
ଦୁଇ କେନ୍ଦ୍ରମନ୍ତ୍ରୀ, ସବୁ ସାଂସଦଙ୍କ ନାମ ନେଇ ଗର୍ଜିଲେ ନେତା
୭ବର୍ଷରେ ଗୋଟିଏ ବି ନୂଆ ଜିଲ୍ଲାକୁ ଛୁଇଁନି ରେଳଲାଇନ୍
ଏବେ ବି ରାଜ୍ୟର ୬ଜିଲ୍ଲାକୁ ରେଳସଂଯୋଗ ହୋଇନି
ଭୁବନେଶ୍ବର : ସାଧାରଣ ବଜେଟ୍ରେ ଓଡ଼ିଶାକୁ କରାଯାଇଥିବା ଅବହେଳା ସଂପର୍କରେ ବିଶେଷ କଡ଼ା ପ୍ରତିକ୍ରିୟା ରଖିନଥିବା ବିଜୁ ଜନତା ଦଳ କିନ୍ତୁ ରେଳ ବଜେଟ୍ ଅନୁଦାନକୁ ନେଇ ଆଜି ଗର୍ଜନ ତର୍ଜନ କରିଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଦଳୀୟ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ମିଳିତ ଭାବେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ଆଣିବା ସହିତ କଠୋର ଭାଷାରେ ବିଜେପି ଓ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ଆଉ ପାଦେ ଆଗକୁଯାଇ ବିଜେଡି ନେତା ଦାବି କରିଛନ୍ତି ଯେ ଯଦି ଦମ୍ ଅଛି, ବିଜେପିର ଶୀର୍ଷ ନେତୃତ୍ବ ଆମ ସାଙ୍ଗରେ ବିତର୍କ କରନ୍ତୁ।
ବିଜେଡି ନେତାମାନେ କହିଛନ୍ତି, ୨୦୨୧-୨୨ ବଜେଟ୍ରେ ଓଡ଼ିଶାକୁ ନ୍ୟାୟ ମିଳିପାରିନାହିଁ। ଏହା କେବଳ ନୈରାଶ୍ୟଜନକ ତାହା ନୁହେଁ, ବରଂ ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରାଯାଇଥିବା ମନେ ହେଉଛି।
ବିଜେଡି କହିଛି, ସ୍ବାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟି ରେଳଲାଇନ୍ ପାଇଁ ବ୍ୟବସ୍ଥା କରାଯାଇଛି। ସେଗୁଡିକ ହେଲା, କଟକ-ପାରାଦୀପ (୮୩ କିମି), ତାଳଚେର-ସମ୍ବଲପୁର (୧୭୪କିମି), କୋରାପୁଟ-ରାୟଗଡ଼ା (୧୬୪ କିମି), ଦୈତାରୀ-ବାଂଶପାଣି (୧୫୫କିମି), ଲାଞ୍ଜିଗଡ-ଜୁନାଗଡ (୫୬କିମି) ଏବଂ ଖୋର୍ଧା-ବଲାଙ୍ଗୀର ଯାହାର ୩୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି।
ବିଟ୍ରିସ ସମୟରେ ଖଣିଜାତ ଦ୍ରବ୍ୟକୁ ଚୋରି ପାଇଁ ରେଳଲାଇନ୍ ବ୍ୟବହାର ହେଉଥିଲା। ସ୍ବାଧୀନତାର ୭୫ବର୍ଷ ପରେ ବି ଚିତ୍ର ସେୟା। ଇସ୍ପାତ ଓ ଶକ୍ତି କ୍ଷେତ୍ର ଲାଗି ଯଦି ଓଡ଼ିଶାରୁ କୋଇଲା ନ ଯାଆନ୍ତା, ତେବେ ବାହାରୁ ଆମଦାନୀ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଅନ୍ତା।
ଓଡ଼ିଶାର କନ୍ଧମାଳ, ବୌଦ୍ଧ, ମୟୂରଭଂଜ, କେନ୍ଦ୍ରାପଡ଼ା,ଦେବଗଡ, ମାଲକାନଗିରି ଭଳି ୬ଟି ଜିଲ୍ଲାକୁ ଏଯାଏ ରେଳଲାଇନ୍ ଯାଇନାହିଁ ବୋଲି ଅଭିଯୋଗ ଆଣି ବିଜେଡି କହିଛି, ପ୍ରତିବର୍ଷ ରେଳବିଭାଗ ରାଜ୍ୟରୁ ୨୦ହଜାର କୋଟି ରାଜସ୍ବ ଆଦାୟ କରୁଛନ୍ତି। ଗତ ୭ବର୍ଷ ଭିତରେ ୧ଲକ୍ଷ ୪୦ହଜାର କୋଟିଯାଇଛି। ହେଲେ ୨ହଜାର କୋଟି ହିସାବରେ ମାତ୍ର ୧୪ହଜାର କୋଟି କାହିଁକି ମିଳିବ?
