ଅର୍ଥ କମିସନ ରିପୋର୍ଟ : ପଛୁଆପଣ ବଖାଣିଲେ

ଜଳସେଚନ, ସ୍ବାସ୍ଥ୍ୟ, ସହରୀକରଣରେ ପଛୁଆ
ଡାକ୍ତରଙ୍କର ଘୋର ଅଭାବ, ଶିକ୍ଷା ବଜେଟ୍ କମ୍‌
ପ୍ରତି ୧୦୦ରେ ୩୫ଙ୍କ ଘରେ ରହିଛି ପାଇଖାନା
ଉଦୟ ଯୋଜନାରୁ ବାଦ୍ ପଡ଼ିଲା ଓଡ଼ିଶା
ପଛୁଆ ୨୦% ବ୍ଲକକୁ ଫୋକସ୍‌ କରିବାକୁ ପରାମର୍ଶ

ଭୁବନେଶ୍ବର : ଜାତୀୟ ହାର (୧୧୨୭ ମିମି) ତୁଳନାରେ ଓଡ଼ିଶାର ବାର୍ଷିକ ବୃଷ୍ଟିପାତ (୧୩୪୪.୫ ମିମି) ହାର ଢେର୍ ଅଧିକ। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଲା ଯେ ଜାତୀୟ ହାର (୨୦୧୪-୧୫ରେ ୪୮.୬%) ତୁଳନାରେ ଓଡ଼ିଶାର ଜଳସେଚନ ହାର ମାତ୍ର ୨୮.୭%। ଅର୍ଥାତ୍ ରାଜ୍ୟର ଜଳସେଚନକୁ ଜାତୀୟ ହାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ।

ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ପେଷାଦାରଙ୍କ ସଂଖ୍ୟା ମଧ୍ୟ ଅତି ନଗଣ୍ୟ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ୧୫୨୯ ଜଣ ବିଶେଷଜ୍ଞ ପଦ ଥିବା ବେଳେ ଏସବୁରେ ୧୨୭୬ଟି ଅର୍ଥାତ୍ ୮୩.୫ % ପଦବି ଖାଲି ପଡ଼ିଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୩୦.୮% ଡାକ୍ତରଙ୍କ ଅଭାବ ରହିଛି।

ଏଭଳି ଏକ ସଙ୍ଗିନ୍ ପରିସ୍ଥିତିରୁ ମୁକୁଳିବାକୁ ହେଲେ ଓଡ଼ିଶାକୁ ମହାରାଷ୍ଟ୍ର ମଡେଲ ଅନୁସରଣ କରିବାକୁ ପଡ଼ିବ। କଲେଜ ଅଫ୍‌ ଫିଜିସିଆନ୍ସ ଆଣ୍ଡ ସର୍ଜନସର ଡିପ୍ଲୋମାଧାରୀଙ୍କ ପାଠକୁ ସ୍ବୀକୃତି ଦେବାକୁ ହେବ ଏବଂ ସେମାନଙ୍କୁ ରାଜ୍ୟର ଅନୁନ୍ନତ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଚିକିତ୍ସା ଲାଗି ଅନୁମତି ଦିଆଯିବା ଦରକାର। ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରିବା ପାଇଁ ଟେଲିମେଡିସିନର ବହୁଳ ଉପଯୋଗ କରାଯିବା ମଧ୍ୟ ଉଚିତ୍। କେବଳ ସେତିକି ନୁହେଁ, ଏମିତି ପଦକ୍ଷେପ ନିଆଯିବା ଦରକାର, ଯାହାଦ୍ବାରା ମାତୃ ମୃତ୍ୟୁହାର ଜାତୀୟ ହାରର ସମକକ୍ଷ ହେବ। ଜାତୀୟସ୍ତରରେ ଏହି ହାର ପ୍ରତି ୧ଲକ୍ଷରେ ୧୧୩ ଥିବା ବେଳେ ଓଡ଼ିଶା (୨୦୧୬ ରିପୋର୍ଟ)ରେ ପ୍ରତି ଲକ୍ଷେରେ ୧୫୦ ଜଣ ପ୍ରାଣ ହରାଉଛନ୍ତି।

ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଯଦିଓ ଜାତୀୟ ସ୍ତରକୁ ଦେଖିଲେ ଖରାପ ନାହିଁ ତଥାପି ରାଜ୍ୟର ମୁଣ୍ଡପିଛା ଶିକ୍ଷା ବ୍ୟୟହାର ବଢ଼ାଇବା ଅପରିହାର୍ଯ୍ୟ।

ରାଜ୍ୟରେ ତିନିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଏଭଳି ତଥ୍ୟ ଆମେ ଦେଉନାହୁଁ। ସୋମବାର ସଂସଦରେ ପଞ୍ଚଦଶ ଅର୍ଥ କମିସନଙ୍କର ଯେଉଁ ରିପୋର୍ଟ ଉପସ୍ଥାପିତ ହୋଇଛି, ସେଥିରେ ଓଡ଼ିଶାର ସାମାଜିକ ଚିତ୍ର ସଂପର୍କରେ ଏଭଳି ସାଂଘାତିକ ତଥ୍ୟମାନ ସାମ୍ନାକୁ ଆସିଛି। ଓଡ଼ିଶା ସଂପର୍କରେ କେତେକ ମୌଳିକ ତଥ୍ୟ ସହ ବିଭିନ୍ନ ମାନଦଣ୍ଡରେ ରାଜ୍ୟ ଜାତୀୟ ହାର ତୁଳନାରେ କେଉଁଠି ଓ କିଭଳି ରହିଛି ତାହାର ଅବତାରଣା କରାଯାଇଛି। ଗୋଟିଏ ପଟେ ରାଜ୍ୟ ସରକାର ବିଶ୍ବସ୍ତରୀୟ ପରିକଳ୍ପନା କରୁଥିବା ବେଳେ ଅନ୍ୟପଟରେ ଅର୍ଥ କମିସନଙ୍କ ରିପୋର୍ଟରେ ଆସିଥିବା ଏହି ଚିତ୍ର ସୂଚାଇ ଦେଉଛି ଯେ ଓଡ଼ିଶା ବିଶ୍ବ କଥା ଦୂରେ ଥାଉ ଅଧିକାଂଶ କ୍ଷେତ୍ରରେ ଜାତୀୟ ହାର ପାଖାପାଖି ସ୍ଥିତିରେ ବି ନାହିଁ। ଏକ୍ଷେତ୍ରରେ ଓଡ଼ିଶାକୁ ଆହୁରି ବହୁତ ରାସ୍ତା ଅତିକ୍ରମ କରିବାର ଅଛି।

କମିସନଙ୍କ ରିପୋର୍ଟର ଚତୁର୍ଥ ଖଣ୍ଡରେ ଦେଶର ପ୍ରତ୍ୟେକ ରାଜ୍ୟ ସଂପର୍କରେ ଯେଉଁ ସାମଗ୍ରିକ ରିପୋର୍ଟ ପ୍ରକାଶ ପାଇଛି; ତାହାକୁ ଅନୁକରଣ କଲେ ଏକଥା ସ୍ପଷ୍ଟ ହୋଇଯାଉଛି ଯେ ଆର୍ଥିକ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଉଲ୍ଲେଖନୀୟ ଥିବା ସତ୍ତ୍ବେ ଚ୍ୟାଲେଞ୍ଜ କିଛି କମ୍ ନାହିଁ।

