ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା: ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବିଦର୍ଭ ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ଅବସ୍ଥିତ ରହିବା ସହ ବିସ୍ତାରିତ ହୋଇ ରହିଛି। ସେହିପରି ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ବିସ୍ତାରିତ ହୋଇଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୧୯ ତାରଖ ଅପରାହ୍ନ ସୁଦ୍ଧା ରାଜ୍ୟର ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡିଶାର ବାଲେଶ୍ୱର, ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ତେବେ, ଏହି ସମୟ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଓ ବଜ୍ରପାତ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଥିବାରୁ ଏହି ୧୪ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅପରାହ୍ନ କିମ୍ବା ସନ୍ଧ୍ୟା ବେଳକୁ ଆକାଶ ଆଂଶିକ ମେଘୁଆ ହେବାର ସମ୍ଭାବନା ରହିଛଇ। ସେହିପରି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୨ ଓ ୧୮ ଡିଗ୍ରି ହେବାର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କହିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ସର୍ବାଧିକ ତାପମାତ୍ରା ୩୪.୨ ଡିଗ୍ରି ବଲାଙ୍ଗୀରରେ ରେକର୍ଡ କରାଯାଇଥିଲା ବେଳେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ଫୁଲବାଣୀରେ ରେକର୍ଡ କରାଯାଇଥିଲା।

The post ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା: ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି first appeared on Sambad.



from ରାଜ୍ୟ – Sambad https://ift.tt/2NhDRjp

Post a Comment

0 Comments