ହିସାବ ଅନୁସାରେ, ପଶ୍ଚିମବଙ୍ଗରେ ପ୍ରତି ୧୦୦୦ ବର୍ଗ କିଲୋମିଟରରେ ୪୨କିଲୋମିଟର ରେଳପଥ ଅଛି। ବିହାରରେ ୩୫ କିଲୋମିଟର। ଓଡ଼ିଶାରେ କିନ୍ତୁ ୧୫ କିମି। ଗତ ୭ବର୍ଷ ଭିତରେ ଗୋଟିଏ ନୂଆ ଜିଲ୍ଲାକୁ ରେଳଲାଇନ୍ ଛୁଇଁନାହିଁ।
ଖୋର୍ଧା-ବଲାଙ୍ଗୀରର ୨୯୦ କିଲୋମିଟର ରେଳଲାଇନ୍ ମଧ୍ୟରୁ ୯୦ କିଲୋମିଟର କାମ ଶେଷ ହୋଇଛି। ୨୫ବର୍ଷ ବିତିଗଲାଣି। ସରକାର ଅଧା ଖର୍ଚ୍ଚ ବହନ କରିବେ େବାଲି କହିଛନ୍ତି ଓ ମାଗଣା ଜମି ଦେବା ପରେ ବି କାହିଁକି ଏହି କାର୍ଯ୍ୟ ସରିପାରୁନାହିଁ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସଙ୍ଗୀତା ସିଂହଦେଓ ଏକଥା କହିବା ଉଚିତ୍ ଯେ ଖୋର୍ଧା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର କି ଅପରାଧ କରିଛି ଯେ ଏଯାଏ ରେଳସେବା ପାଇପାରୁନି?
ତାଳଚେର-ବିମଳାଗଡ଼ ସଂପର୍କରେ ବିଜେଡି କହିଛି ଯେ ୨୦୦୩ରେ ନିଷ୍ପତ୍ତି ହୋଇଥିବା ଏହି ୧୫୫ କିଲୋମିଟର ରେଳଲାଇନ୍ର କାର୍ଯ୍ୟ ମାତ୍ର ୨୦କିମି ହୋଇଛି। ୧ କିଲୋମିଟର ରେଳପଥ ପାଇଁ ୨୦ କୋଟି ଟଙ୍କା ଦରକାର। ଏଥର କିନ୍ତୁ ମାତ୍ର ୧୦ କୋଟି ବ୍ୟୟବରାଦ ହୋଇଛି। ଯଦି ଏହି ଗତିରେ କାମ ଚାଲିବ, ତେବେ ୨୦୦ବର୍ଷ ଲାଗିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ନୀତିଶ ଗଙ୍ଗଦେବ ଏହାର ଉତ୍ତର ଦେବା ଦରକାର।
ବିଜେଡି ପଚାରିଛି ଯେ ଗୁଣପୁର-ଥେରୁବାଲି ରେଳଲାଇନ୍ ଜମି ଏଯାଏ ରେଜିଷ୍ଟ୍ରେସନ୍ ହେଲାଣି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉତ୍ତର ଦେବା ଦରକାର। ଜୟପୁର-ମାଲକାନଗିରି ରେଳପଥ ଉପରେ ସରକାର ପ୍ରତିଶ୍ରୁତି ଦେବା ପରେ ବି ଏହି ପ୍ରକଳ୍ପ କାହିଁକି ଅଗ୍ରଗତି ହୋଇନାହିଁ େବାଲି ଶ୍ରୀ ପ୍ରଧାନଙ୍କୁ ଟାର୍ଗେଟ କରିଛି ବିେଜଡି।
ଜଳେଶ୍ବର ଠାରୁ ଦୀଘା ରେଳବାଇ ସଂଯୋଗୀକରଣକୁ ଖାରଜ କରାଯିବା ପ୍ରସଙ୍ଗରେ ବିଜେଡି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଉତ୍ତର ମାଗିଛି। କଳାହାଣ୍ଡି ପ୍ରକଳ୍ପ ଲାଗି ମାତ୍ର ୧କୋଟିର ଅନୁଦାନ ନେଇ ସାଂସଦ ବସନ୍ତ ପଣ୍ଡାଙ୍କୁ ଘେରିଛି ବିଜେଡି।
ପୁରୀ-କୋଣାର୍କ, ବରଗଡ-ନୂଆପଡା, ଚକୁଳିଆ ଠାରୁ ବୁରମରା, ଜାଳପୁର ଠାରୁ ଆମଲା ପର୍ଯ୍ୟନ୍ତ ରେଳଲାଇନ୍ ନେଇ ସରକାର ପ୍ରସ୍ତାବ ଦେଇଥିଲେ ଓ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ଏହାକୁ କାହିଁକି କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି ବୋଲି ବିଜେଡି ପଚାରିଛି। ସେହିଭଳି ହରିଦାସପୁର-ପାରାଦୀପ ଭାୟା କେନ୍ଦ୍ରାପଡ଼ା, ଅନୁଗୁଳ-ସୁକିନ୍ଦା ପାଇଁ କାହିଁକି କେବଳ ମାଲବାହୀ ଟ୍ରେନ୍ ବ୍ୟବସ୍ଥା ବୋଲି ବି ଜବାବ ମାଗିଛି।
The post ରେଳ ବଜେଟ୍ ହଜମ ହେଲାନି! ବିଜେପିକୁ ଖୋଲା ବିତର୍କ ପାଇଁ ବିଜେଡିର ଆହ୍ବାନ first appeared on Sambad.
from ରାଜ୍ୟ – Sambad https://ift.tt/3jnzmiQ
0 Comments