ଆଜିଠାରୁ ଟିକା ନେବେ ବରିଷ୍ଠ ନାଗରିକ

ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି କେନ୍ଦ୍ରରେ ଟିକା ମିଳିବ
ସରକାରୀ ହସପିଟାଲରେ ମାଗଣା
ଘରୋଇ କେନ୍ଦ୍ରରେ ୨୫୦ ଟଙ୍କା

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ସୋମବାର ଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦିଆଯିବ। ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଟିକା ନେଇପାରିବେ। ଏଥିପାଇଁ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ଏହା ସହ ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଟିକା‌ ଦିଆଯିବ। ତେବେ ସେମାନଙ୍କୁ ଡାକ୍ତରୀ ପ୍ରମାଣପତ୍ର ଆଣିବାକୁ ପଡ଼ିବ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ୍ ପୋର୍ଟାଲ୍‌ରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ପଞ୍ଜୀକରଣ ପରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ ସେନେଇ ସୂଚନା ଦିଆଯିବ। ଯେଉଁମାନେ ଆଗୁଆ ପଞ୍ଜୀକରଣ ନ କରିଥିବେ, ସେମାନେ ଟିକା ଦିଆଯାଉଥିବା ସ୍ଥାନକୁ ଯାଇ ତତ୍‌କାଳ ପଞ୍ଜୀକରଣ କରିପାରିବେ।

ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯିବ। କିନ୍ତୁ ଘରୋଇ ହସ୍ପିଟାଲରେ ଅଢ଼େଇ ଶହ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଓଡ଼ିଶାରେ ଯଥେଷ୍ଟ ଟିକା ମହଜୁଦ୍ ଅଛି। ଆହୁରି ଅଧିକ ଟିକା ଖୁବ୍ ଶୀଘ୍ର ରାଜ୍ୟରେ ପହଞ୍ଚିବ ବୋଲି ଶ୍ରୀ ପା‌ଣିଗ୍ରାହୀ କହିଛନ୍ତି।

ଜାନୁଆରି ୧୬ ତାରିଖ ଠାରୁ ଓଡ଼ିଶା ସମେତ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କୁ ଏବଂ ପରେ ସୁରକ୍ଷା କର୍ମୀ ଓ ସ୍ବେଚ୍ଛାସେବୀଙ୍କ ପରି ଆଗ ଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା।

ଜଟିଳ ରୋଗର ତାଲିକା
ହୃଦ୍‌ଘାତ ହେବା ସହିତ ଗତ ୧ବର୍ଷ ଭିତରେ ହସ୍ପିଟାଲରେ ଆଡମିସନ
ହୃଦ୍‌ଘାତ ପରେ ପ୍ରତିରୋପଣ
ଲେଫ୍‌ଟ ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍ ଡିସ୍‌ଫଙ୍କସନ୍‌ (ଏଲ୍‌ଭିଇଏଫ୍‌ <୪୦)
ମଧ୍ୟମ କିମ୍ବା ଜଟିଳ ଭାଲଭଲାର ହୃଦ୍‌ରୋଗ
କଞ୍ଜିନେଣ୍ଟାଲ ହୃଦ୍‌ରୋଗ ସହିତ ମାତ୍ରାଧିକ ପିଏଏଚ୍‌ କିମ୍ବା ଆଇଡିଓପ୍ୟାଥିକ ପିଏଏଚ୍‌
କରୋନାରି ଆର୍ଟରି ରୋଗ ସହିତ ପୂର୍ବରୁ ସିଏବିଜି/ପିଟିସିଏ/ଏମ୍‌ଆଇ
ସହିତ ଉଚ୍ଚ ରକ୍ତଚାପ/ମଧୁମେହ
ସିଟି/ଏମ୍‌ଆରଆଇ ଦ୍ବାରା ଚିହ୍ନଟ ଷ୍ଟ୍ରୋକ୍ ଓ ଉଚ୍ଚ ରକ୍ତଚାପ/ମଧୁମେହର ଚିକିତ୍ସା
ପଲମନାରି ଆର୍ଟରି ଉଚ୍ଚ ରକ୍ତଚାପ ଓ ଉଚ୍ଚ ରକ୍ତଚାପ ଓ ମଧୁମେହର ଚିକିତ୍ସା
ମଧୁମେହ(୧୦ବର୍ଷରୁ ଅଧିକ କିମ୍ବା ଜଟିଳତା) ଓ ଉଚ୍ଚ ରକ୍ତଚାପର ଚିକିତ୍ସା
କିଡ୍‌ନି/ଯକୃତ/ହେପାଟୋପିଇଟିକ୍ ଷ୍ଟେମ୍ ସେଲ ପ୍ରତିରୋପଣ, ଗ୍ରହଣ କରିଥିବା ବ୍ୟକ୍ତି/ପ୍ରତୀକ୍ଷା ତାଲିକାରେ ଥିବା ବ୍ୟକ୍ତି
ହେମୋଡାଏଲିସିସର ଶେଷ ପର୍ଯ୍ୟାୟ/ସିଏପିଡି
ଓରାଲ କାର୍ଟିକୋଷ୍ଟେରୋଏଡ୍‌ସର ଦୀର୍ଘଦିନ ବ୍ୟବହାର/ଇମ୍ୟୁନୋସପ୍ରେସାଣ୍ଟ ମେଡିକେସନ୍
ଡିକମ୍ପେନସେଟେଡ୍ ସିରୋସିସ୍
ଗତ ୨ବର୍ଷ ଧରି ଜଟିଳ ନିଶ୍ବାସ ପ୍ରଶ୍ବାସ ସମସ୍ୟା ସହିତ ହସ୍ପିଟାଲରେ ଆଡମିସନ/ଏଫ୍‌ଇଭିଆଇ <୫୦%
ଲିମ୍ଫୋମା/ରକ୍ତ କର୍କଟ/ମାଇଲୋମା
୨୦୨୦ ପରେ ଯେ କୌଣସି କର୍କଟରେ ଆକ୍ରାନ୍ତ କିମ୍ବା କର୍କଟ ଥେରାପି ଜାରି ରହିବା
ସିକିଲ ସେଲ ରୋଗ/ଅସ୍ଥିମଜ୍ଜା ‌ଅକାମୀ/ଆପ୍ଲେଷ୍ଟିକ ଏନିମିଆ/ଥାଲାସେମିଆ ମେଜର
ପ୍ରାଥମିକ ଇମ୍ୟୁନୋଡେଫିସିଏନ୍‌ସି ରୋଗ/ଏଚ୍‌ଆଇଭି ସଂକ୍ରମିତ
ଦିବ୍ୟାଙ୍ଗ, ଏସିଆ ଆଟାକ୍‌ ସହିତ ନିଶ୍ବାସ ପ୍ରଶ୍ବାସ ପ୍ରଭାବିତ ହେବା

The post ଆଜିଠାରୁ ଟିକା ନେବେ ବରିଷ୍ଠ ନାଗରିକ first appeared on Sambad.



from ରାଜ୍ୟ – Sambad https://ift.tt/3bMu510

Post a Comment

0 Comments