ଚନ୍ଦ୍ରଭାଗାରେ ମାଘମେଳା ବୁଡ଼ ବନ୍ଦ

ପୁରୀ:‌ କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଫେବ୍ରୁଆରି ୧୮ରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରିଛି। କେବଳ ମାଘସପ୍ତମୀ ନୀତିକାନ୍ତି ସ୍ବାଭାବିକ ଚାଲିଛି। ବାକି ସବୁକିଛି ବନ୍ଦ ରଖାଯାଇଛି।

ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଚନ୍ଦ୍ରଭାଗାରେ ମାଘ ମେଳା ବୁଡ଼ ପକାଇବା ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ୧୯ ତାରିଖ ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବ ସହ ପହିଲି ସୂର୍ଯ୍ୟ ଦର୍ଶନ କରିଥା’ନ୍ତି। ଏଥିପାଇଁ ପୂର୍ବଦିନ ରାତିରୁ ଲୋକେ ଭିଡ଼ ଜମାନ୍ତି। ଜନସମାଗମରୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧୀନ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି।

ଫେବ୍ରୁଆରି ୧୮ ତାରିଖ ପୂର୍ବାହ୍ଣ ୧୧ଟାରୁ ୧୯ ତାରିଖ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ମାଘମେଳା ପଡ଼ିଆରେ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଓ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାନୁଆରି ୩୦ରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ତଥ‌ା ନୀତିକାନ୍ତି ଅନୁଷ୍ଠିତ ହେବ। ନୀତିକାନ୍ତି ସହ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ସାମ୍ବାଦିକଙ୍କୁ ପଡ଼ିଆ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିରେ ସହଯୋଗ ପାଇଁ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

The post ଚନ୍ଦ୍ରଭାଗାରେ ମାଘମେଳା ବୁଡ଼ ବନ୍ଦ first appeared on Sambad.



from ରାଜ୍ୟ – Sambad https://ift.tt/2ZoQrzK

Post a Comment

0 Comments