ସୁରତରେ କର୍ଫ୍ୟୁ ବଢ଼ିଲା, ଗଞ୍ଜାମରେ ଚିନ୍ତା

ବ୍ରହ୍ମପୁର : ଗୁଜରାଟରେ ସୁରତରେ ମାଡ଼ି ଚାଲିଛି କରୋନା। ସ୍ଥିତି ସଙ୍ଗିନ ହେବାରୁ ଗୁରୁବାର ଠାରୁ ରାତ୍ରୀ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ଏହା ଜଣାପଡ଼ିବା ପରେ ଗଞ୍ଜାମବାସୀଙ୍କ ମଧ୍ୟ ଚିନ୍ତା ବଢ଼ିଯାଇଛି।

ଗତ ୨୪ ଘଣ୍ଟାରେ କେବଳ ସୁରତ ମହାନଗରରେ ୩୨୪ ଏବଂ ପାର୍ଶ୍ବବର୍ତ୍ତୀ ଇଲାକାରେ ୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁରତ୍‌ ଜିଲ୍ଲାରେ ସମୁଦାୟ ୩୯୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଗୁଜରାଟ ଆଜି ୧୨୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁରତ ଜିଲ୍ଲାରେ ଆଜି ସୁଦ୍ଧା ସମୁଦାୟ ୫୭,୧୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪ହଜାର ୩୧୪ ସୁସ୍ଥ ହୋଇଛନ୍ତି, ୧୧୪୨ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ସୁରତ ସହରରେ ୮୫୫ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁରତ ଜିଲ୍ଲା‌ରେ ୧୬୮୦ ସକ୍ରିୟ ମାମଲା ଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଗତକାଲି ରାତ୍ରୀ କର୍ଫ୍ୟୁ ଅବଧି ବଢ଼ାଇ ୧୦ଟା ଠାରୁ ସକାଳ ୬ଟା ଯାଏ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଆଜି ପୁଣି ଅବଧି ବଢ଼ାଯାଇଛି। ଆସନ୍ତା କାଲି ଠାରୁ ରାତି ୯ଟାରୁ ସକାଳ ୬ଟା ଯାଏ ରାତ୍ରୀ କର୍ଫ୍ୟୁ ଜାରି ହୋଇଛି। ସୁରତରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇ ଚାଲିଥିବା ବେଳେ ଲକ୍‌ଡାଉନ୍‌ ଆଉ ବେଶି ଦିନ ନୁହଁ ବୋଲି ଆଶଙ୍କା ବଢ଼ିଛି।

ସୁରତରେ କରୋନା ‌ସଂକ୍ରମଣ ଯେତିକି ବଢୁଛି, ଓଡ଼ିଶା ପ୍ରତି ସେତିକି ବିପଦ ଘନେଇ ଆସୁଛି। ଏଭଳି ସ୍ଥିତିରେ ଓଡ଼ିଶାକୁ ଗୁଜରାଟ ଓ ସୁରତରୁ ଆସୁଥିବା ଟ୍ରେନ୍‌ ଚଳାଚଳରେ ରୋକ୍‌ ଲଗାଯିବା ଜରୁରୀ ହୋଇପଡ଼ିଛି। ସୁରତରୁ ଯଦି ପ୍ରବାସୀ ପୁଣି ଗଞ୍ଜାମ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଫେରନ୍ତି, ସ୍ଥିତି ପୁଣି ଅସମ୍ଭାଳ ହେବା ଆଶଙ୍କା ଦେଖା‌ଦେଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବି କରୋନା କାୟା ବିସ୍ତାର ହେଉଛି। ମହାରାଷ୍ଟ୍ର ଓ ଗୁଜୁରାଟକୁ ନଜରରେ ରଖି ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ସୁରତ ଓ ମହରାଷ୍ଟ୍ରରେ ଫେରୁଥିବା ଲୋକଙ୍କ ଷ୍ଟେସନ୍‌ରେ ସ୍କ୍ରିନିଂ ସହିତ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି।

The post ସୁରତରେ କର୍ଫ୍ୟୁ ବଢ଼ିଲା, ଗଞ୍ଜାମରେ ଚିନ୍ତା first appeared on Sambad.

from ରାଜ୍ୟ | Sambad https://ift.tt/38Xf5N7

Post a Comment

0 Comments