
ଭୁବନେଶ୍ବର : ରାଜ୍ୟରେ ଏବେ ବିଭିନ୍ନ ଘରୋଇ ଓ କ୍ଷୁଦ୍ର ଅନୁଷ୍ଠାନ ଉପରେ ୨୨୦୦ କୋଟି ଟଙ୍କାରୁ ଅଧିକ ବିଦ୍ୟୁତ ଦେୟ ବାକି ପଡ଼ିଛି। ଟିପିଏସ୍ଓଡିଏଲ୍ ଅଧୀନରେ ବିଭିନ୍ନ ଅନୁଷ୍ଠାନ ଉପରେ ୧୫୦୯ କୋଟି, ଟିପିସିଓଡିଏଲ୍ ଅଧୀନରେ ୩୪୮.୯୫ କୋଟି, ଟିପିଡବ୍ଲ୍ୟୁଓଡିଏଲ୍ ଅଧୀନରେ ୧୪୦.୨୫ କୋଟି ଏବଂ ନେସ୍କୋ ଅଧୀନରେ ଥିବା ଘରୋଇ ଅନୁଷ୍ଠାନ ଉପରେ ୨୨୩.୭୯ କୋଟି ଟଙ୍କାର ବିଦ୍ୟୁତ ଦେୟ ଅନାଦେୟ ହୋଇ ପଡ଼ି ରହିଛି। ବିଧାନସଭାରେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ ୨୯୭ ଜଣ ଉଚ୍ଚ ନ୍ୟାୟାଳୟ ଓ ୪୪୮ ସଂସ୍ଥା ନିମ୍ନ ଅଦାଲତରେ ଦ୍ବାରସ୍ଥ ହୋଇଛନ୍ତି।
ବଡ଼ ବଡ଼ ଅନୁଷ୍ଠାନ, ସରକାରୀ ସଂସ୍ଥାରୁ ବକେୟା ବିଲ୍ ଆଦାୟ କରିବାକୁ ସରକାର କାହିଁକି ଡରୁଛନ୍ତି ଓ ସାଧାରଣ ଗରିବ ପରିବାରର କମ୍ ବିଦ୍ୟୁତ ବିଲ୍ ବାକି ଥିଲା ବେଳେ ଲାଇନ୍ କଟାଯିବାର କାରଣ କ’ଣ ବୋଲି ପ୍ରଶ୍ନକର୍ତ୍ତା ପଚାରିଥିବା ପ୍ରଶ୍ନକୁ ମନ୍ତ୍ରୀ ଏଡ଼ାଇ ଯାଇଛନ୍ତି।
ବିଭିନ୍ନ ଶିଳ୍ପ ସଂସ୍ଥାର କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ୍ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ବିଦ୍ୟୁତ ଉତ୍ପାଦନକୁ ଡି-ଲାଇସେନ୍ସ କଲା ପରେ ବିଭିନ୍ନ ଶିଳ୍ପ ସଂସ୍ଥା ସେମାନଙ୍କ ନିଜସ୍ବ ବିଦ୍ୟୁତ କେନ୍ଦ୍ର(କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ୍) ସ୍ଥାପନ କରି ସେମାନଙ୍କ ଶିଳ୍ପ ସଂସ୍ଥାକୁ ବିଦ୍ୟୁତ ଯୋଗାଣ କରୁଛନ୍ତି। ଏହି ବ୍ୟବହୃତ ବିଦ୍ୟୁତ ଉପରେ ସରକାର ସଂପୃକ୍ତ ସଂସ୍ଥା ଠାରୁ ବିଦ୍ୟୁ ଶୁଳ୍କ ଆଦାୟ କରିଥା’ନ୍ତି। ଏହି ସଂସ୍ଥାଗୁଡ଼ିକରୁ ବଳକା ବିଦ୍ୟୁତ ଶକ୍ତି ଆବଶ୍ୟକତା ଅନୁଯାୟୀ ଓଇଆର୍ସି ଦ୍ବାରା ନିର୍ଦ୍ଧାରିତ ଦରରେ ଗ୍ରିଡ୍କୋ କ୍ରୟ କରି ଡିସ୍କମ୍ଗୁଡ଼ିକୁ ବିକ୍ରି କରିଥାଏ, ଯାହା କି ସାଧାରଣ ଉପଭୋକ୍ତାଙ୍କ ସେବାରେ ଆସିଥାଏ।
The post ବାକି ପଡ଼ିଛି ୨୨୦୦ କୋଟିର ବିଜୁଳି ଦେୟ first appeared on Sambad.
from ରାଜ୍ୟ – Sambad https://ift.tt/3qZb2XN
0 Comments