ଜାତୀୟ ରାଜପଥ ବିବାଦ : କେନ୍ଦ୍ର-ରାଜ୍ୟ ଏକାଠି ବସିଲେ

ପ୍ରତି ୨ମାସରେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ବୈଠକ, ପ୍ରତି ମାସରେ ଅଧିକାରୀ
ଉପକୂଳ ରାଜପଥ ବିବାଦରେ ସହମତି, ସାତପଡ଼ା-ଗୋପାଳପୁର ପ୍ରସଙ୍ଗ ଉଠିଲା
ପାରାଦୀପ-ବଡ଼ବିଲ୍ ଅର୍ଥନୈତିକ କରିଡ଼ରକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ରାଜ୍ୟ ସରକାର ଭାଗୀଦାର ହେବେ, ସହଯୋଗ ଯୋଗାଇ ଦେବେ

ଭୁବନେଶ୍ବର : ବିବାଦୀୟ ଉପକୂଳ ରାଜପଥ ସମେତ ରାଜ୍ୟର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଜାତୀୟ ରାଜପଥ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତି ଦୁଇମାସରେ ବୈଠକ କରିବେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧିକାରୀସ୍ତରରେ ପ୍ରତି ମାସରେ ବୈଠକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟରୁ ଆସିଥିବା ପୃଥକ୍ ପୃଥକ୍ ପ୍ରେସ ବିବୃତିରୁ ସୂଚନା ମିଳୁଛି ଯେ ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଉପରେ ଆଜି ଅନେକ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, ପାରାଦୀପ-ବଡ଼ବିଲ୍ ଅର୍ଥନୈତିକ କରିଡ଼ରରେ ଓଡ଼ିଶା ଭାଗିଦାର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

ଗୋପାଳପୁର-ଦୀଘା ଉପକୂଳ ରାଜପଥକୁ ନେଇ ଗତ ସପ୍ତାହ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଉପକୂଳ ରାଜପଥ ମାର୍ଗ ପରିବର୍ତ୍ତନ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ବିବାଦ ସାମ୍ନାକୁ ଆସିଥିଲା। ଏହାର ୪୮ ଘଣ୍ଟା ପରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ବିଷୋଦ୍‌ଗାର କରି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିଲା ଯେ ପ୍ରଥମେ ଗୋପାଳପୁର-ସାତପଡ଼ା ସଂପର୍କରେ ନିଷ୍ପତ୍ତି ଶୁଣାଅ। ସମୁଦାୟ ପ୍ରକଳ୍ପର ଚିତ୍ର ରାଜ୍ୟ ସାମ୍ନାକୁ ଆଣିଥିଲା।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏକ ଭର୍ଚୁଆଲ ବୈଠକରେ ଏକାଠି ହୋଇ ଉପକୂଳ ରାଜପଥ ସମେତ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଜାତୀୟ ରାଜପଥ ସଂପର୍କରେ ବୈଠକ କରିଛନ୍ତି। ଏଥିସହିତ ଏହି ବିବାଦରେ ଆପାତତଃ ପୂର୍ଣ୍ଣଛେଦ ପଡ଼ିଛି।

ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ କ୍ଷେତ୍ରରେ ଯେତେସବୁ ବାଧା ଅଛି, ତାର ଶୀଘ୍ର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ରାଜି ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିବୃତିରେ କୁହାଯାଇଛି ଯେ ଗୋପାଳପୁରରୁ ସାତପଡ଼ା ମଧ୍ୟରେ ରାଜପଥ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ସହିତ ଏହି ମାର୍ଗ ଉପରେ ଆନୁଷଙ୍ଗିକ ଅନୁମତି ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ୯ ହଜାର କୋଟି ଟଙ୍କା ବିନିଯୋଗରେ ଓଡ଼ିଶାର ଉପକୂଳ ଦେଇ ଯିବାକୁ ଥିବା ଏହି ରାଜପଥ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ସହାୟକ ହେବ।

ସେହିଭଳି ଓଡ଼ିଶାରେ ହେବାକୁ ଥିବା ପ୍ରସ୍ତାବିତ ଜାତୀୟ ରାଜପଥ ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଲାଗି ରାଜ୍ୟ ସରକାର ବୈଠକରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ଖଣିଜ ସଂପଦରେ ଭରପୂର କେନ୍ଦୁଝର ଦେଇ ଯାଉଥିବା ରାଜପଥ ପ୍ରସଙ୍ଗ ଉଠାଇଥିଲେ। ଫଳରେ ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ଏହି ୮ ଲେନ୍ ବିଶିଷ୍ଟ ୩୦୦ କିମି ଲମ୍ବ ଅର୍ଥନୈତିକ କରିଡର ଉପରେ ବିଶଦ ଆଲୋଚନା କରାଯାଇଥିଲା। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡୀଖୋଲ-ଡ଼ୁବୁରି-କେନ୍ଦୁଝର-ରିମୁଳି- ବଡରସାହି ଦେଇ ବଡବିଲ ଯାଏ ଲମ୍ବିବ।

