ଥମୁନି ଜଙ୍ଗଲ ନିଆଁ : ରାଜ୍ୟର ୮୩୫ଟି ସ୍ଥାନରେ ଏବେବି ଜଳୁଛି ଜଙ୍ଗଲ

ଭୁବନେଶ୍ବର : ଥମୁନି ଜଙ୍ଗଲ ନିଆଁ। ଆଜି ବି ରାଜ୍ୟର ୮୩୫ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ସାଟେଲାଇଟ୍‌ରୁ ତଥ୍ୟ ମିଳିଛି। ତେବେ କିଛି ଦୂର ବ୍ୟବଧାନରେ ଥିବା ଛୋଟ ଛୋଟ ନିଆଁକୁ ମିଶାଇ ରାଜ୍ୟର ୧୨୦୩ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୮୮ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ବ୍ରହ୍ମପୁର ସର୍କଲ ଏବେ ସବୁଠାରୁ ଅଧିକ ସମ୍ବେଦନଶୀଳ ହେବାରେ ଲାଗିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ତଥ୍ୟ କହୁଛି ଆଜି ଅପରାହ୍‌ଣରେ ବ୍ରହ୍ମପୁର ସର୍କଲର ୫୨୫ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ଅନୁଗୁଳ ସର୍କଲରେ ୧୫୬, ବାରିପଦା ସର୍କଲରେ ୮୭, ଭବାନୀପାଟଣା ୧୬୩, ଭୁବନେଶ୍ବର ସର୍କଲରେ ୧୧, କୋରାପୁଟ ସର୍କଲରେ ୪୩, ରାଉରକେଲା ସର୍କଲରେ ୧୦୭, ସମ୍ବଲପୁର ସର୍କଲରେ ୧୧୧ଟି ସ୍ଥାନରେ ଜଙ୍ଗଲ ଜଳୁଛି।

ଅନ୍ୟପକ୍ଷରେ ଫରେଷ୍ଟ ଫାୟାର ଟାସ୍କଫୋର୍ସ ତଥ୍ୟ ଅନୁଯାୟୀ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ପରିସ୍ଥିତିକୁ ପ୍ରଶମିତ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ବନାଗ୍ନି ସ୍ଥିତି ଆୟତ୍ତାଧୀନ ରହିଛି। ଟାସ୍କଫୋର୍ସ ଶିମିଳିପାଳ ପରିଦର୍ଶନରେ ଯାଇ ବନ ଅଧିକାରୀ ଓ ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକ ସହ ଆଲୋଚନା କରିଛନ୍ତି। ଚନ୍ଦକା ଜଙ୍ଗଲକୁ ଗସ୍ତ କରି କ୍ଷୟକ୍ଷତିରେ ଆକଳନ କରିଛନ୍ତି। କ୍ରମାଗତ ନିଆଁ ଲାଗିବା ଯୋଗୁଁ କୌଣସି ବନ୍ୟଜନ୍ତୁ ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ରାଜ୍ୟ ବନ ବାହିନୀ ମୁଖ୍ୟ, ଟାସ୍କଫୋର୍ସର ଅଧ୍ୟକ୍ଷ ଗତକାଲି ବନଖଣ୍ଡ ଅଧିକାରୀ ଓ ଆଞ୍ଚଳିକ ବନ ସଂରକ୍ଷକଙ୍କ ସହ ବନାଗ୍ନି ସ୍ଥିତିର ସମୀକ୍ଷା କରିଥିଲେ।

The post ଥମୁନି ଜଙ୍ଗଲ ନିଆଁ : ରାଜ୍ୟର ୮୩୫ଟି ସ୍ଥାନରେ ଏବେବି ଜଳୁଛି ଜଙ୍ଗଲ first appeared on Sambad.

from ରାଜ୍ୟ | Sambad https://ift.tt/3cIc5VY

Post a Comment

0 Comments