ସିନ୍ଦୂର ପିନ୍ଧିବାକୁ ମନା କଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ବାମରା : ପହଞ୍ଚିଥିଲେ ବରଯାତ୍ରୀ। ଧୁମଧାମରେ ବହାରିଥିଲା ବରଯାତ୍ରୀ ଶୋଭାଯାତ୍ରା। କନ୍ୟା ଘରେ ବିବାହର ସମସ୍ତ ରୀତିନୀତି ପାଳନ କରାଗଲା। ହାତ ଗଣ୍ଠି ବି ପଡ଼ିଲା। ଅଗ୍ନିକୁ ସାକ୍ଷୀ ରଖି ସାତଥର ପରିକ୍ରମା ବି ହେଲା। ହେଲେ ସିନ୍ଦୂର ପିନ୍ଧାଇବା ସମୟରେ କନ୍ୟା ରୋକଠୋକ ମନା କରି ଦେଇଥିଲେ ଯେ ସେ ସିନ୍ଦୂର ପିନ୍ଧିବେ ନାହିଁ। ଶେଷରେ ବରଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଥିଲା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାମରା ବ୍ଲକ ଉଚ୍ଚକପାଟ ପଞ୍ଚାୟତ କେଛୁପାଣି ଗ୍ରାମରେ।

ସୂଚନା ଅନୁସାରେ କେଚ୍ଛୁପାଣି ଗ୍ରାମର ଜନୈକ ଯୁବତୀ ଓ ଝାରସୁଗୁଡ଼ା ଏଚ. କଣ୍ଟାପାଲି ଗ୍ରାମର ଜନୈକ ଯୁବକଙ୍କ ସହ ବିବାହ ଧାର୍ଯ୍ୟ ହୋଇଥିଲା। ବୁଧବାର ଦିନ ଝାରସୁଗୁଡ଼ାରୁ ବରଯାତ୍ରୀ ଆସି କେଚ୍ଛୁପାଣି ଗ୍ରାମରେ ପହଞ୍ଚିଥିଲା। ରୀତିନୀତି ଅନୁସାରେ ସମସ୍ତ ବିବାହ କାର୍ଯ୍ୟ ଠିକ ଠାକ ଚାଲିଥିଲା। ମାତ୍ର ବର ପାତ୍ର କନ୍ୟାକୁ ସିନ୍ଦୂର ପିନ୍ଧାଇବା ସମୟରେ ଝିଅ ବିବାହ କରିବାକୁ ମନା କରିଦେଇ ଥିଲେ। ଏହା ଶୁଣି ସମସ୍ତେ ହାତବାକ ହୋଇଯାଇଥିଲେ। ବିବାହର ଖୁସି ଦୁଃଖରେ ପରିଣତ ହୋଇଯାଇଥିଲା। ବର ପକ୍ଷ ପ୍ରାୟ ୪ ଘଣ୍ଟା ଧରି କନ୍ୟାକୁ ବୁଝାସୁଝା କରିଥିଲେ। ଝିଅର ପରିବାର ବର୍ଗ ମଧ୍ୟ ତାଙ୍କୁ ଏପରି ନ କରିବାକୁ ବୁଝାଇଥିଲେ। ପରିବାରର ସମ୍ମାନ ହାନି ହେବ ବୋଲି କହିଥିଲେ। ହେଲେ ଝିଅ କିନ୍ତୁ ବିବାହ ନ କରିବା ଜିଦରେ ଅଟଳ ରହିଥିଲା। ଶେଷରେ ସେଠାରେ ସାମାନ୍ୟ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ପରେ ବରପକ୍ଷ ଖାଲି ହାତରେ ଫେରିଯାଇଥିଲେ। ଏନେଇ ବରପକ୍ଷରୁ ଗୋବିନ୍ଦପୁର ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ସିନ୍ଦୂର ପିନ୍ଧିବାକୁ ମନା କଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର first appeared on Sambad.



from ରାଜ୍ୟ – Sambad https://ift.tt/3ux5IwM

Post a Comment

0 Comments