ଫେବ୍ରୁଆରିରେ ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରିରେ ୯ମ ଓ ଏକାଦଶ ଶ୍ରେଣୀ ଖୋଲିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବି‌ଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଏବେ ରାଜ୍ୟରେ ତଳମୁହାଁ ହୋଇଛି।ଅ‌ନ୍ୟପଟେ ରାଜ୍ୟରେ ଟିକାକରଣ ବି ଜାରି ରହିଛି। ତାହାକୁ ବିଚାର କାରି ୯ମ ଓ ଏକାଦଶ ‌ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ହୋଇଛି। ଫେବ୍ରୁଆରିରେ ଉକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରି ମାର୍ଚ୍ଚରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇପାରିବ। ଶିକ୍ଷକ ସଙ୍ଗଠନ ସମେତ ବିଭିନ୍ନ ସ୍କୁଲ କର୍ତୃପକ୍ଷ ମଧ୍ୟ ୯ମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ସାରିଛନ୍ତି। ଏମିତିକି ୮ମ ଶ୍ରେଣୀ ଖୋଲିବାକୁ ବି ଆଲୋଚନା ଚାଲିଥିବା ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଛି। ୨୨ ଦିନ ହେଲା ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍‌ ଶିକ୍ଷା ଦିଆଯାଉଛି। କେତେକ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ଆକ୍ରନ୍ତ ହୋଇଥିଲେ ମଧ୍ୟ ତାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ି ନାହିଁ। କ୍ଲାସରୁମ୍‌ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ି ଚାଲିଛି ଏବଂ ଉପସ୍ଥାନ ହାର ୮୦% ଟପିଲାଣି।

ଅନ୍ୟପକ୍ଷରେ ଡିଗ୍ରି କଲେଜ ଓ ବିଶ୍ବବିଦ୍ୟାଳୟର ଅନ୍ୟ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପାଇଁ ଫେବ୍ରୁଆରି ପ୍ରଥମ ସପ୍ତାହରେ ପାଠପଢ଼ା ହେବା ନେଇ ଏକ ବିଜ୍ଞପ୍ତି ଆଜି ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି। ଘଟଣାର ସତ୍ୟତା ରହିଛି କି ନାହିଁ, ତାହା ଜାଣିବା ଲାଗି ସେମାନେ ଉତ୍ସୁକତାର ସହ ଚାହି ରହିଥିଲେ। ତେବେ ଏଭଳି କୌଣସି ବିଜ୍ଞପ୍ତି ଜାରି ହୋଇ ନ ଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

The post ଫେବ୍ରୁଆରିରେ ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା first appeared on Sambad.



from ରାଜ୍ୟ – Sambad https://ift.tt/3pJYbrT

Post a Comment

0 Comments