ନିଆରା ପ୍ରେମର ଉଜ୍ଜ୍ବଳ ଦୃଷ୍ଟାନ୍ତ : ‌ଆଜି ଏସିଡ୍‌ ପୀଡ଼ିତା ପ୍ରମୋଦିନୀଙ୍କ ହାତ ଧରିବେ ସରୋଜ

ଭୁବନେଶ୍ବର : କୁହାଯାଏ ପ୍ରେମ ଶାଶ୍ବତ। ସମାଜର ସମସ୍ତ ଶୃଙ୍ଖଳ ଓ କଠୋର ଋଢ଼ିବାଦୀ ଚିନ୍ତାଧାରାର ସୀମା ସରହଦ ପାର କରି ଏହା ଲେଖେ ନୂଆ ଇତିହାସ। ଜାତି, ଧର୍ମ, ବର୍ଣ୍ଣ, ବୟସ ଓ ସୌନ୍ଦର୍ଯ୍ୟର ଊର୍ଧ୍ବକୁ ଯାଇ ହୃଦୟରୁ ଗଢ଼ା ହୁଏ ଏହି ସୁନ୍ଦର ସମ୍ପର୍କ। ଏଭଳି ପ୍ରେମର ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ଭାବେ ଆସନ୍ତାକାଲି ବିବାହ ବନ୍ଧନର ଅତୁଟ ଡୋରିରେ ବାନ୍ଧି ହେବାକୁ ଯାଉଛନ୍ତି ଏସିଡ୍‌ ଆକ୍ରମଣରେ ପୀଡ଼ିତା ପ୍ରମୋଦିନୀ ରାଉଳ ଏବଂ ତାଙ୍କର ବନ୍ଧୁ ସରୋଜ ସାହୁ।

ଏସିଡ୍‌ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲେ ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ। ଆଉ ତାଙ୍କ କଷ୍ଟକୁ ବି ନିଜର କରି ନେଇଛନ୍ତି। ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବଢ଼ାଇଛନ୍ତି। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି।

୨୦୦୯ ମସିହାରେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ। କଲେଜ ନିକଟରେ ଯବାନମାନଙ୍କର ଏକ କ୍ୟାମ୍ପ ପଡ଼ିଥିଲା। ସେଥିରୁ ଜଣେ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରୁଥିଲେ ଓ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ସେତେବେଳେ ପ୍ରମୋଦିନୀଙ୍କ ବୟସ ଖୁବ୍‌ କମ୍‌ ଥିବାରୁ ପ୍ରମୋଦିନୀ ଓ ତାଙ୍କ ପରିବାର ବର୍ଗ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ। କିନ୍ତୁ ପ୍ରମୋଦିନୀଙ୍କୁ ଏହି ପ୍ରତ୍ୟାଖାନର ଭୟଙ୍କର ମୂଲ୍ୟ ଦେବାକୁ ପଡ଼ିଥିଲା। ଯୁବକ ଜଣକ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ଫିଙ୍ଗି ତାଙ୍କ ଚେହେରାକୁ ବିକୃତ କରି ଦେଇଥିଲା। ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ‌ କୋ‌ମାରେ ହିଁ ରହିଥିଲେ। ଏହା ପରେ ପ୍ରମୋଦିନୀ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ। ୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସରୋଜ, ପ୍ରମୋଦିନୀଙ୍କର ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବାଯତ୍ନ ମଧ୍ୟ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ।

୨୦୧୮ ମସିହା ଲକ୍ଷ୍ନୌ ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ଏବେ ଉଭୟ ପରିବାରର ସ୍ବୀକୃତି ଓ ସାମାଜିକ ରୀତିନୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆସନ୍ତାକାଲି ଜଗତସିଂହପୁରସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ। ଚେହେରା ଜଳିଗଲେ ଜୀବନ ସରିଯାଏନି… ଏକଥା ପ୍ରମୋଦିନୀ ପ୍ରମାଣ କରିଥିବା ବେଳେ ସରୋଜଙ୍କ ଭଳି ଯୁବକଙ୍କ ଉନ୍ନତ ଚିନ୍ତାଧାରା ନିହାତି ଆମ ଯୁବପିଢ଼ିଙ୍କୁ ପ୍ରେରିତ କରିବ ବୋଲି ଆଶା।

The post ନିଆରା ପ୍ରେମର ଉଜ୍ଜ୍ବଳ ଦୃଷ୍ଟାନ୍ତ : ‌ଆଜି ଏସିଡ୍‌ ପୀଡ଼ିତା ପ୍ରମୋଦିନୀଙ୍କ ହାତ ଧରିବେ ସରୋଜ first appeared on Sambad.



from ରାଜ୍ୟ – Sambad https://ift.tt/3bMx89h

Post a Comment

0 Comments