
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଜାଲି ସଂସ୍ଥା ଖୋଲି କାଗଜପତ୍ରରେ ବେପାର ଦେଖାଇ କୋଟିକୋଟି ଠଙ୍କା ଜିଏସ୍ଟି ବାବଦକୁ ଠକିନେବା ଅଭିଯୋଗ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଏଭଳି ଠକ ବେପାରୀମାନେ ସରକାରଙ୍କୁ ଚୁନ ଲଗାଇ ଚାଲିଛନ୍ତି। ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ୧୭୪୪ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଧରା ପଡ଼ିଥିବା ବେଳେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗତବର୍ଷ ଏହି ଠକେଇ ଉପରେ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇଛି। ୨୦୨୦ ମାର୍ଚ୍ଚରୁ ନଭେମ୍ବର ପର୍ଯ୍ୟନ୍ତ ୧୯୮ କୋଟି ଟଙ୍କାର ଜିଏସ୍ଟି ଠକେଇ ଧରାପଡ଼ିଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ଜିଏସ୍ଟିରେ ଥିବା କେତେକ ଲାଞ୍ଚୁଆ ଅଧିକାରୀଙ୍କ ମିଳିତ ଭାବରେ ଏଭଳି ଠକେଇ ଚାଲିଥିବା ଅଭିଯୋଗ ହୋଇଛି। ଗତ ମାସରେ ଭୁବନେଶ୍ବରର ଏକ ହୋଟେଲ ପରିସରରେ ଜିଏସ୍ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍ର ୩ ଜଣ ଅଧିକାରୀ ଓ ଏକ ଘରୋଇ ହସ୍ପିଟାଲର ଜଣେ ଆକାଉଣ୍ଟାଣ୍ଟ ଧରାପଡ଼ିଥିଲେ। କୋଟିକୋଟି ଟଙ୍କାର ଜିଏସ୍ଟି ଫାଙ୍କି ଅଧିକାରୀଙ୍କୁ ସମ୍ପୃକ୍ତ କଲେଜ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲା। ଜିଏସ୍ଟି ଫାଙ୍କିବା ପାଇଁ ବିଭିନ୍ନ ସଂସ୍ଥାକୁ ଅଧିକାରୀମାନେ ଲାଞ୍ଚ ନେଇ ସହଯୋଗ କରୁଥିବା ଏହି ଘଟଣା ପ୍ରମାଣିତ କରିଥିଲା।
ଠିକ୍ ଅନୁରୂପ ଭାବରେ ଖୋର୍ଦ୍ଧା ସାରୁଅ ସ୍ଥିତ ନ୍ୟୁ ଲକ୍ଷ୍ମୀ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ (କାମଧେନୁ ଲୁହା ଛଡ଼ ପ୍ରସ୍ତୁତକାରୀ ସଂସ୍ଥା) ବିରୋଧରେ ଜିଏସ୍ଟି ପାଙ୍କିବା ଅଭିଯୋଗ ରହିଥିଲା। ଏଣୁ ଗତ ବର୍ଷ ଫେବ୍ରୁଆରି ୨୦ ତାରିଖ ଦିନ ସଂସ୍ଥାର ମଞ୍ଚେଶ୍ବର, କଳକଳା ବୁଢ଼ାକେନ୍ଦୁଆ ଓ ବାଲେଶ୍ବରରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ଅନେକ ଅନିୟମିତତା ଧରା ପଡ଼ିଥିଲା। ଚଢ଼ଉ ସମୟରେ ମାଲ୍ ଓ କଞ୍ଚାମାଲ୍ ପାଖାପାଖି ୩୦୦୦ ଟନ୍ ଥିଲା। ଯାହାର ମୂଲ୍ୟ ୩୦ କୋଟି ଆକଳନ କରାଯାଇଥିଲା। ଖୋର୍ଦ୍ଧାରେ ଥିବା କାରଖାନାରୁ ପ୍ରସ୍ତୁତ ମାଲ୍ ବିକ୍ରି ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥାତ୍୧୨ ମାସରେ ୧୪୫ କୋଟି ଟଙ୍କା ଥିବା ବେଳେ ୨୦୧୯ ଜାନୁଆରିରୁ ଅକ୍ଟୋବର ପର୍ଯ୍ୟନ୍ତ ୧୦ ମାସରେ ମାତ୍ର ୬୪ କୋଟି ବୋଲି କାଗଜପତ୍ରରେ ଟଙ୍କା ଦର୍ଶାଯାଇଛି। ଏହି ଆକାଶ ପାତାଳ ତାରତମ୍ୟ ଅନିୟମିତତାକୁ ପ୍ରମାଣିତ କରୁଛି।
ଅନ୍ୟପଟେ ଉତ୍ପାଦିତ ଦ୍ରବ୍ୟର ୪୦ ଭାଗ ନିଜ ମାଲିକାନାରେ ଥିବା ବାଲେଶ୍ବର ସ୍ଥିତ ନ୍ୟୁ ଲକ୍ଷ୍ମୀ ଇଣ୍ଡଷ୍ଟ୍ରିକୁ ବିକ୍ରି କରୁଥିବା ଦର୍ଶାଇଛନ୍ତି। ଏଣୁ ଟିକସ ଫାଙ୍କିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି। ସେହିଭଳି କଳକଳା ବୁଢ଼ାକେନ୍ଦୁଆ ସ୍ଥିତ ସୂର୍ଯ୍ୟ ସ୍ପଞ୍ଜ ଆଇରନ୍ ପ୍ରାଇଭେଟ୍ ଲିମିଟେଡ୍ ଟର୍ଣ୍ଣ ଓଭର ବାର୍ଷିକ ୧୦୦ କୋଟି ଟଙ୍କା ଆକଳନ କରାଯାଉଥିଲେ ମଧ୍ୟ ଆହ୍ଲାବାଦ୍ ବ୍ୟାଙ୍କ୍ କୋରକ ଅଧିକାରୀ ଏହାକୁ ମାତ୍ର ୮.୫ କୋଟି ଦର୍ଶାଇଛନ୍ତି। ୨୦ ତାରିଖରେ ଚଢ଼ଉ ବେଳେ ଏଭଳି ତଥ୍ୟ ପଦାକୁ ଆସିବା ପରେ ଗିରଫ ଭୟରେ ସମ୍ପୃକ୍ତ ସଂସ୍ଥାର ମାଲିକ ପୱନ ଗୁପ୍ତା ୫ ଦିନ ପରେ ଅର୍ଥାତ୍ ୨୫ ତାରିଖରେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ତେବେ ସମ୍ପତି ଓ ଠକେଇର ଆକଳନ ଚାଲିଛି, ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଏସ୍ଟି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଅଧିକାରୀମାନେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଆଗୁଆ ଜାମିନ୍ ପାଇଁ ସମୟ ଦେଇଥିବା ଅଭିଯୋଗ ହୋଇଛି। ଏହା କେବଳ ଗୋଟିଏ ଉଦାହରଣ। ସରକାରୀ ଅଧିକାରୀମାନେ କେତେକ ଲୋକ ଦେଖାଣିଆ ଚଢ଼ଉ କରି ଅଭିଯୁକ୍ତଙ୍କୁ ଏଭଳି ଘଣ୍ଟ ଘୋଡ଼ାଇବା ଶହଶହ ଉଦାହରଣ ରହିଛି।
The post ୨ ବର୍ଷରେ ୧୭୪୪ କୋଟି ଜିଏସ୍ଟି ଠକେଇ first appeared on Sambad.
from ରାଜ୍ୟ – Sambad https://ift.tt/3k9xXwE
0 Comments