ବିଛାଖଣ୍ଡି ପାହାଡ଼ରୁ ବେଆଇନ ପଥର ଖନନ, ତନାଘନା ଆରମ୍ଭ କଲେ ଲୋକାୟୁକ୍ତ

ଭୁବନେଶ୍ବର : ବିଛାଖଣି ପାହାଡ଼ରୁ ବେଆଇନ ପଥର ଖନନ ମାମଲାରେ ଯାଜପୁରର ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାଶ, ବର୍ତ୍ତମାନ ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋର, ଧର୍ମଶାଳାର ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା ଓ ଏବେର ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ନୋଟିସ୍ ଜାରି କରାଯାଇଛି। ଛଅ ସପ୍ତାହ ଭିତରେ ଜବାବ ରଖିବାକୁ ସେମାନଙ୍କୁ କୁହାଯାଇଛି। ଏହି ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ୍ ୧୨ରେ ହେବ।

ଆବେଦନକାରରୀ ସର୍ବେଶ୍ବର ବେହୁରା ଚଳିତ ବର୍ଷ ଫେବ୍ରୁଆରି ୯ରେ ଅଭିଯୋଗ କରିଥିଲେ ଯେ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ଥିବା ବିଛାଖଣ୍ଡି ପାହାଡ଼ରୁ ବେଆଇନ ଭାବେ ପଥର ଖୋଳା ହେଉଛି। ସେ ଲିଖିତ ଭାବେ ମଣ୍ଡଳ ବନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ଧର୍ମଶାଳା ତହସିଲଦାରଙ୍କୁ ମଧ୍ୟ ଏବିଷୟରେ ଅବଗତ କରାଯାଇଥିଲା। ଖନନ ପାଇଁ ଅନୁମତି ଥିବା ଅଞ୍ଚଳ ବାହାରେ ଥିବା ଜଙ୍ଗଲ ଜମିରେ ବେଆଇନ ଖନନ ହେଉଥିବା ବିଷୟରେ ତହସିଲଦାରଙ୍କୁ ସୂଚନା ଦିଆଯାଇଥିଲା ବୋଲି ଆବେଦନକାରୀ ଜଣାଇଛନ୍ତି। କିନ୍ତୁ ତା’ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ତି ଅଞ୍ଚଳରେ ଥିବା ଏକାଧିକ ପାହାଡ଼ରେ ଦୀର୍ଘଦିନ ହେଲା ଶତାଧିକ ବେଆଇନ କଳାପଥର ଖାଦାନ କରି ମାଫିଆମାନେ କୋଟିକୋଟି ଟଙ୍କାର ମୁନାଫା କରୁଛନ୍ତି। ପୁଲିସ ପ୍ରଶାସନ ତଥା ବନ ବିଭାଗ ଚୁପ ହୋଇ ବସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ପାହାଡ଼ରେ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ସୀମା ବିବାଦ ରହିଛି। ଜଙ୍ଗଲ ଜମିରୁ କଳାପଥର ଲୁଟ ହେଉଛି କହି ରାଜସ୍ବ ବିଭାଗ ଯାଉନାହିଁ ଏବଂ ରାଜସ୍ବ ଜମିରୁ ଲୁଟ ହେଉଛି କହି ବନ ବିଭାଗ ମୁଣ୍ତ ଖେଳାଉନି। ଏହି ଗୋଳିଆ ପାଣିରୁ ମାଫିଆମାନେ ମାଛ ଧରିବାରେ ଲାଗିଛନ୍ତି। ଜଣେ ଜଣେ ୨ରୁ ୩ଏକର ପାହାଡ଼ ନିଜ କବଜାକୁ ନେଇ ବେଆଇନ ବ୍ଲାଷ୍ଟିଂ କରି ବୋଲଡର ଓ ସ୍ପର ଚାଲାଣ କରୁଛନ୍ତି। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ପୃଷ୍ଠପୋଷକତାରେ ଏସବୁ ଚାଲିଥିବା ଅଭିଯୋଗ ହୋଇଆସୁଛି।

The post ବିଛାଖଣ୍ଡି ପାହାଡ଼ରୁ ବେଆଇନ ପଥର ଖନନ, ତନାଘନା ଆରମ୍ଭ କଲେ ଲୋକାୟୁକ୍ତ first appeared on Sambad.



from ରାଜ୍ୟ – Sambad https://ift.tt/2MCLIb3

Post a Comment

0 Comments