ରାଜେନ୍ଦ୍ର, କଳାହାଣ୍ଡି ଓ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ : ୨୫ ଯାଏ ଆବେଦନ କରିବେ ଆଶାୟୀ

ଭୁବନେଶ୍ବର : ନୂଆ କରି ପ୍ରତିଷ୍ଠା ହୋଇଥିବା ରାଜ୍ୟର ୩ ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ବଲାଙ୍ଗିରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇଁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରଫେସରମାନେ ଫେବ୍ରୁଆରି ୩ରୁ ୨୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଆବେଦନ ଲାଗି ଜଣେ ପ୍ରଫେସରଙ୍କର ଦେଶର କୌଣସି ବିଶ୍ବବିଦ୍ୟାଳୟ ତଥା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଅଧ୍ୟାପନା ସହ ପ୍ରଶାସନିକ ଦକ୍ଷତା ରହିଥିବା ନିତ୍ୟାନ୍ତ ଦରକାର। ବିଶ୍ବବିଦ୍ୟାଳୟରେ ଅତି କମ୍‌ରେ ୧୦ ବର୍ଷ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ମାର୍ଚ୍ଚ ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଆଶାୟୀ ପ୍ରଫେସରମାନେ ଫେବ୍ରୁଆରି ୨୫ ସୁଦ୍ଧା ଆବେଦନ କରିପାରିବେ। କୁଳପତିଙ୍କୁ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କାର ଦରମା ସହ ୫ ହଜାର ଟଙ୍କା ଭତ୍ତା ଦିଆଯିବ। ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଭତ୍ତା ମିଳିବ। କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ହେବ। କାର୍ଯ୍ୟରେ ଯୋଗଦେବା ଦିନଠାରୁ ଏହାକୁ ଗଣନା କରାଯିବ। ନ ହେଲେ ସର୍ବାଧିକ ୬୭ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦରେ ରହିପାରିବେ। ଆଶାୟୀ ପ୍ରଫେସର ବିଭାଗ ୱେବ୍‌ସାଇଟ୍‌ ଲଗ୍‌ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହେବ। କୁଳପତି ଚୟନ ଲାଗି ପ୍ରତି ବିଶ୍ବବିଦ୍ୟାଳୟ ଲାଗି ଏକ ଚୟନ କମିଟି ଗଠନ କରାଯିବ। ଏହି କମିଟିର ସଦସ୍ୟମାନେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ୩ ଜଣଙ୍କ ନାମ ତାଲିକା ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ। ଉକ୍ତ ୩ ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ।

The post ରାଜେନ୍ଦ୍ର, କଳାହାଣ୍ଡି ଓ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ : ୨୫ ଯାଏ ଆବେଦନ କରିବେ ଆଶାୟୀ first appeared on Sambad.



from ରାଜ୍ୟ – Sambad https://ift.tt/3tjhZnX

Post a Comment

0 Comments