୧୬ରେ କୋଭିଡ୍‌ ଟିକାକରଣ : ପ୍ରତ୍ୟେକ କର୍ମଚାରୀ ଗୋଟିଏ ପ୍ରକାର ଟିକା ନେଇପାରିବେ

ଭୁବନେଶ୍ବର : ଆସନ୍ତା ୧୬ତାରିଖରୁ ରାଜ୍ୟରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ପ୍ରତିଷେଧକ ଦିଆଯିବ। ଏଥିପାଇଁ ରାଜ୍ୟରେ ୪ଲକ୍ଷ ୮ହଜାର ଡୋଜ୍ କୋଭିସିଲ୍ଡ ଓ ୨୦ହଜାର ଡୋଜ୍‌ ‘କୋଭାକ୍ସିନ୍‌’ ଟିକା ପହଞ୍ଚି ସାରିଛି। ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ଆବଶ୍ୟକ ପରିମାଣର ଟିକା ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ କର୍ମଚାରୀ କେବଳ ଗୋଟିଏ ପ୍ରକାରର ଟିକାର ୨ଟି ଡୋଜ୍ ନେଇପାରିବେ। କୌଣସି କ୍ଷେତ୍ରରେ ଅଲଗା ପ୍ରକାର ଟିକା ନେଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କ(ସରକାରୀ, ଘରୋଇ) ତ୍ରିସ୍ତରୀୟ, ଦ୍ବିସ୍ତରୀୟ ଓ ପ୍ରାଥମିକସ୍ତରୀୟ ସେବା ଉପଲବ୍ଧକୁ ବିଚାରକୁ ନେଇ କରୋନା ଟିକାକରଣ ପାଇଁ ଅଗ୍ରାଧିକାର ଦିଆଯିବ। ତ୍ରିସ୍ତରୀୟ ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରଥମେ ଟିକାକରଣ ଆରମ୍ଭ କରାଯିବ। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର କରୋନା ଟିକା ଉପଲବ୍ଧ ହୋଇନପାରିଲେ, ବରିଷ୍ଠ କର୍ମଚାରୀଙ୍କୁ ଟିକାକରଣ ପାଇଁ ଅଗ୍ରାଧିକାର ଦିଆଯିବ।

ରାଜ୍ୟରେ କୋଭିଡ୍‌ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିଅରିଂ କମିଟି ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କରୋନା ପରିଚାଳନାରେ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ ରାଜସ୍ବ ବିଭାଗର କର୍ମଚାରୀମାନଙ୍କ ଟିକାକରଣ ପାଇଁ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଶାସନ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା, ଜିଲ୍ଲପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମ୍ୟୁନିସିପାଲ କମିସନର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

The post ୧୬ରେ କୋଭିଡ୍‌ ଟିକାକରଣ : ପ୍ରତ୍ୟେକ କର୍ମଚାରୀ ଗୋଟିଏ ପ୍ରକାର ଟିକା ନେଇପାରିବେ first appeared on Sambad.



from ରାଜ୍ୟ – Sambad https://ift.tt/35JC64F

Post a Comment

0 Comments