
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ କାର୍ଯ୍ୟକ୍ରମକୁ ସମ୍ମାନ ଦେଇ ୭ଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଏ ନେଇ ସେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଆଜି ଚିଠି ଲେଖିଛନ୍ତି। ଏଥିରେ ସେ ଅତୀତରେ ପଢ଼ିଥିବା ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ଅନ୍ତର୍ଭୁକ୍ତ। ଏସବୁ ବିଦ୍ୟାଳୟ ପ୍ରତି ତାଙ୍କର ଭାବଗତ ସମ୍ପର୍କ ଥିବାରୁ କର୍ତ୍ତବ୍ୟ ପାଳନ ପାଇଁ ସେବା କରିବା ସୁଯୋଗ ପ୍ରଦାନ କରିବାକୁ ଚିଠିରେ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ଏଥିରେ କେନ୍ଦୁଝର ଜିଲ୍ଲାର ୫ଟି ସ୍କୁଲ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୨ଟି ସ୍କୁଲ ସାମିଲ ଅଛି। ଶ୍ରୀ ପଟ୍ଟନାୟକ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ସ୍କୁଲଗୁଡ଼ିକ ହେଉଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମଡେଲ ସ୍କୁଲ, କେନ୍ଦୁଝର ଗଡ଼ ମୋଡ଼ିବନ୍ଧ ପ୍ରାଥମିକ ବିଦ୍ୟାଳୟ, ତେଲକୋଇ ପ୍ରାଥମିକ ବିଦ୍ୟାଳୟ, ଆନନ୍ଦପୁର ବି.ଏନ୍.ସରକାରୀ ଉଚ୍ଚ ବିଦ୍ୟାଳୟ, ଡି.ଏନ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଙ୍ଗିରିପୋଷି ଉଚ୍ଚ ବିଦ୍ୟାଳୟ ସାମିଲ ଅଛି। ଶ୍ରୀ ପଟ୍ଟନାୟକ କହିଛନ୍ତି, ତାଙ୍କ ଜୀବନର ଇତିହାସ ସହିତ ଏସବୁ ସ୍କୁଲଗୁଡ଼ିକ ଜଡ଼ିତ। ଶ୍ରୀ ପଟ୍ଟନାୟକ ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ସରକାର ତାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
The post ୭ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ ପିସିସି ସଭାପତି first appeared on Sambad.
from ରାଜ୍ୟ – Sambad https://ift.tt/36PbS1f
0 Comments