
ଭୁବନେଶ୍ବର : ଓଡ଼ିଶାର ରାଜସ୍ବ ସ୍ଥିତି ଭଲ ରହିଛି। ବିତ୍ତୀୟ ନିଅଣ୍ଟକୁ ବିତ୍ତୀୟ ଦାୟିତ୍ବ ଓ ବଜେଟ୍ ପରିଚାଳନା ନିୟମ ଅନୁଯାୟୀ ଧାର୍ଯ୍ୟ ସୀମା ଭିତରେ ରଖାଯାଇ ପାରିଛି। ରାଜ୍ୟର ଆର୍ଥିକ ସମ୍ବଳ ବୃଦ୍ଧି ପାଉଥିବାରୁ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହୋଇପାରୁଛି। ରାଜ୍ୟ ସରକାର ମୁଖ୍ୟତଃ ରାଜ୍ୟର ନିଜସ୍ବ ଟିକସ, ନିଜସ୍ବ ଅଣ ଟିକସ, କେନ୍ଦ୍ରୀୟ ଟିକସରୁ ଅଂଶ, କେନ୍ଦ୍ରରୁ ସହାୟତା ଆଦି ବାବଦରେ ସମ୍ବଳ ସଂଗ୍ରହ କରିଥାନ୍ତି। ଗତକାଲି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏସବୁ ବିତ୍ତୀୟ ସୂଚକ ଭଲ ଥିବା ଦର୍ଶାଯାଇଛି।
ଏଥିରେ କୁହାଯାଇଛି ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସନ୍ତୋଷଜନକ ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଏଥିରେ ଆଶାବ୍ୟକ୍ତ କରାଯାଇଛି। ନିରନ୍ତର ଭାବେ ରାଜ୍ୟର ରାଜସ୍ବ ବଳକା ସ୍ଥିତି ଜାରି ରହିଛି। ଜିଏସ୍ଟି କାର୍ଯ୍ୟକାରୀ ହେବା ପୂର୍ବରୁ ଭାଟ୍ ଏବଂ ଅବକାରୀ ଶୁଳ୍କ ରାଜ୍ୟର ମୋଟ ଟିକସରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିସହିତ ରାଜ୍ୟର ଅଣ ଟିକସ ରାଜସ୍ବ କ୍ଷେତ୍ରକୁ ମଧ୍ୟ ଶିଳ୍ପ କ୍ଷେତ୍ର ପ୍ରୋତ୍ସାହିତ କରିଆସୁଛି। କିନ୍ତୁ ଜିଏସ୍ଟି କାର୍ଯ୍ୟକାରୀ ହେବା ପରେ ଏଥିରେ ରାଜ୍ୟର ଭାଗ ବା ଏସ୍ଜିଏସ୍ଟି ସମ୍ବଳର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। କିନ୍ତୁ ରାଜ୍ୟ ସରକାର ଯେତିକି ସମ୍ବଳ ଏଥିରୁ ପାଇଥିଲେ ରାଜସ୍ବ କ୍ଷତି ସହିବାକୁ ପଡ଼ି ନଥାଆନ୍ତା ତାହା ହୋଇପାରି ନାହିଁ। କେବଳ ସେତିକି ନୁହେଁ କେନ୍ଦ୍ର ଉପରେ ସମ୍ବଳ ପାଇଁ ରାଜ୍ୟର ନିର୍ଭରଶୀଳତା ମଧ୍ୟ ବଢ଼ୁଛି। କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଏବଂ ସହାୟତା ଉପରେ ରାଜ୍ୟର ନିର୍ଭରଶୀଳତା ଅଧିକ ରହୁଛି। ଯଦିଓ ଅନ୍ୟାନ୍ୟ ବିତ୍ତୀୟ ସୂଚକାଙ୍କ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି ତଥାପି କେନ୍ଦ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ରାଜ୍ୟ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ।
