ଗର୍ଭଗୃହରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସପରିବାର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରତ୍ନସିଂହାସନ ନିକଟରେ ମୁଣ୍ଡ ନୁଆଁଇ ଯୋଡ଼ ହସ୍ତରେ ପ୍ରଣାମ ଜଣାଇବା ସହ ଦେଶବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଶ୍ଲୋକ ପାଠ(ନୀଳାଚଳ ନିବାସାୟ…) କରି ମହାପ୍ରଭୁଙ୍କ ଆଗରେ ମନ କଥା ଜଣାଇଥିଲେ ରାଷ୍ଟ୍ରପତି। ପ୍ରଣାମ ଜଣାଇ ଗର୍ଭଗୃହରୁ ବାହାରି ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ବିକାଶ ପାଇଁ ଆଜି ଏକ ଲକ୍ଷ ଟଙ୍କା ଦାନ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଥିଲେ ଧର୍ମପତ୍ନୀ ସବିତା କୋବିନ୍ଦ, ଝିଅ ସ୍ବାତୀ କୋବିନ୍ଦ। ଆଜି ସକାଳ ପୁରୀ ହେଲିପ୍ୟାଡ୍‌ରେ ଅବତରଣ ପରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ ପ୍ରମୁଖ ସ୍ବାଗତ ଜଣାଇଥିଲେ। ଶ୍ରୀମନ୍ଦିରଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ଡା. କ୍ରିଷନ୍‌ କୁମାର ସ୍ବାଗତ ଜଣାଇବା ସହ ଶ୍ରୀମନ୍ଦିରକୁ ପା‌ଛୋଟି ନେଇଥିଲେ। ଗଜପତି ମହାରାଜଙ୍କ ସହ ସିଂହଦ୍ବାରରେ କିଛି ସମୟ ଆଲୋଚନା ପରେ ରାଷ୍ଟ୍ରପତି ସପରିବାର ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ବାଇଶିପାହାଚ, ସାତପାହାଚ ଦେଇ ଶ୍ରୀମନ୍ଦିର ଯିବା ପରେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଉପସ୍ଥିତ କୌଳିକପଣ୍ଡା ନାରାୟଣ ଗୋଚ୍ଛିକାର, ଭଗବାନ ଗୋଚ୍ଛିକାର, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ତଥା ସେବାୟତ ଗୌରହରି ପ୍ରଧାନ, ପାଳିଆ ସେବକମାନେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ନୀତିକାନ୍ତି ସଂପର୍କରେ ବୁଝାଇଥିଲେ। ଏହି ଅବସରରେ କୌଳିକପଣ୍ଡା ସହ ଶ୍ଳୋକ ପାଠ କରିଥିଲେ ରାଷ୍ଟ୍ରପତି। କିଛି ସମୟ ଗର୍ଭଗୃହରେ ରହି ଶ୍ରୀଜିଉଙ୍କ ଦର୍ଶନ ପରେ ବେହେରଣ ଦ୍ବାର ଦେଇ ମୁକ୍ତିମଣ୍ଡପ ନିକଟକୁ ଯାଇଥିଲେ।

ସେଠାରୁ ମା’ ବିମଳାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ସପରିବାର ଦର୍ଶନ କରିଥିଲେ। ଫେରିବାବେଳେ ମହାଲକ୍ଷ୍ମୀଙ୍କ ମନ୍ଦିର ପାହାଚରେ ବସିଥିଲେ ରାଷ୍ଟ୍ରପତି। ପରେ ଶ୍ରୀମନ୍ଦିର ଭିତର କାର୍ଯ୍ୟାଳୟକୁ ଯାଇ ହୁଣ୍ଡିରେ ଏକ ଖାମରେ କିଛି ଦାନ ଅର୍ଥ ବି ପକାଇଥିଲେ। ପରେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।

 

The post ଗର୍ଭଗୃହରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି first appeared on Sambad.

from ରାଜ୍ୟ | Sambad https://ift.tt/2OZjQPl

Post a Comment

0 Comments