
ଗୃହ ବାରମ୍ବାର ମୁଲତବୀ
ବିଜେଡି-କଂଗ୍ରେସ ଫିକ୍ସିଂ କରିଛନ୍ତି: ମୋହନ
ଆମେ ନବୀନ ନିବାସ ବରଯାତ୍ରୀରେ ଯିବୁ ନାହିଁ: ନରସିଂହ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ ବିଧାନସଭାରେ ପଡ଼ିଛି। ବନ୍ଦକୁ ନେଇ ବିଧାନସଭା ବାହାରେ ଯେତିକି ତାତି ଥିଲା, ସମାନ ତାତି ଗୃହ ଭିତରେ ବି ଦେଖିବାକୁ ମିଳିଥିଲା। ଆଜି ଦିନ ତମାମ କଂଗ୍ରେସ ଗୃହକୁ ଅଚଳ କରିଦେଇଛି। ଗୃହ ବାରମ୍ବାର ମୁଲତବୀ ଯୋଗୁ ସ୍ବରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରିନି। ବିଜେଡି-କଂଗ୍ରେସ ଫିକ୍ସିଂ କରି ଗୃହକୁ ଅଚଳ କରିଥିବା ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ଅଭିଯୋଗ କରିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରି କହିଛନ୍ତି, ‘ଚାଷୀଙ୍କ ସ୍ବାର୍ଥ ପାଇଁ ଆମେ ବରଯାତ୍ରୀରେ ନବୀନ ନିବାସ ଯିବୁ ନାହିଁ। ଗଣତାନ୍ତ୍ରିକ ପଦ୍ଧତିରେ ଗୃହ ଭିତରେ ପ୍ରତିବାଦ କରିଛୁ।’
ଶୁକ୍ରବାର ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ‘ଚାଷୀ ମାରଣ ନୀତି ଚଳିବ ନାହିଁ। କଳା ବିଲ୍ ରଦ୍ଦ କର। ଚାଷୀ ସୁରକ୍ଷା ଆମର ଦାବି’ କରି କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ୍ ବାଡେ଼ଇଥିଲେ। ଶାସକ ଦଳ ଓ ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଚୁପଚାପ ବସି ରହିଥିଲେ। ଗୃହର ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଗୃହକୁ କଣ ପାଇଁ ବାଚସ୍ପତି ଚଳାଉନାହାନ୍ତି। ଅତୀତରେ ଶାସକ ଦଳ ଗୃହକୁ ଅଚଳ କରିଥିଲା। ଏବେ କଂଗ୍ରେସ ଅଚଳ କରୁଛି। ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ ରଖିଲେ। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ଗୃହରେ ଆଗତ କରିଥିଲେ। ନାରାବାଜି ଯୋଗୁ ବାରମ୍ବାର ଗୃହ ମୁଲତବୀ ରହିଥିଲା।
ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଥିବା ବେଳେ କଂଗ୍ରେସ ଦଳ ଗୃହକୁ ଅଚଳ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏବେ ଦୈନିକ ରାଜ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମନାକୁ ଆସୁଛି। ପ୍ରତିଦିନ ରାଜ୍ୟରେ ୪ ଜଣଙ୍କ ହତ୍ୟା ହେଉଛି। ଶାସକଦଳ ଚାହୁଁନାହିଁ ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗର ଆଲୋଚନା ହେଉ। ଏଥିପାଇଁ ଭାରତ ବନ୍ଦ ନାଁରେ ଉଭୟ କଂଗ୍ରେସ-ବିଜେଡି ମଧ୍ୟରେ ଭିତିରି ବୁଝାମଣା ହୋଇ ଗୃହ ଅଚଳ କରାଯାଇଛି।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ ଗୃହ ବାହାରେ କହିଛନ୍ତି, ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇନାହିଁ। ବରଂ ଉଭୟ ବିରୋଧୀ ଦଳ ନିଜ ଭିତରେ ଡିଲ୍ କରିଛନ୍ତି। ସେଥିପାଇଁ ଅଧାଦିନ ବିଜେପି ବନ୍ଦ କରୁଛି। ବାକି ଅଧାଦିନ କଂଗ୍ରେସ ବନ୍ଦ କରୁଛି। ଶାସକଦଳ ଗୃହ ଚଳାଇବାକୁ ସର୍ବଦା ପ୍ରସ୍ତୁତ।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗୃହ ବାହାରେ ପ୍ରତିକ୍ରିୟା ରଖି କହିଥିଲେ, କେନ୍ଦ୍ରର ୩ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବିଜେପି ଦ୍ବାରା ପରିଚାଳିତ କେନ୍ଦ୍ର ସରକାର ଚାଷୀ ବିରୋଧୀ। କଂଗ୍ରେସ ବିଧାୟକ ଦଳ ଚାଷୀର ଦାବିକୁ ସମର୍ଥନ କରି ବିଧାନସଭା ଭିତରେ ତାର ସମର୍ଥନ ଜଣାଇଛି। ବିଜେପି ଦଳ ଚାଷୀଙ୍କ ପାଇଁ ଗୃହ ଭିତରେ ଆତ୍ମହତ୍ୟା ପାଇଁ ଧମକକୁ ସମର୍ଥନ ଦେଉଥିବାବେଳେ ଗୃହ ମଧ୍ୟରେ ସେ ଦଳର ନିରବତା ଚାଷୀ ବିରୋଧୀ ମନୋଭାବକୁ ପ୍ରମାଣିତ କରିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଯୋଗୁ ୩ଟି କଳା ଆଇନ ପ୍ରତ୍ୟାହାର କରିବାକୁ ରାଜି ହେଉ ନାହାନ୍ତି। ଏପରିକି ଓଡ଼ିଶା ବିଧାନସଭାରେ ଅଧ୍ୟାଦେଶ ମାଧ୍ୟମରେ କଳା ଆଇନ ପ୍ରଣୟନ ପାଇଁ ରାଜ୍ୟ ସରକାର ବାରମ୍ବାର ଚେଷ୍ଟା କରୁଛନ୍ତି। ଅଧ୍ୟାଦେଶ ଅବଧି ସରିବା ପରେ ମଧ୍ୟ ବିଲ୍ ଆଣି ଗୃହରେ ଉପସ୍ଥାପିତ କରି ଆଲୋଚନା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେଥିପାଇଁ ଆଜି ଗୃହରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ଆକ୍ଷେପ କରାଯାଇଥିଲା। ବିଜେପି ବିଧାୟକ ଦଳ ଯେପରି ବରଯାତ୍ରୀ ହୋଇ ନବୀନ ନିବାସ ଯାଇଥିଲା, ସେପରି କେବେ ବି କଂଗ୍ରେସ ଦଳ କରିବ ନାହିଁ ବୋଲି ସେ କହିଥିଲେ।
The post ଭାରତ ବନ୍ଦକୁ ସମର୍ଥନ କରି ବିଧାନସଭା ଅଚଳ କଲା କଂଗ୍ରେସ first appeared on Sambad.from ରାଜ୍ୟ | Sambad https://ift.tt/39fSNGn
0 Comments