ଅର୍ଥନୀତି ପରିଚାଳନା ତ୍ରୁଟି ବି ଧରିଲେ

ଭୁବନେଶ୍ବର : ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ରକ୍ଷା କରିପାରିଥିବା ଶୃଙ୍ଖଳାକୁ ପଞ୍ଚଦଶ ଅର୍ଥ କମିସନ ପ୍ରଶଂସା କରିଛନ୍ତି। ୨୦୦୫-୦୬ ମସିହାରୁ ଓଡ଼ିଶା କେବଳ ରାଜସ୍ବ ବଳକା ରାଜ୍ୟ ଭାବେ ପରିଗଣିତ ହେଉଛି ତା’ ନୁହେଁ, ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍ ପରିଚାଳନା ଆଇନକୁ ମଧ୍ୟ ପାଳନ କରି ଆସିଛି। ଏହା ସତ୍ତ୍ବେ ରାଜ୍ୟର ବିତ୍ତୀୟ ବ୍ୟବସ୍ଥାରେ କିଛିଟା ତ୍ରୁଟି ରହିଥିବା ସଂପର୍କରେ କମିସନ ଠାରିବାକୁ ଭୁଲିନାହାନ୍ତି।

କମିସନ କହିଛନ୍ତି ଯେ ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ‌ହୋଇଥିବାରୁ ସାମାଜିକ ‌‌‌‌କ୍ଷେତ୍ରର ବ୍ୟୟବରାଦକୁ ଆହୁରି ବଢ଼ାଇବା ସହିତ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡରେ ଉନ୍ନତି ଆଣିବା କଥା। ସେହିଭଳି ଦେଖାଯାଉଛି ଯେ ରାଜ୍ୟର ନିଜସ୍ବ ଟିକସ ଆୟ ଏବଂ ନିଜସ୍ବ ରାଜସ୍ବ ସମ୍ବଳ ତୁଳନାରେ ଅଭିବୃଦ୍ଧି ହାର ଏବଂ ମୋଟ ରାଜସ୍ବ ବ୍ୟୟ ଅଧିକ ରହିଛି। ତେଣୁ ରାଜ୍ୟ ନିଜର ଟିକସ ରାଜସ୍ବ ଏବଂ ନିଜ ରାଜସ୍ବ ସମ୍ବଳକୁ ବଢ଼ାଇବା ଏବେ ସରକାରଙ୍କ ପ୍ରମୁଖ କାର୍ଯ୍ୟ ହେବା ଉଚିତ୍। ଏହି ବ୍ୟବସ୍ଥାରେ ତୁରନ୍ତ ଉନ୍ନତି ଅଣାଯିବା ଦରକାର। ଅର୍ଥ କମିସନ କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ବ ସମ୍ବଳରେ ନିଜ ଟିକସ ରାଜସ୍ବ ଅଂଶ ୬୮% ରହିଛି। କିନ୍ତୁ ଓଡ଼ିଶା ବର୍ଗରେ ଯେତେ ରାଜ୍ୟ ଅଛନ୍ତି, ସେମାନଙ୍କର ଏହି ହାର ପାଖାପାଖି ୧୦ ପ୍ରତିଶତ ଅଧିକ ଅର୍ଥାତ୍ ୭୭.୮% ରହିଛି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇ କମିସନ ରାଜ୍ୟର ପୁଞ୍ଜିବ୍ୟୟ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଆଣିବା ଲାଗି କହିଛନ୍ତି। ରାଜ୍ୟର ମୋଟ ଘରୋଇ ଜିଡିପି (ଜିଏସ୍‌ଡିପି)ରେ ସେବା ଭଳି ତୃତୀୟ ବର୍ଗ ତୁଳନାରେ ଶିଳ୍ପ ଭଳି ଦ୍ବିତୀୟ ବର୍ଗ ବା କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉଚିତ। ଏଥିପାଇଁ ଉପଯୁକ୍ତ ଦୀର୍ଘମିଆଦୀ ପୁଞ୍ଜିବ୍ୟୟ କରାଯାଇ ସ୍ଥିତିରେ ସୁଧାର ଅଣାଯାଇପାରିବ। ଅଣବିତ୍ତୀୟ କ୍ଷେତ୍ରରେ ରାଜ୍ୟ ସରକାର ନୀତିରେ ମଧ୍ୟ କିଛି ପରିବର୍ତ୍ତନ ଆଣିବା ଲାଗି କମିସନ କହିଛନ୍ତି। ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେବା ପ୍ରଦାନକୁ ପ୍ରଭାବୀ କରିବା ଲାଗି ଏଥିରେ ସ୍ପଷ୍ଟଭାବେ କୁହାଯାଇଛି।

ଉଲ୍ଲେଖଥାଉକି, କମିସନଙ୍କ ରିପୋର୍ଟରେ ୨୦୧୧ ଜନସଂଖ୍ୟାକୁ ବିଚାରକୁ ନିଆଯାଇଛି। ଏଥିରେ ରାଜ୍ୟର ଲୋକସଂଖ୍ୟା ୪.୨ କୋଟି ବୋଲି ଦର୍ଶାଯାଇଛି, ଯାହାକି ଦେଶର ମୋଟ ଜନସଂଖ୍ୟାର ୩.୫%। ସେହିଭଳି ଦେଶର ମୋଟ ଆୟତନରେ ଓଡ଼ିଶାର ଅଂଶ ୪.୮% (୧,୫୫,୭୦୭ ବର୍ଗ କିମି)। ଅନ୍ୟପକ୍ଷପେ ଦେଶର ମୋଟ ଜଙ୍ଗଲରେ ଓଡ଼ିଶାର ଅଂଶ ୭.୩%( ଅବଶ୍ୟ ରାଜ୍ୟର ମୋଟ ଅଞ୍ଚଳର ୩୩.୨% ଅଞ୍ଚଳରେ ଜଙ୍ଗଲ ରହିଛି)। ୨୦୧୭ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟ‌ରେ ଜଙ୍ଗଲ ଅଞ୍ଚଳ ୦.୫% ବଢ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

The post ଅର୍ଥନୀତି ପରିଚାଳନା ତ୍ରୁଟି ବି ଧରିଲେ first appeared on Sambad.



from ରାଜ୍ୟ – Sambad https://ift.tt/3cB6uCr

Post a Comment

0 Comments