ରାଜ୍ୟର ଆର୍ଥିକ ସ୍ଥିତି ସଂପର୍କରେ ରାଜ୍ୟ ସରକାର ଯେଉଁ ତଥ୍ୟ ସର୍ଭେରେ ଉଲ୍ଲେଖ କରିଛନ୍ତି ସେଥିରେ ଦର୍ଶାଯାଇଛି ଯେ ୨୦୧୯-୨୦ ଆର୍ଥିକ ବର୍ଷର ସଂଶୋଧିତ ଅଟକଳରେ ରାଜ୍ୟର ମୋଟ ରାଜସ୍ବ ଆୟ ୧୧୧୭୮୫.୨୫ କୋଟି ଟଙ୍କା ରହିଛି। ଏଥିରେ ଟିକସ ରାଜସ୍ବ ରାଶି ୬୪୦୦୩.୨୫ କୋଟି ଟଙ୍କା ବା ମୋଟ ରାଜସ୍ବ ଆୟର ୫୭.୩ ପ୍ରତିଶତ ରହିଛି। ମୋଟ ଟିକସ ଆୟରେ ରାଜ୍ୟର ନିଜସ୍ବ ଟିକସ ଏବଂ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ବାବଦ ଅର୍ଥକୁ ହିସାବକୁ ନିଆଯାଇଥାଏ। ୨୦୧୯-୨୦ରେ ଟିକସ ରାଜସ୍ବରେ ରାଜ୍ୟର ନିଜସ୍ବ ଟିକସ ଭାଗ ୩୩୫୫୦ କୋଟି ଟଙ୍କା ବା ୫୨.୪ ପ୍ରତିଶତ ରହିଥିବାବେଳେ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ରାଜ୍ୟକୁ ୩୦୪୫୩.୨୫ କୋଟି ଟଙ୍କା ବା ୪୭.୬ ପ୍ରତିଶତ ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟର ରାଜସ୍ବ ଆୟରେ ଟିକସ ରାଜସ୍ବ ଅଂଶ ୬୦.୧ ପ୍ରତିଶତ ରହିବ ବୋଲି ସର୍ଭେରେ ଦର୍ଶାଯାଇଛି। ତେବେ ଚତୁର୍ଦ୍ଦଶ ଆୟୋଗ ସୁପାରିସ କାର୍ଯ୍ୟକାରୀ ହେବା ପରେ ୨୦୧୫-୧୬ରୁ ରାଜ୍ୟକୁ କେନ୍ଦ୍ରୀୟ ଭାଗ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହାପରେ ରାଜ୍ୟର ମୋଟ ରାଜସ୍ବରେ କେନ୍ଦ୍ରୀୟ ଟିକସ ଅଂଶ ବୃଦ୍ଧି ପାଇଛି। ରାଜ୍ୟର ଟିକସ ସମ୍ବଳରେ ଏହା ଏକ ପ୍ରମୁଖ ଉତ୍ସରେ ପରିଣତ ହୋଇଥିଲା। କିନ୍ତୁ କେନ୍ଦ୍ରୀୟ ଭାଗ ୨୦୨୦-୨୧ ଆର୍ଥିକ ବର୍ଷରୁ ୪୨ ପ୍ରତିଶତ ପରିବର୍ତ୍ତେ ୪୧ ପ୍ରତିଶତକୁ କମାଇ ଦିଆଯାଇଛି। ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ କାର୍ଯ୍ୟକାରୀ ହେବା ପରେ ରାଜ୍ୟ ପାଇଁ ରାଜସ୍ବ ଚିନ୍ତା ବଢ଼ିଯାଇଛି।
The post ରାଜସ୍ବ ପାଇଁ କେନ୍ଦ୍ର ଭରସା : କମୁଛି ସହାୟତା, ବଢ଼ୁଛି ନିର୍ଭରଶୀଳତା first appeared on Sambad.
from ରାଜ୍ୟ – Sambad https://ift.tt/3aDaWPJ
0 Comments