୮ରୁ ଶୀତ ଲହରି, ୨୪ ଘଣ୍ଟା ପରେ ୪ ଡିଗ୍ରି ଖସିବ ପାରଦ

ଭୁବନେଶ୍ବର: ଆସନ୍ତା ୮ ତାରିଖରୁ ରାଜ୍ୟ‌ରେ ପୁଣି ଥଣ୍ଡା ବଢ଼ିବ। ପାରଦ ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିବା ସହ ଶୀତ ଲହରି ପ୍ରଭାବିତ ହେବ। ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିବା ସହ ଏହି ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରାତିରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ରାଜ୍ୟକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଶୀତ ପ୍ରକୋପ ଅପେକ୍ଷାକୃତ କମ୍‌ ରହିଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ। ତେବେ ୮ତାରିଖ ବେଳକୁ ସ୍ଥିତି ପରିବର୍ତ୍ତନ ହୋଇଯିବ। ରାଜ୍ୟରୁ ପଶ୍ଚିମା‌ ପବନ ଅପସାରିତ ହୋଇଯିବା ସହ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ବିନା ବାଧା‌ରେ ପ୍ରବାହିତ ହେବ। ଏଥିଯୋଗୁଁ ଶୀତ ପ୍ରକୋପ ବଢ଼ିବ। ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ପାରଦ ନିମ୍ନଗାମୀ ହେବ। କେନ୍ଦ୍ର କହିଛି, ବିଶେ‌ଷକରି ୮ ତାରିଖରୁ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀତ ଲହରି ପ୍ରବାହ ଯୋଗୁଁ ଶୀତର ପ୍ରକୋପ ବଢ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ଦେବଗଡ଼ ଆଦି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ। ସେହିପରି ୯ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ ଓ ସୋନପୁରରେ ଅତ୍ୟଧିକ ଶୀତ ଲହରି ପ୍ରବାହ ଯୋଗୁଁ ଶୀତ ବଢ଼ିବ। ଏନେଇ ଜିଲ୍ଲାବାସୀଙ୍କ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖ ଆଡ଼କୁ ଶୀତ ଲହରି ଅପେକ୍ଷାକୃତ କମ୍‌ ଅଞ୍ଚଳରେ ପ୍ରବାହିତ ହେବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ବଲାଙ୍ଗୀର।

ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିଛି। ତଥାପି ଫେବ୍ରୁଆରି ମାସର ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ଅନୁସାରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରି ‌ରେକର୍ଡ ହୋଇଛି। ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି କିଛି କିଛି ସ୍ଥାନରେ ଦେଖିବାକୁ ମିଳିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ହିଁ ରହିବ। ଆସନ୍ତା ୨୪ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

The post ୮ରୁ ଶୀତ ଲହରି, ୨୪ ଘଣ୍ଟା ପରେ ୪ ଡିଗ୍ରି ଖସିବ ପାରଦ first appeared on Sambad.



from ରାଜ୍ୟ – Sambad https://ift.tt/2YTzTzO

Post a Comment

0 Comments