
ପୁରୀ : ମାଓପ୍ରବଣ ଅଞ୍ଚଳରେ ଦିନେ ଗାଈ ଚରାଉଥିବା ପିଲାଟିଏ ଆଜି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଦିନେ ମାଂସ ଲୋଭରେ ସେ ପକ୍ଷୀ ଶିକାର କରୁଥିଲେ। ଏବେ କହୁଛନ୍ତି, ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ। ଏହିଭଳି ପରିବର୍ତ୍ତନ ପଛରେ ରହିଛି ବାଲୁକା କଳା ପ୍ରତି ମୋହ। ସେଇଥିପାଇଁ ସେ କାଳିମେଳାରୁ ଶ୍ରୀକ୍ଷେତ୍ର ଧାଇଁ ଆସିଥିଲେ। ଏବେ ବାଲୁକା ଶିଳ୍ପୀ ଭାବେ ନିଜକୁ ଗଢ଼ିତୋଳିବା କୌଣସି ପ୍ରେରଣାଦାୟୀ କାହାଣୀଠାରୁ ବି କମ୍ ନୁହେଁ!
ସେ ହେଉଛନ୍ତି, ମାଲକାନଗିରି କାଲିମେଳା ବ୍ଲକ୍ ତୁମ୍ବାଗୁଡ଼ା ଗ୍ରାମରେ ଗଙ୍ଗା କାବାସୀ ଓ ପଦିଏ କାବାସୀଙ୍କ ପୁଅ ମୁକା। ଯେତେବେଳେ କୋୟା ଜନଜାତିର ଅର୍ଦ୍ଧଶିକ୍ଷିତ କିଛି ପିଲା ମାଓ ସଂଗଠନକୁ ମୁହାଁଉଥିଲେ, ସେତେବେଳେ ମୁକା କୋଇଲା ଖଣ୍ଡେ ଧରି କାନ୍ଥରେ ଚିତ୍ର ଆଙ୍କିବାରେ ନିମଗ୍ନ ରହୁଥିଲେ। ଗାଈ ଚରାଇବାକୁ ଜଙ୍ଗଲକୁ ଯାଉଥିବାବେଳେ ସେଠି ମାଟିରେ ମୂର୍ତ୍ତି ଗଢ଼ୁଥିଲେ। ଚାଷରେ ବି ସେ ଖୁବ୍ ଧୂରୀଣ ଥିଲେ। ତେଣୁ ମୁକାଙ୍କ ବାପା ଗଙ୍ଗା ଚାହୁଁଥିଲେ ମୁକା ଚାଷରେ ମନ ଦିଅନ୍ତୁ। ମାତ୍ର ଗାଁ’ ଲୋକେ ମୁକାଙ୍କ ଚିତ୍ର ଦେଖି ଗଙ୍ଗାଙ୍କୁ କହୁଥିଲେ, ତୁମ ପୁଅକୁ ସ୍କୁଲ୍ରେ ପଢ଼ାଅ। ତେଣୁ ଗଙ୍ଗା ଗାଁ’ ସ୍କୁଲ୍ରେ ମୁକାଙ୍କ ନାଁ ଲେଖେଇଦେଲେ। ମୁକାଙ୍କ ଘରେ ଟିଭିଟିଏ ନଥିଲା, କି ପଢ଼ିବା ପାଇଁ ଖବରକାଗଜଟିଏ ଉପଲବ୍ଧ ହେଉନଥିଲା। ମାତ୍ର ୨୦୧୨ ମସିହାରେ ଏକ ପୁରୁଣା ଖବରକାଗଜରେ ସେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ କଳାକୃତି ଦେଖି ଏତେ ବିଭୋର ହୋଇଗଲେ ଯେ ସେଇଠୁ ବାଲୁକା କଳା ଶିଖିବା ପାଇଁ ନିଷ୍ପତ୍ତି ନେଲେ। ବହୁତ କଷ୍ଟରେ ସେ ପୁରୀରେ ପହଁଚିଲେ। ପୁରୀ ଆସି ସୁଦର୍ଶନଙ୍କ ଠାରୁ ବାଲୁକା କଳା ତାଲିମ ନେବାକୁ ପ୍ରୟାସ ଜାରି ରଖିଲେ।
ଏଠି ପହଁଚିଲା ପରେ ତାଙ୍କ ଜୀବନ ବଦଳିଗଲା ବୋଲି କୁହନ୍ତି ମୁକା। ସେ କୁହନ୍ତି ଯେ, ‘ ୨୦୧୫ ମସିହାରୁ ମୁଁ ମୂଲ ଲାଗି ୧୦ ହଜାର ଟଙ୍କା ସଞ୍ଚିଥିଲି। ସେହି ଅର୍ଥରେ ମୁଁ ଭୁବନେଶ୍ବର ଚାଲିଆସିଲି। ରାଜଧାନୀ କଲେଜ୍ରେ +୨ ବିଜ୍ଞାନରେ ନାମ ଲେଖାଇଲି। ତେବେ ପୁରୀ ଆସି ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ନିଧ୍ୟ ଲାଭ କରିବା ସହ ବାଲୁକା କଳା ଶିଖିବାର ମୋହରୁ ବିରତ ହୋଇନଥିଲି। ସେଇଥିପାଇଁ ଗ୍ରାଜୁଏସନ୍ ପରେ ସିଧା ପୁରୀ ଚାଲି ଆସିଲି। ସଂଯୋଗବଶତଃ ୨୦୧୮ ମସିହାରେ ତାଙ୍କର ଜଣେ ଛାତ୍ରଙ୍କ ସହ ତାଙ୍କର ଭେଟ ହେଲା।,।’ ଏହାପରଠୁ ବାଲୁକା କଳା ମାଧ୍ୟମରେ ସେ ସଚେତନତା ବାର୍ତ୍ତା ବାଣ୍ଟି ଚାଲୁଛନ୍ତି।
The post ଗାଈ ଚରାଳି ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା first appeared on Sambad.
from ରାଜ୍ୟ – Sambad https://ift.tt/2PmjkuM
0 Comments