
ତେଲକୋଇ: ‘୧୦ ମାସ ତଳୁ ଆହତ ଅବସ୍ଥାରେ ଉଦ୍ଧାର କରି ଆଣି ପାଖରେ ରଖିଲି। ସ୍ନେହ ମମତା ଦେଇ ପାଳିଲି। ସେ ବି ସେଇ ମମତାର ଡୋରିରେ ବାନ୍ଧି ହୋଇଗଲା। ଖେଳିଲା, ବୁଲିଲା ଆଉ ନଁା ଧରି ଡାକିଲେ ପାଖକୁ ବି ଆସିଲା। ବନ କର୍ମଚାରୀ ତାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଏବେ ସେ ଖାଉଥିବ କ’ଣ? କୋଉଠି ରହୁଥିବ?’ ଗୋଟିଏ ବାର୍ହା ପ୍ରତି ଜଣେ ମହିଳାଙ୍କ ଏହି କଥା ପଦକ ଏବେ ଜଙ୍ଗଲରେ ପବନ ସହିତ ମିଶି ଯାଉଛି। ନା ସେ ବାର୍ହା ଫେରୁଛି ନା ସେ ନିଜକୁ ଘର ଭିତରେ ଅଟକାଇ ରଖପାରୁଛନ୍ତି। ବରଂ, ଢୁର୍…, ଏ ଢୁର୍… ଡାକ ପକାଇ ଜଙ୍ଗଲସାରା ଖେଦୁଛନ୍ତି। ଦୀର୍ଘ ସପ୍ତାହେ ହେଲା ବୁଲିବୁଲି ସନ୍ଧ୍ୟା ହେଲେ ନିରାଶ ହୋଇ ଘରକୁ ଫେରୁଛନ୍ତି।
୧୦ ମାସ ତଳେ ଅର୍ଥାତ୍ ୨୦୨୦ ଜୁନ୍ ୨୨ ତାରିଖରେ କୁନ୍ତଳା ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଆଣିବାପାଇଁ ଯାଇଥିଲେ। ଜଙ୍ଗଲରେ ଏକ ବାର୍ହା ଶାବକ ଏକା ଏକା ଅତି ଅସହାୟ ଅବସ୍ଥାରେ ବୁଲୁଥିଲା। କୁନ୍ତଳା ବାର୍ହା ଛୁଆକୁ ଉଦ୍ଧାର କରି ନିଜ ଘରକୁ ନେଇଆସିଥିଲେ। ଗାଈ କ୍ଷୀର ପିଇବାକୁ ଦେଇଥିଲେ। ଲୋରି ଗାଇ ଶୁଆଇ ଦେଉଥିଲେ। ଧୀରେ ଧୀରେ ଭାତ, ତରକାରି ଅନ୍ୟାନ୍ୟ ଖାଦ୍ୟ ଖାଇବା ସହ ଚା’ ପିଇଲା ବାର୍ହା ଛୁଆ। କୁନ୍ତଳାଙ୍କ ପରିବାର ଲୋକେ ତାକୁ ସ୍ନେହଆଦର କରିବା ସହ ନାଁ ଦେଲେ ‘ଢୁର୍’ । ‘ ଢୁର୍’ ଘରେ ଥିବା ଗାଈଗୋରୁ ଓ କୁକୁରଙ୍କ ସହ ମଧ୍ୟ ମିଶୁଥିଲା। ପରିବାର ଲୋକଙ୍କ ସହ ଖାଉଥିଲା। ଗୋଟିଏ ଖଟରେ ଶୋଉଥିଲା। ‘ଢୁର୍’ ବୋଲି ଡାକିଦେଲେ ସେ ପାଖକୁ ଧାଇଁ ଆସୁଥିଲା। କୁନ୍ତଳାଙ୍କ ଠାରୁ ମା’ର ସ୍ନେହ ପାଇ ତାଙ୍କରି ଘରେ ରହି ବଡ଼ ହୋଇଗଲା। ଦୀର୍ଘ ୧୦ ମାସ ହେଲା କୁନ୍ତଳାଙ୍କ ଘରେ ରହୁଥିଲା, ଖାଉଥିଲା ଓ ପରିବାର ଲୋକଙ୍କ ସହ ଖଟରେ କମଳ ଘୋଡ଼େଇ ହୋଇ ଶୋଉଥିଲା। ବନ୍ୟ ପ୍ରାଣୀ ଆଇନ ପ୍ରତିବନ୍ଧକ ସାଜିଲା। କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ୯ ତାରିଖ ରାତିରେ କୁନ୍ତଳାଙ୍କ ଘରେ ପହଞ୍ଚି ବାର୍ହାଟିକୁ ନେଇ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।
ଢୁର୍ ପ୍ରେମରେ ପଡ଼ିଯାଇଥିବା କୁନ୍ତଳା ଏବେ ପାଗଳୀ ପ୍ରାୟ। ଟିଫିନରେ ଭାତ ଧରି କାନ୍ଦିକାନ୍ଦି ଜଙ୍ଗଲରେ ବୁଲୁଛନ୍ତି। ଢୁର୍କୁ ଖୋଜୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ବନ ବିଭାଗ କର୍ମଚାରୀ ବାର୍ହା ଉଦ୍ଧାର କରିବା ସହ କୁନ୍ତଳାଙ୍କୁ ବନ୍ୟଜନ୍ତୁ ଘରେ ରଖିବା ବେଆଇନ ବୋଲି ବୁଝାଇଥିଲେ। ଢୁର୍କୁ ନିଜ ଛୁଆ ଭଳି ପାଳିଥିବା କୁନ୍ତଳାଙ୍କ ମନ ବୁଝୁନି। ତାଙ୍କ କହିବା ଅନୁସାରେ, ଢୁର୍ ଭୋକରେ ଥିବ। ତାଙ୍କ ଡାକ ଶୁଣିଲେ ପୁଣି ପାଖକୁ ଫେରିଆସିବ। ସେ ତାକୁ ଘରେ ନେଇ ପାଳିବେ। ମାତ୍ର ଢୁର ଘଞ୍ଚ ଜଙ୍ଗଲରେ କୁଆଡ଼େ ହଜି ଯାଇଛି। ମଣିଷ ମେଳରେ ବଢ଼ିଥିବା ବାର୍ହାଟି ଏବେ ଜଙ୍ଗଲରେ କ’ଣ ଖାଉଥିବ, କେମିତି ବୁଲୁଥିବ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି କୁନ୍ତଳା।
ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଘରେ ବନ୍ୟଜନ୍ତୁ ଘରେ ପାଳିବାର ନିୟମ ନାହିଁ। ଏହା ବେଆଇନ କାର୍ଯ୍ୟ। ଆଇନ ଅନୁଯାୟୀ ଦଣ୍ଡନୀୟ। ସୁତରାଂ ଆଇନ ଅନୁଯାୟୀ ବାର୍ହାକୁ ତାଙ୍କ ଘରୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।
The post ଢୁର୍ ପାଇଁ ଢେର୍ ମମତା: ଜଙ୍ଗଲରେ ବାର୍ହାକୁ ଖୋଜୁଛନ୍ତି କୁନ୍ତଳା, ୭ ଦିନ ହେବ ଭାତ ନେଇ ଯାଉଛନ୍ତି first appeared on Sambad.from ରାଜ୍ୟ | Sambad https://ift.tt/3qPwHAN
0 Comments