମେତ ରାଜ୍ୟପାଳ ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ ମନ୍ଦିର ଯାଇଥିଲେ। ପ୍ରସ୍ତୁତ ହୋଇ ରହିଥିବା ଓଡ଼ିଶା ପର୍ଯ୍ୟଟନର ୩ଟି ବ୍ୟାଟେରି ଚାଳିତ ଗାଡ଼ିରେ ଭ୍ରମଣ କରିଥିଲେ। ମନ୍ଦିର ଚତୁଃପାର୍ଶ୍ବ ବୁଲିବା ସମୟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ଏହି କୀର୍ତ୍ତିରାଜି ସମ୍ବନ୍ଧରେ ବୁଝାଇଥିଲେ।

ସେ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ(ଆଇଓଏଫ୍‌) ଦ୍ବାରା ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ କୋଣାର୍କ ସୂର୍ଯ୍ୟମନ୍ଦିର ସଂକ୍ରାନ୍ତ ଭିଡିଓ ଦେଖିବା ସହ ହଲ୍‌ ମଧ୍ୟରେ କୋଣାର୍କ ସମ୍ପର୍କିତ ଇତିହାସର କ୍ରମ ବିକାଶ ଦେଖିଥିଲେ। ସେଠାରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇବା ପରେ ୧୨ଟା ୪୫ରେ ଯାତ୍ରୀ ନିବାସରେ ପହଞ୍ଚି ଭୋଜନ କରିଥିଲେ। ୪ଟା ୧୬ ମିନିଟ୍‌ରେ ସେ ହେଲିକପ୍ଟରରେ ଭୁବନେଶ୍ବର ଫେରିଥିଲେ। ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ହେଲିପ୍ୟାଡ୍‌ରୁ ଆଇବି ଛକ, ରିଙ୍ଗରୋଡ୍‌ରୁ ଯାତ୍ରୀ ନିବାସ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା। ସୁରକ୍ଷା ପାଇଁ ୨୫୦ ଜଣ ଅଧିକାରୀଙ୍କ ସମେତ ୩୫ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ ହୋଇଥିଲେ।

The post ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟକୁ ରାଷ୍ଟ୍ରପତିଙ୍କ ପ୍ରଶଂସା first appeared on Sambad.

from ରାଜ୍ୟ | Sambad https://ift.tt/2Pn21da

Post a Comment

0 Comments