ପ୍ରସ୍ତାବିତ ଏହି ଅର୍ଥନୈତିକ କରିଡ଼ର ଚଣ୍ଡୀଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ୍ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଏହି ରାଜପଥ ଡ଼ୁବୁରି ପାର୍ଶ୍ୱବର୍ତୀ ଅଞ୍ଚଳ ତଥା ଇସ୍ପାତ୍‌, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ। ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଅର୍ଥନୀତି ଦୃଷ୍ଟିକୋଣରୁ କେନ୍ଦୁଝର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା। କେବଳ ସେତିକି ନୁହେଁ, ଏହା ଇସ୍ପାତ ଶିଳ୍ପ ଦୃଷ୍ଟିରୁ ଦେଶ ପାଇଁ ମଧ୍ୟ ମହତ୍ତ୍ବ ରଖେ। ଏହି ରାଜପଥ ପାଇଁ କେନ୍ଦ୍ର ବଜେଟ୍‌ରେ ଅଧିକ କିଛି ପାଣ୍ଠି ବ୍ୟବସ୍ଥା କରିବାର ଆବଶ୍ୟକତା ଥିଲା। ଏହି ରାଜପଥ ୬ଟି ପର୍ଯ୍ୟାୟରେ ହେବ। କିନ୍ତୁ ଅନ୍ତରୀଣ ଭାବେ ପ୍ରଥମେ ୪ଲେନ୍ ବିଶିଷ୍ଟ ରାସ୍ତା ଓ ସର୍ଭିସ୍ ରୋଡ୍ ନିର୍ମାଣ କରାଯାଉ। ଏହି ଅର୍ଥନୈତିକ କରି଼ଡରରେ ଓଡ଼ିଶା ଭାଗିଦାର ହେବାକୁ ଚାହେଁ ଏବଂ ସହାୟତା ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏହି ମହତ୍‌କାଂକ୍ଷୀ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଆଲୋଚନାରୁ ଜଣାପଡ଼ିଥିଲା ଯେ ୨୦ନମ୍ବର ଜାତୀୟ ରାଜପଥର ପାଣିକୋଇଲି-ରେମୁଳି ୧୬୬ କିଲୋମିଟର ଚାରି ଲେନ୍ ରାସ୍ତା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ବଳକା ରାସ୍ତା ଖୁବ୍ ଶୀଘ୍ର ଶେଷ ହେବ। ବର୍ଷକ ମଧ୍ୟରେ ଏହି ରାଜପଥ କାମ ଶେଷ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ। ସେହିଭଳି ରେମୁଳି-କୋଇଡ଼ା ୪୩ କିଲୋମିଟର ଓ ବିଞ୍ଝାବାହଲ ୧୦୪ କିଲୋମିଟର ଚାରି ଲେନ୍ ବିଶିଷ୍ଟ ରାସ୍ତା ୨୦୨୧ ଜୁନ୍ ସୁଦ୍ଧା ଶେଷ ହେବ।

ବୈଠକରେ ଭୁବନେଶ୍ୱର ରିଙ୍ଗ୍ ରୋଡ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା। ଏହାବ୍ୟତୀତ ଭୁବନେଶ୍ବର-ପୁରୀ ଏକ୍ସପ୍ରେସ ୱେ, ରାୟପୁର-ବିଶାଖାପାଟଣା ରୋଡ୍, ଅମ୍ପାନି-ଜୟପୁର ରୋଡ୍ (ବିଜୁ ଏକ୍ସପ୍ରେସ ୱେର ଅଂଶବିଶେଷ), ରାୟପୁର-ବିଶାଖାପାଟଣା ରୋଡ୍ ସଂପର୍କରେ ଆଲୋଚନା େହାଇଥିଲା। ଅନ୍ୟ ପ୍ରକଳ୍ପ ମଧ୍ୟରେ ଗୋପାଳପୁର-ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦୀପ, ଧାମରା ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ସଂପର୍କରେ କେନ୍ଦ୍ର-ରାଜ୍ୟ ସମୀକ୍ଷା କରିଥିଲେ। ତୁରନ୍ତ ଏସବୁ ପ୍ରକଳ୍ପ ଶେଷ କରିବା ଉପରେ ଉଭୟ କେନ୍ଦ୍ର-ରାଜ୍ୟ ଏକମତ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର କାନୁପୁର ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ଶେଷ ହେବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

The post ଜାତୀୟ ରାଜପଥ ବିବାଦ : କେନ୍ଦ୍ର-ରାଜ୍ୟ ଏକାଠି ବସିଲେ first appeared on Sambad.



from ରାଜ୍ୟ – Sambad https://ift.tt/3pJ1cbO

Post a Comment

0 Comments