ରାଜଧାନୀରେ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ!

ଇନ୍‌ଫୋଭ୍ୟାଲି-୨ରେ ହସ୍ପିଟାଲ ନିର୍ମାଣ ଯୋଜନା
ଚଳିତମାସରେ ହସ୍ପିଟାଲ ନିର୍ମାଣ ନିଷ୍ପତ୍ତି

ଭୁବନେଶ୍ବର : ରାଜଧାନୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ। ହସ୍ପିଟାଲରେ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଟାଟା ପକ୍ଷରୁ ନିର୍ମାଣ କରାଯିବାକୁ ଥିବା କ୍ୟାନସର ହସ୍ପିଟାଲ ଯୋଜନା ଏବେ ଦୋଳାୟମାନ ସ୍ଥିତିରେ ରହିଛି। ତେଣୁ ଏହାର ବିକଳ୍ପ ଭାବେ ରାଜ୍ୟ ସରକାର ଭୁବନେଶ୍ବରରେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି। ଚଳିତମାସରେ ହସ୍ପିଟାଲ ନିର୍ମାଣ ନେଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

୨୦୧୯ ମସିହା ଫେବ୍ରୁଆରି ମାସରେ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ବାରଙ୍ଗ ନିକଟରେ ଏକ ଷ୍ଟେଟ୍‌ ଅଫ ଦି ଆର୍ଟ ହସ୍ପିଟାଲ ନିର୍ମାଣ ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସମୁଦାୟ ୮ଶହ କୋଟି ଟଙ୍କା ଖର୍ଚ ହେବାକୁ ଥିବା ବେଳେ ୫ଶହ କୋଟି ଟଙ୍କା ରାଜ୍ୟ ସରକାର ବହନ କରିଥାନ୍ତେ। ଏଥିପାଇଁ ଟାଟା ଟ୍ରଷ୍ଟକୁ ମାଗଣାରେ ୧୫ ଏକର ଜମି ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। ଏହା ଭିତରେ ହସ୍ପିଟାଲ ନିର୍ମାଣ ନେଇ ୨ଥର ଆଲୋଚନା ହୋଇଛି। ହେଲେ ୨ବର୍ଷ ପରେ ମଧ୍ୟ କ୍ୟାନସର ହସ୍ପିଟାଲ ନିର୍ମାଣରେ ବିଶେଷ ଅଗ୍ରଗତି ହୋଇନାହିଁ। ଆଗକୁ ମଧ୍ୟ ହସ୍ପିଟାଲ ନିର୍ମାଣ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ ଭିତରେ ରହିଛି।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏକ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ଯଦି ଟାଟା ଟ୍ରଷ୍ଟ ରାଜଧାନୀରେ ନିଜର କ୍ୟାନସର ହସ୍ପିଟାଲ ନିର୍ମାଣ ନ କରେ ତାହାଲେ ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଇ‌ନଫୋଭ୍ୟାଲି-୨ରେ ଏକ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ହୋଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ହସ୍ପିଟାଲରେ ପେଲିଆଟିଭ୍ କେୟାରଠାରୁ ଆରମ୍ଭ କରି ଅନ୍ୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି। ହସ୍ପିଟାଲ ପରିସରରେ ସୁନ୍ଦର ବଗିଚା ସହିତ ମ୍ୟୁଜିକ୍ ବ୍ୟବସ୍ଥା ରହିବ। ରୋଗୀଙ୍କ ପାଇଁ କ୍ୟାବିନ୍ ବ୍ୟବସ୍ଥା କରାଯିବ। ଦେଶର ଅଗ୍ରଣ କର୍କଟ ରୋଗ ବିଶେଷଜ୍ଞ ମାସକୁ ଥରେ ଏହି ହସ୍ପିଟାଲକୁ ଆସିବେ। ଯାହାଫଳରେ ଓଡ଼ିଶାର ରୋଗୀମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ହସ୍ପିଟାଲରେ ଏକ ହେଲିପ୍ୟାଡ୍‌ର ମଧ୍ୟ ବ୍ୟବସ୍ଥା କରାଯିବ। ହସ୍ପିଟାଲ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ଖର୍ଚ କରାଯିବ ବୋଲି ବ୍ୟୟ ଅଟକଳ କରାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ସାମିଲ୍ କରିବା ଉପରେ ଯୋଜନା କରାଯାଉଛି। ଖୁବଶୀଘ୍ର ରାଜ୍ୟ ସରକାର ଏ ସଂପର୍କରେ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

The post ରାଜଧାନୀରେ ହେବ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ! first appeared on Sambad.



from ରାଜ୍ୟ – Sambad https://ift.tt/39LpQ68

Post a Comment

0 Comments