ବଢ଼ୁଛି ତତଲାଗଡ଼ର ତାତି

ଟିଟିଲାଗଡ଼ : ଫେବ୍ରୁଆରି ଶେଷ ସପ୍ତାହରୁ ସାରା ରାଜ୍ୟରେ ଗ୍ରୀଷ୍ମର ତାତି ଆରମ୍ଭ ହୋଇଛି। ଏଥିରୁ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ବି ବାଦ୍‌ ପଡ଼ି ନାହିଁ। ଗତ ସପ୍ତାହେ ହେଲା ଟିଟିଲାଗଡ଼ ସହରରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏବେଠୁ ପାରଦ ୪୦ ଡିଗ୍ରି ପାରି ହୋଇବସିଲାଣି। ଅନ୍ୟ ବର୍ଷ ପରି ଏ ବର୍ଷ ମଧ୍ୟ ପାରଦ ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଉଛି। ଗରମ ସହିତ ତାଳ ଦେଇ ବିଜୁଳି ଓ ପାନୀୟ ଜଳର ସମସ୍ୟା ବି ଧୀରେ ଧୀରେ ମୁଣ୍ଡବିନ୍ଧାର ରୂପ ନେଉଛି। ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ ସହରବାସୀଙ୍କ ଜୀବନକୁ ଡହଳବିକଳ କରିଛି। ଦିନ ୧୨ଟା ପରେ ରାସ୍ତାକୁ ଲୋକ ବାହାରୁ ନାହାନ୍ତି। ସାତ କିଂବା ଦଶ ଦିନରେ ଥରେ ପାନୀୟ ଜଳ ଯୋଗାଣ ହେଉଛି। ଖରା ଦାଉରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଗାମୁଛା ଘୋଡ଼ାଇ ଘରୁ ପାଦ କାଢୁଛି ତ କିଏ ମୁଣ୍ଡରେ ଛତା ଟାଣି ବାହାରୁଛି। କିଏ ଥଣ୍ଡା ପାନୀୟ ପିଇ ଶୋଷ ମେଣ୍ଟାଉଛି।

ଦିନକୁ ଦିନ ସହରର ତାପମାତ୍ରା ବଢ଼ୁଥିଲେ ମଧ୍ୟ ଅଞ୍ଚଳରେ ବ୍ୟାପକ ଗଛକଟା ବନ୍ଦ ହେଉ ନାହିଁ। ରେଳବାଇର ଦୋହରୀକରଣ ପାଇଁ ଏବେ ଶହ ଶହ ଗଛ କଟାଯାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଆରମ୍ଭରୁ ଏମିତି ସମସ୍ୟା ଦେଖା ଦେଇଥିବାରୁ ଆଗକୁ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ ମାସରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆଲୋଚନା ହେଉଛି। ଚଳିତ ବର୍ଷ ଟିଟିଲାଗଡ଼ର ତାପମାତ୍ରା ୫୦ ଡିଗ୍ରି ପାରି କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ଦିଗ‌ରେ ଆଗୁଆ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

The post ବଢ଼ୁଛି ତତଲାଗଡ଼ର ତାତି first appeared on Sambad.



from ରାଜ୍ୟ – Sambad https://ift.tt/3syt2Zi

Post a Comment

0 Comments