ଦେଶର ୨୯ଟି ରାଜ୍ୟ ମଧ୍ୟରୁ ସହରାଞ୍ଚ​ଳରେ ଓଡ଼ିଶା ଶେଷ ଆଡ଼ୁ ଚତୁର୍ଥ ସ୍ଥାନରେ ରହିଛି। ଜାତୀୟସ୍ତରରେ ୩୧.୨% ସହରାଞ୍ଚଳ ହୋଇଥିବା ବେଳେ ଓଡ଼ିଶାର ଏ କ୍ଷେତ୍ରରେ ଉପସ୍ଥିତି ମାତ୍ର ୧୬.୭%। ୨୦୧୧ ଜନଗଣନା ଅନୁସାରେ, ରାଜ୍ୟରେ ଗୋଟିଏ ବି ସହର ନାହିଁ, ଯେଉଁଠାରେ ୧୦ଲକ୍ଷ ଲୋକରୁ ଅଧିକ ଅଛନ୍ତି। କୌଣସି ରାଜ୍ୟର ବିକାଶ ପଛରେ ସହରାଞ୍ଚଳର ଯୋଗଦାନ ଅଧିକ। ସେମାନେ ଅର୍ଥନୀତିର ବାହକ। ଏଣୁ ରାଜ୍ୟ ସରକାର ସହରାଞ୍ଚଳକୁ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ଅର୍ଥ କମିସନଙ୍କର ଉପଲବ୍ଧି ହୋଇଛି।

୨୦୧୯ ନିତି ଆୟୋଗଙ୍କ ରିପୋର୍ଟ ଅନୁସାରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି। ଦାରିଦ୍ର୍ୟ ଓ ଅନାହାରର ବିଲୋପ, ଗୁଣାତ୍ମକ ଶିକ୍ଷା, ବିଶୁଦ୍ଧ ଜଳ ଓ ପରିମଳ ଠାରୁ ଆରମ୍ଭ କରି ଶାନ୍ତି, ନ୍ୟାୟ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଶାକୁ ଲଢ଼ିବାକୁ ପଡ଼ିବ। ରାଜ୍ୟର ୩୦ଟି ଜିଲ୍ଲାରୁ ୧୦ଟି ଆକାଂକ୍ଷୀ ଜିଲ୍ଲା ଭିତରେ ଅଛନ୍ତି। କିନ୍ତୁ ଏକଥା ବି ମନେରଖିବାକୁ ହେବ ଯେ ଜାତୀୟ ହାର (୨୧.୯୨% ତେନ୍ଦୁଲକର ଫର୍ମୁଲା ଅନୁସାରେ) ଓଡ଼ିଶାରେ ଦାରିଦ୍ର୍ୟ ହାର (୨୦୧୧-୧୨ରେ ୩୨.୬%) ବହୁତ ଅଧିକ। ସବୁଠାରୁ ଖରାପ ସ୍ତରରେ ଥିବା ୨୦%କୁ ଆକାଂକ୍ଷୀ ବ୍ଲକ ଭାବେ ଚିହ୍ନଟ କରି ନିତି ଆୟୋଗ ଢାଞ୍ଚାରେ ବିକାଶ କରିବାକୁ ହେବ ବୋଲି କମିସନ ତାଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଶକ୍ତି କ୍ଷେତ୍ର ସଂପର୍କରେ କମିସନଙ୍କ ଅଭିଯୋଗ ହେଲା, ଯେହେତୁ ରାଜ୍ୟରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଘରୋଇକରଣ କରାଯାଇଛି, ଏଣୁ କେନ୍ଦ୍ର ସରକାରଙ୍କ ଉଦୟ ଯୋଜନାରେ ଓଡ଼ିଶାକୁ ଅର୍ଥ ମିଳିବାର ନାହିଁ। କିନ୍ତୁ ରାଜ୍ୟ ସରକାର ତୁରନ୍ତ ଏମିତି ଅଭିନବ ଉପାୟ ଅବଲମ୍ବନ କରିବା ଉଚିତ୍ ଯାହାଦ୍ବାରା ମୋଟ ବାଣିଜ୍ୟିକ ଓ ବୈଷୟିକ କ୍ଷତି (୨୦୧୮-୧୯ରେ ୨୯.୨%) କମିବ।

