ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ଐତିହ୍ୟ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆଜି କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହପାତ୍ର। ଏହି ପ୍ରସଙ୍ଗରେ ଏକାମ୍ର କ୍ଷେତ୍ରରେ ଅସନ୍ତୋଷ ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ବାଇ-ଲ’ ପ୍ରତ୍ୟାହାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି। ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଏକାମ୍ର କ୍ଷେତ୍ରରେ ଦୁଇଟି ଯାକ ମନ୍ଦିରରେ ଦେବତା ପୂଜା ପାଉଛନ୍ତି ଓ ସେଠାରେ ନୀତିକାନ୍ତି ଚାଲୁ ରହିଛି। ଏହି ବାଇ-ଲ’ ସେବାୟତ, ଶ୍ରଦ୍ଧାଳୁ, ସାଧାରଣ ଜନତା ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଜାତୀୟ ସ୍ମାରକୀ ପ୍ରାଧିକରଣ କର୍ତ୍ତୃପକ୍ଷ ଅଂଶୀଦାରମାନଙ୍କ ସହ ଆଲୋଚନା ନ କରି ଏପରି ବାଇ-ଲ’ ପ୍ରସ୍ତୁତ କରିଛନ୍ତି। ଏହି କାରଣ ପାଇଁ ପୁରୀରେ ଐତିହ୍ୟ ବାଇ-ଲ’କୁ ପ୍ରତ୍ୟାହାର କରିନିଆଯାଇଥିଲା। କିନ୍ତୁ ଏକାମ୍ର କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ପ୍ରତ୍ୟାହାର ହୋଇନାହିଁ। ବାଇ-ଲ’ ପ୍ରତ୍ୟାହାର ହେଉ ନ ଥିବାରୁ ଲଗାତର ଭାବେ ବିରୋଧ, ପ୍ରତିବାଦ ଜାରି ରହିଛି। ଫଳରେ ଆଗାମୀ ଦିନରେ ଏହା ଅଧିକ ଅସନ୍ତୋଷ ସୃଷ୍ଟି କରିବା ସହ ଧାର୍ମିକ ନୀତିକାନ୍ତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏପରି ଧାରା ଜାରି ରହିଲେ ଲୋକଙ୍କ ଧାର୍ମିକ ଭାବାବେଗକୁ ମଧ୍ୟ ଏହା ଆଘାତ ଦେବ। ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରୀରେ ଏକାମ୍ର କ୍ଷେତ୍ରରେ ବହୁ ଲୋକଙ୍କ ସମାଗମ ହେବ। ଏହି ପର୍ବକୁ ଶାନ୍ତିପୂର୍ଣ୍ଣ ପରିବେଶରେ ଓ ସେବାୟତମାନଙ୍କ ସହଯୋଗରେ ଆୟୋଜନ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହାକୁ ନଜରରେ ରଖି ତୁରନ୍ତ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ନିଆଯାଉ।
ଶ୍ରୀ ମହାପାତ୍ର ଆହୁରି ପ୍ରସ୍ତାବ ଦେଇଛନ୍ତି ଯେ ଏପରି ସମ୍ବେଦନଶୀଳ ମନ୍ଦିର ପ୍ରସଙ୍ଗରେ ବିଶେଷ କରି ଯେଉଁଠାରେ ଦେବାଦେବୀ ପୂଜା ପାଉଛନ୍ତି, ତାହା ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେବାୟତ, ମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ ସହ ଜାତୀୟ ସ୍ମାରକୀ ପ୍ରାଧିକରଣ କର୍ତ୍ତୃପକ୍ଷ ଆଲୋଚନା କରନ୍ତୁ। ରାଜ୍ୟ ସରକାର ସମସ୍ତ ପ୍ରକାର ଗଠନମୂଳକ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି।
The post ଅସନ୍ତୋଷ ବଢ଼ୁଛି, ବାଇ-ଲ’ ତୁରନ୍ତ ପ୍ରତ୍ୟାହାର କର first appeared on Sambad.
from ରାଜ୍ୟ – Sambad https://ift.tt/3b9zj6D
0 Comments