
ଭୁବନେଶ୍ବର : କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ରେ ସ୍ବାଧୀନତା ଦିବସକୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। ଆସନ୍ତା ସାଧାରଣତନ୍ତ୍ର ଦିବସରେ ମଧ୍ୟ ସମାନ ନିୟମ ଲାଗୁ ହେବାକୁ ଯାଉଛି। କଟକଣା ମଧ୍ୟରେ ଏହି ଦିବସଟିକୁ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି।
ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଜିଲ୍ଲା ସ୍ତରରେ କିପରି ସାଧାରଣତନ୍ତ୍ର ଦିବସ ପାଳନ ହେବ, ତାହାର ଗାଇଡ୍ଲାଇନ୍ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ କୋଭିଡ୍ ପାଇଁ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ବଡ଼ ଧରଣର ସଭା ଆେୟାଜନ ହେବ ନାହିଁ। କାର୍ଯ୍ୟକ୍ରମରେ କୋଭିଡ୍କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ। ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ ଓ ପରେ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହି ଉତ୍ସବରେ କେବଳ ପୁଲିସ୍ କଣ୍ଟିଜେଣ୍ଟ୍ ହିଁ ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀ/ଏନ୍ସିସି କ୍ୟାଡେଟ୍ ଭାଗ ନେଇପାରିବେ ନାହିଁ। ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। କେବଳ ସୀମିତ ସଂଖ୍ୟକ ଅତିଥିଙ୍କୁ ଡକାଯିବ। ସେମାନଙ୍କ ମଧ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀଙ୍କ ପରି କୋଭିଡ୍ ଯୋଦ୍ଧା ରହିବେ। ଯେତିକି ଅତିଥି ଆସିବେ, ସେମାନଙ୍କ ମଧ୍ୟରେ ଶାରୀରିକ ଦୂରତ୍ବକୁ କଡ଼ାକଡ଼ି ପାଳନ କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। କାର୍ଯ୍ୟକ୍ରମ ସ୍ଥଳ ଓ ପ୍ରବେଶ ଫାଟକକୁ ଭଲ ଭାବେ ସାନିଟାଇଜ୍ କରାଯିବ। ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ଲାଇନ୍ ପ୍ରବନ୍ଧ କିମ୍ବା କୁଇଜ୍ ପ୍ରତିଯୋଗିତା କରାଯାଇପାରିବ। ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନରେ ଏହି ଗାଇଡ୍ଲାଇନ୍ ମଧ୍ୟ ଲାଗୁ ହେବ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।
The post କଟକଣା ଭିତରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ, ଗାଇଡ୍ଲାଇନ୍ ଜାରି କଲା ଗୃହ ବିଭାଗ first appeared on Sambad.
from ରାଜ୍ୟ – Sambad https://ift.tt/3icELc5
0 Comments