ଓଡ଼ିଶା ୨୦୧୩ ମସିହାରେ ଫାଇଲିନ୍, ୨୦୧୮ରେ ତିତିଲି, ୨୦୧୯ରେ ଫନି ଭଳି ଭୟଙ୍କର ବାତ୍ୟା ବିପର୍ଯ୍ୟୟ କାରଣରୁ ଢେର୍ କ୍ଷତିଗ୍ରସ୍ତ ହୋଇଛି। ଏଣୁ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଏବଂ ଏହାର ପ୍ରଶମନ କ୍ଷେତ୍ରରେ ରାଜ୍ୟକୁ ଏବେ ଅଧିକ ପୁଞ୍ଜିବିନିଯୋଗ କରିବାର ଆବଶ୍ୟକତା ରହିଛି। ଅର୍ଥ କମିସନ ତାଙ୍କ ରିପୋର୍ଟରେ ମଧ୍ୟ ଏବାବଦରେ ଅଧିକ ନିବେଶ ଉପରେ ଗୁରୁତ୍ବ ଦେଇଥିବା ସୂଚାଇଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶାର ପଛୁଆପଣ ଏତିକିରେ ସୀମିତ ନାହିଁ। ବରଂ ରାଜ୍ୟରେ ମୁଣ୍ଡପିଛା ଜିଡିପି ୧ ଲକ୍ଷ ୧୨ ହଜାର ୯୦୭ ଟଙ୍କା ଥିବାବେଳେ ଦେଶ‌ରେ ହାରାହାରି ମୁଣ୍ଡପିଛା ଜିଡିପି ୧ ଲକ୍ଷ ୪୦ ହଜାର ୪୨୨ ଟଙ୍କା ରହିଛି। ସେହିଭଳି ଟିକସ ଓ ଜିଡିପି ଅନୁପାତ କ୍ଷେତ୍ରରେ ଓଡ଼ିଶା ‌ପଛରେ ରହିଛି। ଜାତୀୟ ସ୍ତରରେ ଏହି ଅନୁପାତ ୬.୩% ଓ ଓଡ଼ିଶାରେ ୬.୨% ରହିଛି। ଦେଶରେ ଜଣେ ମହିଳାଙ୍କ ପିଛା ୨.୨ ଜଣ ଶିଶୁ ଅଛନ୍ତି, ଯେତେବେଳେ କି ଓଡ଼ିଶାରେ ଏହି ସଂଖ୍ୟା ୨.୧ରହିଛି।

ପରିବାରରେ ପାଇଖାନାର ଉପଲବ୍ଧତା ‌‌କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ଏହି ରିପୋର୍ଟ କହୁଛି। ଜାତୀୟ ସ୍ତରରେ ପ୍ରତି ୧୦୦ ଜଣରେ ୬୧.୧ ଜଣଙ୍କ ଘରେ ପାଇଖାନା ଅଛି। ଓଡ଼ିଶାରେ କିନ୍ତୁ ଏହି ସଂଖ୍ୟା ୩୫। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଅଧିକ ଶିଶୁ ଡାକ୍ତରଖାନାରେ ଜନ୍ମ ହେଉଥିଲେ ବି ଶିଶୁ ମୃତ୍ୟୁହାର କିନ୍ତୁ ଜାତୀୟ ହାର ତୁଳନାରେ ଅଧିକ ରହିଛି। ଜନ୍ମ ହୋଇଥିବା ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରୁ ଓଡ଼ିଶାରେ ୪୦ ଜଣ ମୃତ୍ୟୁ ହେଉଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୩୨ ରହିଛି।

The post ଅର୍ଥ କମିସନ ରିପୋର୍ଟ : ପଛୁଆପଣ ବଖାଣିଲେ first appeared on Sambad.



from ରାଜ୍ୟ – Sambad https://ift.tt/3rkftfc

Post a Comment

0 Comments