ବିଚାରାଧୀନ କଏଦୀଙ୍କ ସହ ସେଲ୍‌ରେ ରହିଲେ ବିଧାୟକ ପ୍ରଦୀପ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଗତକାଲି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତାଙ୍କୁ କୋର୍ଟରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ନିଆଯାଇଥିଲା। ସେଠାରେ ଅନ୍ୟ ବିଚାରାଧୀନ କଏଦୀ ଥିବା ସେଲ୍‌ରେ ପ୍ରଦୀପଙ୍କୁ ରଖାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜେଲ୍ ମାନୁଆଲ୍ ଅନୁଯାୟୀ ଉପଲବ୍ଧ ଖାଦ୍ୟ ତାଙ୍କୁ ଯୋଗାଇ ଦିଆଯାଇଥିଲା । ମଣ୍ଡଳ କାରାଗାରରେ ପହଞ୍ଚିବା ପରେ ସେଠାରେ ଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେ ଆଣିଥିବା ଆଣିଥିବା ଔଷଧ ଗୁଡିକୁ ଯାଞ୍ଚ କରାଯିବା ପରେ ସେବନ କରିବାକୁ ଅନୁମତି ଦିଆଯାଇଥିଲା। ବିଧାୟକଙ୍କୁ କୌଣସି ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦେବା ପାଇଁ କୋର୍ଟ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଆସିନଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ ଆଜି ପୁଣି ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ପ୍ରଦୀପଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ରହ୍ମପୁର ଜେଲ୍‌ରେ ଆବଶ୍ୟକ ଚିକିତ୍ସା ସୁବିଧା ନାହିଁ। ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ଏମ୍‌କେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତର ବ୍ୟବସ୍ଥା କରାଯିବାକୁ ନିବେଦନ କରି ଏହି ପିଟିସନ୍ ଦାଖଲ କରିଛନ୍ତି। ତେବେ ଅଦାଲତ ପକ୍ଷରୁ ପିଟିସନ୍ ସଂପର୍କରେ ଶୁଣାଣି ହୋଇନାହିଁ।

The post ବିଚାରାଧୀନ କଏଦୀଙ୍କ ସହ ସେଲ୍‌ରେ ରହିଲେ ବିଧାୟକ ପ୍ରଦୀପ first appeared on Sambad.



from ରାଜ୍ୟ – Sambad https://ift.tt/36O2t9X

Post a Comment

0 Comments