ସାତକୋଶିଆରେ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ଆଶଙ୍କା : ଏନ୍‌ଟିସିଏ ଦେଲା ତଦନ୍ତ ନିର୍ଦ୍ଦେଶ

ଅନୁଗୁଳ : ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସାତକୋଶିଆ ପରିସରରେ ଆରମ୍ଭ ହୋଇଥିବା ଇକୋ ଟୁରିଜିମ୍‌ (ପର୍ଯ୍ୟାବରଣ ପର୍ଯ୍ୟଟନ)ଯୋଜନାର ଭବିଷ୍ୟତ ନେଇ ଆ‌ଶଙ୍କା ପ୍ରକାଶ ପାଇଛି। ସାତକୋଶିଆ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ଭିତରେ ଏହି ଅଂଚଳ ଆସୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ଗାଇଡ୍‌ଲାଇନ ଅନୁସାରେ ଏହା ବେଆଇନ ବୋଲି ଦର୍ଶାଇ ଓଡ଼ିଶା ବନ୍ୟପ୍ରାଣୀ ସୋସାଇଟିର ସଂପାଦକ ବିଶ୍ବଜିତ ମହାନ୍ତି ଏନ୍‌ଟିସିଏ ପାଖରେ ଫେରାଦ ହେବାରୁ ଏବେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ତଦନ୍ତ ରିପୋର୍ଟ ଉପରେ ସାତକୋଶିଆ ପର୍ଯ୍ୟଟନ ଶିଳ୍ପର ଭାଗ୍ୟ ନିର୍ଭର କରୁଛି।

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଂଚଳ ଭିତରେ ବନ ବିଭାଗ ଓ ସରକାରଙ୍କ ପକ୍ଷରୁ ଇକୋ ଟୁରିଜିମ୍‌କୁ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ନେଚର କ୍ୟାମ୍ପ କରାଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବହୁବିଧ ବ୍ୟବସ୍ଥା କରାଯାଇଛି। ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କ ନୌବିହାର ପାଇଁ ଯନ୍ତ୍ରଚାଳିକ ଡଙ୍ଗା ବ୍ୟବହାର କରାଯାଉଛି। ଏପଟେ ବଡମୂଳରେ ପର୍ଯ୍ୟଟକଙ୍କ ପାଇଁ ନାଚଗୀତର ଆସର ଆୟୋଜନ କରାଯାଉଥିବାରୁ ଏହା ପ୍ରାଣୀ ସମ୍ପଦ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି। ପର୍ଯ୍ୟଟନ ନାମରେ ଜଙ୍ଗଲର ମୌଳିକ ଗୁଣବତ୍ତାକୁ ନ‌ଷ୍ଟ ମଧ୍ୟ କରାଯାଉଛି। ତେଣୁ ଏହାକୁ ବନ୍ଦ କରିବା ସହ ଜଙ୍ଗଲର ମୌଳିକତା ରକ୍ଷା ଓ ପ୍ରାଣୀ ସମ୍ପଦକୁ ଉପଯୁକ୍ତ ପରିବେଶ ଯୋଗାଇ ଦେବା ଉପରେ ଗୁରୁତ୍ବ ଦେବାକୁ ଓଡ଼ିଶା ବନ୍ୟପ୍ରାଣୀ ସୋସାଇଟିର ସଂପାଦକ ଶ୍ରୀ ମହାନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ)କୁ ଚିଠି ଲେଖି ଜଣାଇଥିଲେ। ଏନ୍‌ଟିସିଏର ଡିଆଇଜି(ଜଙ୍ଗଲ) ରାଜେନ୍ଦ୍ର ଜି. ଗରୱାଡ ଏହି ଅଭିଯୋଗର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଟିସିଏର ନାଗପୁରସ୍ଥିତ ଆଂଚଳିକ କାର୍ଯ୍ୟାଳୟର ଏଆଇଜି ଏହାର ତଦନ୍ତ କରିବେ। ତଦନ୍ତ ସାରି ଯଥାଶୀଘ୍ର ଏହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

The post ସାତକୋଶିଆରେ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ଆଶଙ୍କା : ଏନ୍‌ଟିସିଏ ଦେଲା ତଦନ୍ତ ନିର୍ଦ୍ଦେଶ first appeared on Sambad.



from ରାଜ୍ୟ – Sambad https://ift.tt/37m52Au

Post a Comment

0 Comments