
ଭୁବନେଶ୍ବର/ନୂଆଦିଲ୍ଲୀ: ଧାନ କିଣା ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ପଡ଼ୁଛି ଉଠୁଛି। ସବୁ ଚାଷୀଙ୍କ ଧାନ କିଣାଯିବା ପ୍ରସଙ୍ଗରେ ସରକାରଙ୍କ ଠାରୁ ଠୋସ୍ ପ୍ରତିଶ୍ରୁତି ମାଗି ବିଧାନସଭାକୁ ଚାରି ଦିନ ହେଲା ଅଚଳ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। ସରକାର ସବୁ ଧାନ କିଣିବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ ଯାଇ ଗୃହ ଚାଲିବ ବୋଲି ସେମାନେ ଅଡ଼ି ବସିଛନ୍ତି।
ସେପଟେ ଓଡ଼ିଶାର ଧାନ କିଣା ପ୍ରସଙ୍ଗ ଜାତୀୟ ରାଜନୀତିରେ ଜାଗା ମାଡ଼ିବସିଲେଣି। ଗତକାଲି ବିଜେଡି ପରେ ଆଜି ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପି ସାଂସଦମାନେ କେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ବିଭିନ୍ନ ମଣ୍ଡିରେ ପଡ଼ିରହିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ ଲାଗି ଦାବି କରିଛନ୍ତି। ଗତକାଲି ବିଜେଡି ସାଂସଦମାନେ ମଧ୍ୟ ଶ୍ରୀ ଗୋଏଲଙ୍କୁ ଭେଟିଥିଲେ ଓ ବକେୟା ସବ୍ସିଡି ଅର୍ଥ ତୁରନ୍ତ ପ୍ରଦାନ ଲାଗି ଦାବି ରଖିଥିଲେ। ବିଜେପିର ସାଂସଦମାନେ ଓଡ଼ିଶାର ବିଭିନ୍ନ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦାବିରେ ପୀୟୂଷଙ୍କୁ ଭେଟିଥିଲେ। ବିଜେଡି ଭଳି ବିଜେପି ମଧ୍ୟ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକପତ୍ର ଦେଇଥିଲା।
ବିଜେପି ସ୍ମାରକପତ୍ରରେ କୁହାଯାଇଛି ଯେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନ କରାଯିବାରୁ ଓଡ଼ିଶାର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ୨୦୧୪ରୁ କେନ୍ଦ୍ର ସରକାର ଓଡ଼ିଶାର କୃଷକଙ୍କଠାରୁ ୬୦ ହଜାର ୫୯୪କୋଟି ଟଙ୍କାର ଏମ୍ଏସ୍ପି ମୂଲ୍ୟରେ ୩୭୦ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି। ପିଏମ କିଷାନ ଯୋଜନାରେ ନିଜର ନାମ ପଞ୍ଜିକୃତ କରାଇଥିବା କୃଷକଙ୍କ ଆକାଉଣ୍ଟକୁ ପ୍ରତି ୩ମାସରେ ୨ହଜାର ଟଙ୍କା ପଠାଇଛନ୍ତି। ଏ ପର୍ଯ୍ୟନ୍ତ ୩,୨୭୪.୨୧କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଇଛି। କେନ୍ଦ୍ର ସରକାର ଏତେ ସାହାଯ୍ୟ ଯୋଗାଇ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଧାନ କିଣାରେ କେନ୍ଦ୍ର ସାହାଯ୍ୟ କରୁ ନଥିବା ଅଭିଯୋଗ କରୁଛନ୍ତି।
କେନ୍ଦ୍ର ମନ୍ତ୍ରୀ ଗୋଏଲଙ୍କୁ ଭେଟିବା ପରେ ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତି, ‘‘ଓଡିଶାର ବିଜେପି ସାଂସଦ ସହଯୋଗୀ ମାନଙ୍କ ସହ ସେ ପୀୟୂଷ ଗୋଏଲଙ୍କୁ ଦେଖା କରିଥିଲେ। ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ଲାଗି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ପାଇଁ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ ପାଇଁ ଆମେ ଅନୁରୋଧ କଲୁ। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଗୋଏଲ ପ୍ରତିଶ୍ରୁତି ଦେଇଛନ୍ତି।’’
ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଜେଡିର ସାଂସଦମାନେ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଚାଷୀମାନଙ୍କୁ ବକେୟା ସବ୍ସିଡି ପ୍ରଦାନ କରିବା ଦାବିରେ ଶ୍ରୀ ଗୋଏଲ୍ଙ୍କୁ ଭେଟିଥିଲେ। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକପତ୍ର ଦେଇଥିଲେ। ଗୋଏଲ ଏହି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶାର ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
The post ଧାନ କିଣା ପ୍ରସଙ୍ଗ ଏବେ ଦିଲ୍ଲୀରେ, ବିଜେଡି ପରେ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ first appeared on Sambad.from ରାଜ୍ୟ | Sambad https://ift.tt/3bREklW
0 Comments