
ପୁରୀ-କୋଣାର୍କ ସମେତ ସରକାରଙ୍କ ନୂଆ ପ୍ରସ୍ତାବ ଲାଗି କିଛି ବ୍ୟୟ ବରାଦ ହୋଇନି
ଯାହା ଘୋଷଣା ହୋଇଛି ବାସ୍ତବରେ ରାଜ୍ୟକୁ ସେତିକି ମିଳିନାହିଁ
ଗଞ୍ଜାମ ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ କିଛି ବ୍ୟୟବରାଦ କରାଯାଇନି
ଭୁବନେଶ୍ବର : ୨୦୨୧-୨୨ ରେଳ ବଜେଟ୍ରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ଆଗାମୀ ଆର୍ଥିକ ବର୍ଷରେ ରେଳ ବଜେଟ୍ରେ ଓଡ଼ିଶାକୁ ୬ ହଜାର ୯୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ନେଇ ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ ପ୍ରେସ୍ ଇସ୍ତାହାର ଜାରି ହେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ଚାକୁଳି-ବୁରାମରା, ଯାଜପୁର-ଆରଡ଼ି-ଧାମରା ପାଇଁ ନୂଆ ରେଳ ସଂଯୋଗୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପ୍ରତି କିଛି ବି ଧ୍ୟାନ ଦିଆଯାଇନାହିଁ। ବଜେଟ୍ରେ ଓଡ଼ିଶା ପ୍ରତି ଯେଉଁ ଅର୍ଥ ବ୍ୟୟ ବରାଦ ହୋଇଥିବା ନେଇ ଘୋଷଣା କରାଯାଇଛି ତାହା ଭ୍ରମାତ୍ମକ ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି।
ମନ୍ତ୍ରୀ ଶ୍ରୀ ବେହେରା ଏକ ପ୍ରେସ୍ ଇସ୍ତାହାର ଜାରି କରି କହିଛନ୍ତି ଯେ ବାସ୍ତବରେ ଓଡ଼ିଶାକୁ ରେଳ ବଜେଟ୍ରେ ପୁଞ୍ଜି ବ୍ୟୟ ବାବଦରେ ପ୍ରାୟ ୪ ହଜାର ୫୦୦ କୋଟି ଟଙ୍କା ମିଳିଛି। ଯେଉଁଥିରେ ଖୋର୍ଦ୍ଧା-ବଲାଙ୍ଗୀର, ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ରେଳ ଲାଇନ୍ ନିର୍ମାଣ ପାଇଁ ଗଠିତ ଏସ୍ପିଭି ବାବଦରେ ରାଜ୍ୟ ସରକାର ଦେଇଥିବା ୫୦୦ କୋଟି ସାମିଲ ଅଛି। ଏସବୁ ଏସ୍ପିଭି ବାବଦରେ କେନ୍ଦ୍ର ସରକାର କିଛି ବି ଦେଇନାହାନ୍ତି। ନୂଆ ପ୍ରକଳ୍ପ ସମେତ ଚାଲୁ ରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଚଳିତ ଥର ଓଡ଼ିଶା ସରକାର ୭ ହଜାର ୨୦୦ କୋଟି ଦାବି କରିଥିଲେ। ଚାଲୁ ରହିଥିବା ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ପାଇଁ ଯେତିକି ବ୍ୟୟ ବରାଦ ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ଭଳି। ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର ଓ ଜୟପୁର-ନବରଙ୍ଗପୁର-ମାଲକାନଗିରି ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥ ସନ୍ତୋଷଜନକ ନୁହେଁ। ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ଦିଆଯାଇଥିବା ମାତ୍ର ୧୦ କୋଟି ଅର୍ଥରେ କେବଳ ଅଧ କିଲୋମିଟର ଲାଇନ୍ କାମ ହୋଇପାରିବ। ସେହିପରି ଗୁଣୁପୁର-ଥିରୁଭେଲ୍ଲୀ ପ୍ରକଳ୍ପକୁ ୨୦୧୮ରୁ ନୀତି ଆୟୋଗ ମଞ୍ଜୁର କରିସାରିଛନ୍ତି। କିନ୍ତୁ ଏଥରକ ବଜେଟ୍ରେ ସେହି ପ୍ରକଳ୍ପ ପାଇଁ ଟୋକନ୍ ଅର୍ଥ ବାବଦରେ ମାତ୍ର ୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ବ୍ରହ୍ମପୁର-ସମ୍ବଲପୁର ରେଳ ସଂଯୋଗୀକରଣ ପାଇଁ ଓରିଡିଲ୍ ନାମରେ ଯୌଥ କମ୍ପାନି ଗଠନ କରାଯାଇଛି। କିନ୍ତୁ ସେଥିପାଇଁ ବି ମାତ୍ର ୧ ହଜାର ଟୋକନ୍ ଅର୍ଥ ବ୍ୟୟ ବରାଦ କରାଯାଇଛି। ଦୀର୍ଘ ଦିନରୁ ଗଞ୍ଜାମ ଶୀତଳାପଲ୍ଲୀରେ ରେଲ ଓ୍ବାଗନ୍ କାରଖାନା ନିର୍ମାଣ ପାଇଁ ରେଳ ବିଭାଗର ମଞ୍ଜୁରି ମିଳିଥିଲେ ବି ବଜେଟ୍ରେ ଅର୍ଥ ବରାଦ ନ ହେବା କାରଣରୁ ଏହି ପ୍ରକଳ୍ପ କାମ କିଛି ଆଗେଇପାରୁନି ବୋଲି ମନ୍ତ୍ରୀ ଶ୍ରୀ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି।

The post ରେଳ ବଜେଟ ୨୦୨୧-୨୨ : ‘ଓଡ଼ିଶା ଉପେକ୍ଷିତ' first appeared on Sambad.
from ରାଜ୍ୟ – Sambad https://ift.tt/3cLS2rh
0 Comments