ବାଇ-ଲ’ ବିବାଦ : ଗୋଳିଆ କଲେ ଅପରାଜିତା

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କଥାକୁ କାଟିଲେ
କହିଲେ ପ୍ରତ୍ୟାହାର ଦାବି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ଭୁବନେଶ୍ବର: ୧୨ ଫେବ୍ରୁଆରି ୨୦୨୧। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଲେ, ରାଜ୍ୟ ସରକାରଙ୍କ ଅଧିକାରୀ ଠିକ୍ ଭାବେ ଚିଠା ଉପନିୟମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ନାହାନ୍ତି। କେନ୍ଦ୍ର ନଜରକୁ ବିଶଦ ତଥ୍ୟ ସହ ଆସିଲେ ମୋଦୀଙ୍କ ସରକାର ଓଡ଼ିଶାର ଜନସାଧାରଣଙ୍କ ସଂସ୍କୃତି, ଗୌରବ ଓ ଭାବାବେଗକୁ ସମ୍ମାନ ଦେବାରେ ଆଦୌ ହେଳା କରିବେ ନାହିଁ।

୧୪ ଫେବ୍ରୁଆରି ୨୦୨୧। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ବରରେ କହିଲେ, ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପାଇଁ ଆଦେଶ ଦିଆସରିଛି। ଯେମିତି ପୁରୀ ଶ୍ରୀମନ୍ଦିରର ଅଧିନିୟମ ପ୍ରତ୍ୟାହାର ହୋଇଛି, ସେମିତି ଏକାମ୍ର କ୍ଷେତ୍ରରେ ମଧ୍ୟ ତାହା ପ୍ରତ୍ୟାହାର ହେବ। ଏହି ଅଧିନିୟମକୁ ପ୍ରତ୍ୟାହାର କରିନିଆଗଲା ବୋଲି ଧରିନିଆଯାଉ।

୨୪ ଘଣ୍ଟା ପରେ ଅର୍ଥାତ ୧୫ ଫେବ୍ରୁଆରି ୨୦୨୧। ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବରରେ କହିଲେ, ବାଇ-ଲ’ ପ୍ରତ୍ୟାହାରର କୌଣସି ପ୍ରାସଙ୍ଗିକତା ନାହିଁ। ବାଇ-ଲ’ ପ୍ରତ୍ୟାହାର ଦାବି ଅପରିପକ୍ବତା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବାଇ-ଲ’ ଦ୍ବାରା ସେବାୟତ, ସାଧାରଣ ଜନତା ପ୍ରଭାବିତ ହେବେନି କି ବିକାଶମୂଳକ କାର୍ଯ୍ୟ ବ୍ୟାହତ ହେବନି।

ଗତ ୪ ଦିନ ଭିତରେ ସମାନ ପ୍ରସଙ୍ଗରେ ବିଜେପିର ଦୁଇ କେନ୍ଦ୍ର ମନ୍ତ୍ରୀ ଓ ସ୍ଥାନୀୟ ସାଂସଦଙ୍କ କଥାରେ ତାଳମେଳ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଳରେ ଏକାମ୍ର କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’) ପ୍ରସଙ୍ଗ ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନ କେନ୍ଦ୍ର ସରକାରଙ୍କୁ ଘେରୁଥିଲା ବେଳେ ବିଜେପି ଅକଳରେ ପଡ଼ିଯାଇଛି। ଦଳର ତୁଙ୍ଗ ନେତାମାନେ ନିଜ ନିଜ ବାଟରେ ମନ୍ତବ୍ୟ ଦେଇ ସମଗ୍ର ପ୍ରସଙ୍ଗଟିକୁ ଅଧିକ ବିବାଦୀୟ କରି ଦେଇଛନ୍ତି। ଫଳରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରୁ ନାହିଁ।

ଆଜି ଭୁବନେଶ୍ବର ଫେରିଲା ପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସେଥିରେ ସେ ବାଇ-ଲ’ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ ଯେ ଐତିହ୍ୟ ବାଇ-ଲ’ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦିଷ୍ଟ ଓ ନମନୀୟ ଅଟେ। ୱେବ୍‌ସାଇଟ୍‌ରେ ଏହା ଉପଲବ୍ଧ ଥିଲା ବେଳେ ଏଥିରେ ଯିଏ ଚାହିଁବ ଅଭିଯୋଗ ଓ ପ୍ରସ୍ତାବ ଦାଖଲ କରିପାରିବ। ଏହି ପରିପ୍ରେକ୍ଷୀରେ ବାଇ-ଲ’ ପ୍ରତ୍ୟାହାରର କୌଣସି ପ୍ରାସଙ୍ଗିକତା ନାହିଁ। ଆହୁରି ମଧ୍ୟ ବାଇ-ଲ’ ପ୍ରତ୍ୟାହାରର କୌଣସି ସୁଫଳ ମିଳିବ ନାହିଁ। କାରଣ ପୂର୍ବ ପ୍ରଚଳିତ ଅମ୍‌ସାର୍‌ ଆକ୍ଟ-୧୯୫୮ ଅନୁଯାୟୀ ସମସ୍ତ ଆଇନ ପୂର୍ବ ପରି ବଳବତ୍ତର ରହିଛି। ବରଂ ଏହି ବାଇ-ଲ’ ଦ୍ବାରା ସାଧା‌ରଣ ଜନତା ନିଷିଦ୍ଧାଞ୍ଚଳରେ ନିୟମ ଅନୁଯାୟୀ ନିର୍ମାଣ ମରାମତି କାମ କରିପାରିବେ। ସେହିପରି ସେବାୟତ ଓ ସାଧାରଣ ଜନତା ମଧ୍ୟ କ୍ଷତିଗ୍ରସ୍ତ ‌େହବାର ପ୍ରଶ୍ନ ଉଠୁନି। ଉଭୟ ଲିଙ୍ଗରାଜ ମନ୍ଦିର ଓ ପୁରୀ ମନ୍ଦିର ପରିସରରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସେବାୟତ ବା ସାଧାରଣ ଜନତାଙ୍କ ଘର, ମଠ, ମନ୍ଦିର ଅଧିଗ୍ରହଣ କରି ଏହାର କ୍ଷତିପୂରଣ ପ୍ରଦାନ କରାଯାଇଅଛି। ବରଂ ୧୦୦ ମିଟର ପରେ ଓ ୩୦୦ ମିଟର ମଧ୍ୟରେ ଥିବା ହିତାଧିକାରୀମାନେ ବାଇ-ଲ’ ଅନୁଯାୟୀ ସମସ୍ତ ଆଇନକାନୁନ୍‌ ଓ ଅନୁମତି କ୍ରମେ ନିର୍ମାଣ, ପୁନଃନିର୍ମାଣ ମରାମତି କାର୍ଯ୍ୟ କରିପାରିବେ। କୀର୍ତ୍ତିରାଜିର ସୁରକ୍ଷା ପାଇଁ ବାଇ-ଲ’ରେ ୧୦୦ ମିଟର ନିଷିଦ୍ଧାଞ୍ଚଳ ଓ ୨୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ ବୋଲି ସ୍ପଷ୍ଟ କରିବା ପରିବର୍ତ୍ତେ ଏହି ବାଇ-ଲ’ ବିକାଶ କାର୍ଯ୍ୟରେ ବ୍ୟାହତ ସୃଷ୍ଟି କରୁଛି ବୋଲି କହି ଲୋକଙ୍କ ସାମ୍ନାରେ ସରକାର ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛନ୍ତି। କୀର୍ତ୍ତିରାଜି ଅଞ୍ଚଳରେ ବେନିୟମରେ କରିଥିବା ବ୍ୟାପକ ଉଚ୍ଛେଦକୁ ଲୁଚାଇବା ପାଇଁ ଏହା ଅପପ୍ରୟାସ ବୋଲି ସାଂସଦ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ଯେ, ଏ ପର୍ଯ୍ୟନ୍ତ ପୁରାତନ କୀର୍ତ୍ତିରାଜି ଓଐତିହ୍ୟରେ ଭରପୂର ଥିବା ଅଞ୍ଚଳରେ ହୋଇଥିବା ସମସ୍ତ ଉଚ୍ଛେଦ ଓ ପ୍ରକ୍ରିୟାରେ ପ୍ରତ୍ନତତ୍ତ୍ବ ବିଭାଗକୁ କାହିଁକି ସାମିଲ କରାଯାଇ ନାହିଁ ? ଏଏସ୍‌ଆଇ ମହାନିର୍ଦ୍ଦେଶକ ୨୦୧୯ ଡିସେମ୍ବରରେ ରାଜ୍ୟ ସରକାରଙ୍କୁ ଭେଟି ଡିପିଆର୍‌ ବିଷୟରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ ବି କାହିଁକି ଅବଗତ କରାଗଲା ନାହିଁ ? ଏହାକୁ ଗୋପନ ରଖିବା ପଛର ଉଦ୍ଦେଶ୍ୟ କ’ଣ ? କେଉଁ ଆର୍କିଓଲୋଜିକାଲ୍‌ ଫାର୍ମ ଜଗନ୍ନାଥ ମନ୍ଦିର, ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶର ରୂପରେଖ ପ୍ରସ୍ତୁତ କରୁଛନ୍ତି, ରାଜ୍ୟ ସରକାର ଏହା ସ୍ପଷ୍ଟ କରିବେ କି ? ସେହି ଫାର୍ମଗୁଡ଼ିକର ଟ୍ରାକ୍ ରେକର୍ଡ କ’ଣ ଓ ଐତିହାସିକ କୀର୍ତ୍ତିରାଜି ରକ୍ଷଣାବେକ୍ଷଣ କରିବାର ଅଭିଜ୍ଞତା ଅଛି ତ ?

The post ବାଇ-ଲ’ ବିବାଦ : ଗୋଳିଆ କଲେ ଅପରାଜିତା first appeared on Sambad.



from ରାଜ୍ୟ – Sambad https://ift.tt/3s0YZcf

Post a Comment

0 Comments